ଅହମ୍ମଦାବାଦ,୧୮/୦୭: ଅହମ୍ମଦାବାଦରେ ଜୁନ୍‌ ୧୨ରେ ଘଟିଥିବା  ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ  ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି । ଏହାକୁ ନେଇ ବିବାଦ ବି ସୃଷ୍ଟି ହେଉଛି ।  ଆମେରିକାର ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ରେ ଏ  ନେଇ ପ୍ରକାଶିତ ଏକ ସଦ୍ୟ ରିପୋର୍ଟକୁ କେନ୍ଦ୍ରକରି ବିବାଦ ଉପୁଜିଛି । ପତ୍ରିକାର ଏକ ରିପୋର୍ଟରେ କୁହାଯାଇଛି ଯେ ଏୟାର  ଇଣ୍ଡିଆ ବିମାନର କ୍ୟାପ୍‌ଟେନ୍‌ ସୁମିତ ସଭରୱାଲ ହିଁ ଇଞ୍ଜିନ୍‌ର ଇନ୍ଧନ ସୁଇଚ୍‌କୁ  ବନ୍ଦ କରିଦେଇଥିଲେ । ଫଳରେ ଇଞ୍ଜିନ୍‌ଦ୍ୱୟ ବନ୍ଦ ହୋଇ ଦୁର୍ଘଟଣା ଘଟିଥିଲା । 

ରିପୋର୍ଟ ଦର୍ଶାଇଛି ଯେ ଦୁଇ ପାଇଲଟ୍‌ଙ୍କ କକ୍‌ପିଟ୍‌ ରେକର୍ଡିଂରୁ ହିଁ ଏହାର ଖୁଲାସା ହୋଇଛି । ରେକର୍ଡିଂରୁ ଜଣାପଡ଼ିଛି ଯେ ବୋଇଂ ବିମାନ ଉଡ଼ାଉଥିବା କୋ-ପାଇଲଟ୍‌ କ୍ଲାଇଭ୍‌ କୁନ୍ଦର କ୍ୟାପ୍‌ଟେନ୍‌ ସୁମିତ ସଭରୱାଲଙ୍କୁ ପଚାରୁଛନ୍ତି, ‘ଆପଣ ଫୁଏଲ୍‌ ସୁଇଚ୍‌କୁ ‘କଟ୍‌ଅଫ୍‌’ ପୋଜିସନ୍‌କୁ କାହିଁକି ଆଣିଲେ?’ ଏହି ପ୍ରଶ୍ନ କଲା ବେଳେ କୋ- ପାଇଲଟ୍‌ ଅତ୍ୟନ୍ତ ଘାବରେଇ ଯାଇଥିଲେ । କିନ୍ତୁ କ୍ୟାପ୍‌ଟେନ୍‌ ସୁମିତ ଶାନ୍ତ ଥିଲେ । କ୍ୟାପ୍‌ଟେନ୍‌ ସୁମିତ୍‌ଙ୍କ ପାଖରେ ୧୫ ହଜାର  ୬୩୮ ଘଣ୍ଟା ଓ କ୍ଲାଇଭ୍‌ କୁନ୍ଦରଙ୍କ ପାଖରେ  ୩ ହଜାର ୪୦୩ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଥିଲା। ତଦନ୍ତ ସହ ଜଡ଼ିତ ଆମେରିକୀୟ ସୂତ୍ରକୁ ଆଧାର କରି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌ ଏହି  ରିପୋର୍ଟ ପ୍ରକାଶ କରିଛି । 

ଏହି ରିପୋର୍ଟକୁ ନେଇ ଭାରତୀୟ ଏଜେନ୍ସିଗୁଡ଼ିକ ତରଫରୁ କୌଣସି ଜବାବ  ଦିଆଯାଇ ନାହିଁ । କିନ୍ତୁ ବେସାମରିକ ବିମାନ  ଚଳାଚଳ ବିଶେଷଜ୍ଞ ସଞ୍ଜୟ ଲଜାର୍‌ ତଦନ୍ତ  ରିପୋର୍ଟ ଲିକ୍‌ ହେବାକୁ ନେଇ ଗଭୀର  ଚିନ୍ତାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି,  ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆମେରିକୀୟ  ଗଣମାଧ୍ୟମ ଭାରତର ସଂସଦ ଓ ବେସାମରିକ  ବିମାନ ଚଳାଚଳ ମନ୍ତ୍ରଣାଳୟ ଠାରୁ ଅଧିକ  ତଥ୍ୟ ରଖିଛି । ପ୍ରଧାନମନ୍ତ୍ରୀ ଏହି ମାମଲାର  ତଦନ୍ତ କୌଣସି ହାଇକୋର୍ଟ ବିଚାରପତିଙ୍କ  ଦ୍ୱାରା କରାଇବା ଉଚିତ । ସଞ୍ଜୟ ଲଜାର୍‌ କହିଛନ୍ତି, ଭାରତର  ଏଏଆଇବି ରିପୋର୍ଟରେ କେବଳ ଗୋଟିଏ  ବୟାନ ସାମ୍ନାକୁ ଆସିଥିଲା । ଏହା ଥିଲା,  ‘ତୁମେ ଏହାକୁ ବନ୍ଦ କରିଛ କି? ଆଉଜଣେ  ପାଇଲଟ୍‌ କହିଥିଲେ, ନା, ମୁଁ କରିନାହିଁ ।’  କେବଳ ଏହି ବୟାନ ଆଧାରରେ କୌଣସି  ନିଷ୍କର୍ଷରେ ପହଞ୍ଚିବା ଉଚିତ ନୁହେଁ ।