ନୂଆଦିଲ୍ଲୀ,୧।୧: କାନାଡାର ଭାନକୁଭେର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ପାଇଲଟଙ୍କ ଦାୟିତ୍ବହୀନ ଆଚରଣ। ଏହି କାରଣରୁ ଦିଲ୍ଲୀରୁ ଆସୁଥିବା ବିମାନରେ ବିଳମ୍ବର ସାମନା କରିବାକୁ ପଡିଛି। ୨୩ ଡିସେମ୍ବର ୨୦୨୫ ରେ ଉଡାଣ ଭରିବାର ଠିକ୍ ପୂର୍ବରୁ ପାଇଲଟଙ୍କୁ ନିଶାସକ୍ତ ସ୍ଥିତିରେ ଥିବାର ସନ୍ଦେହରେ କାନାଡା ଅଧିକାରୀ କଷ୍ଟଡିରେ ନେଇଥିଲେ। ଜଣେ ଡ୍ୟୁଟି ଫ୍ରି ଷ୍ଟୋର କର୍ମଚାରୀଙ୍କ ସତର୍କତା କାରଣରୁ ଏହା ଜଣାପଡିଛି ,ଯିଏକି ପାଇଲଟଙ୍କୁ ସନ୍ଦିଗ୍ଧ ସ୍ଥିତିରେ ଦେଖିବାକୁ ପାଇଥିଲେ। ଏୟାର ଇଣ୍ଡିଆ ଏହି ଘଟଣା ସମ୍ପର୍କରେ ସମ୍ବଦ୍ଧିତ କ୍ରୁ ସଦସ୍ୟଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସଙ୍କେତ ଦେଇଛି।

ଭାନକୁଭେର ଏୟାରପୋର୍ଟରେ ଡ୍ୟୁଟି ଫ୍ରି ଷ୍ଟୋରର ଜଣେ କର୍ମଚାରୀ ନୋଟିସ୍ କରିଥିଲେ ମଦ ବୋତଲ କିଣିବା ସମୟରେ ପାଇଲଟଙ୍କ ମୁହଁରୁ ମଦ ଗନ୍ଧ ଆସୁଥିଲା। କିଛି ରିପୋର୍ଟ ଅନୁସାରେ, ତାଙ୍କୁ ସେହି ଷ୍ଟୋରରେ ମଦ ଚାଖୁଥିବାର ଦେଖିବାକୁ ମିଳିଥିଲା। ଏହାର ସୂଚନା ତୁରନ୍ତ ଅଧିକାରୀଙ୍କୁ ଦିଆଯାଇଥିଲା। ସିସିଟିଭି ଫୁଟେଜ୍ ସାହାଯ୍ୟରେ ସୁରକ୍ଷା ବଳ ପାଇଲଟଙ୍କୁ ବିମାନ ଭିତରେ ଟ୍ରାକ୍ କରିଥିଲେ ଓ ତାଙ୍କୁ କଷ୍ଟଡିରେ ନେଇଥିଲେ।

ବ୍ରେଥ ଆନାଲାଇଜର ଟେଷ୍ଟ ହେଲା ଫେଲ୍:

କାନାଡା ଅଧିକାରୀଙ୍କ ଦ୍ବାରା କରାଯାଇଥିବା ବ୍ରେଥ୍ ଆନାଲାଇଜର ଟେଷ୍ଟରେ ପାଇଲଟଙ୍କ ରିପୋର୍ଟ ପିଜିଟିଭ ଆସିଛି। ଯାହାଦ୍ବାରା ଏହା ପ୍ରମାଣିତ ହୋଇଛି ଯେ, ସେ ବିମାନ ଉଡାଣ ପାଇଁ ଶାରିରୀକ ରୂପରେ ଫିଟ୍ ନଥିଲେ। ସୁରକ୍ଷା ନିୟମର ଉଲଂଘନ କାରଣରୁ ତାଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଆଇଥିଲା ଓ ପଚରା ଉଚରା ପାଇଁ ନିଆଯାଇଥିଲା। ଏହି ଘଟଣା କାରଣରୁ ଯାତ୍ରୀଙ୍କୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୈକଳ୍ପିକ ପାଇଲଟ୍ ବ୍ୟବସ୍ଥା ହେବା ଯାଏଁ ଅପେକ୍ଷା କରିବାକୁ ପଡିଥିଲା।

ଡିଜିସିଏ ଆରମ୍ଭ କଲା ଯାଞ୍ଚ:

ଏୟାର ଇଣ୍ଡିଆ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA)କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛି। ଦୋଷୀ ପାଇଲଟଙ୍କୁ ଦିଲ୍ଲୀ ଅଣାଯାଇଛି, ଯେଉଁଠାରେ ତାଙ୍କୁ ପଚରାଉଚରା କରାଯାଉଛି ଏବଂ ତାଙ୍କ ଲାଇସେନ୍ସ ବାତିଲ ପ୍ରକ୍ରିୟା ଆରମ୍ଭ ହୋଇପାରେ। ବିମାନ ନିୟାମକ ନିୟମ ଅନୁଯାୟୀ, ଡ୍ୟୁଟି ସମୟରେ ମଦ୍ୟପାନ କରିବା ଏକ ଗମ୍ଭୀର ଅପରାଧ।

ଆହୁରି ପଢନ୍ତୁ:ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ ରଚିଲେ ଇତିହାସ, କୋରାନ ଛୁଇଁ ନ୍ୟୁୟର୍କର ମେୟର ଭାବେ ନେଲେ ଶପଥ