ନୂଆଦିଲ୍ଳୀ, ୧।୧: ଭାରତୀୟ ବଂଶୋଦ୍ଭବ ଜୋହରାନ ମମଦାନୀ ରଚିଲେ ଇତିହାସ। ସେ ଆମେରିକାର ସବୁଠାରୁ ବଡ଼ ସହରର ନ୍ୟୁୟର୍କର ପ୍ରଥମ ମୁସଲମାନ ମେୟର ଭାବରେ ଗୁରୁବାର ରାତିରେ ଶପଥ ଗ୍ରହଣ କରିଛନ୍ତି। ଏହି ଦିନକୁ ଖାସ୍ କରିବା ପାଇଁ ମମଦାନୀ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପ୍ରଥମ ମୁସଲମାନ ନେତା ଭାବରେ କୋରାନ ଛୁଇଁ ଶପଥ ନେଇଥିଲେ । ଏହା ପ୍ରଥମ ଥର ଯେତେବେଳେ ନ୍ୟୁୟର୍କ ସହରର କେହି ମେୟର ଶପଥ ନେବା ପାଇଁ ଇସ୍ଲାମର ପବିତ୍ର ଗ୍ରନ୍ଥର ବ୍ୟବହାର କରିଥିଲେ।

ଜୋହରାନ ମାମଦାନୀ ମ୍ୟାନହାଟନ୍‌ର ଏକ ଐତିହାସିକ ସବଓ୍ବେ ଷ୍ଟେସନ୍‌ରେ ଶପଥ ଗ୍ରହଣ କରିଥିଲେ। ଡେମୋକ୍ରାଟ୍ ମମଦାନୀ ଏହି ସମୟରେ କହିଥିଲେ ଏହା ତାଙ୍କ ପାଇଁ ଖୁବ୍ ସମ୍ମାନର କଥା। ତାଙ୍କୁ ମଧ୍ୟାହ୍ନ ୧ଟା ବେଳେ ସିଟି ହଲ୍‌ର ଏକ ସାର୍ବଜନିକ ସମାରୋହରେ ଆଉ ଥରେ ଶପଥ ପାଠ କରାଯିବ। ଏହି କାର୍ଯ୍ୟକ୍ରମ ଆହୁରି ଭବ୍ୟ ହେବ।ମିଳିଥିବା ସୂଚନା ଅନୁସାରେ, ମମଦାନୀଙ୍କ ପତ୍ନୀ ,ରମା ଦୁଭାଜି ଶପଥ ନେବା ପାଇଁ କୋରାନକୁ ଚୟନ କରିବାରେ ସାହାଯ୍ୟ କରିଥିଲେ। ଏହାକୁ ଆମେରିକାର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମୁସଲମାନ ନିବାସୀଙ୍କ ପ୍ରତି ଏକ ବାର୍ତ୍ତା ଭାବରେ ଦେଖାଯାଉଛି। ଗୋଟିଏ ପଟେ ଯେଉଁଠି ନିଜର ନିର୍ବାଚନ ପ୍ରଚାରରେ ଆଫୋର୍ଡିବିଲିଟିକୁ ପ୍ରସଙ୍ଗ ଭାବରେ ରଖାଯାଇଛି, ସେଠାରେ ମୁସଲମାନ ଧର୍ମ ବିଷୟରେ ଖୋଲାଖୋଲି କଥା ହୁଅନ୍ତି। ସେ ସବୁବେଳେ ମସଜିଦ୍ରେ ଦେଖା ଦେଉଥିଲେ ଓ ସେ ଏହାଦ୍ବାରା ନିଜର ସମର୍ଥକଙ୍କ ବେସ୍ ତିଆରି କରିଥିଲେ। ଜୋହରାନ ମମଦାନୀଙ୍କୁ ଭୋଟ ଦେଉଥିବା ଲୋକଙ୍କ ଭିତରେ ବହୁବାର ଭୋଟ ଦେଉଥିବା ଦକ୍ଷିଣ ଏସିଆ ଓ ମୁସଲମାନ ମତଦାତା ଥିଲେ।

ମମଦାନୀ ସବଓ୍ବେ ସମାରୋହ ବେଳେ ଦୁଇଟି କୋରାନ ଉପରେ ହାତ ରଖି ଶପଥ ନେଇଥିଲେ। ତା ଭିତରେ ଗୋଟିଏ ତାଙ୍କ ଜେଜେ ବାପାଙ୍କର କୋରାନ ମଧ୍ୟ ଥିଲା। ସେଭଳି ସେ ଅନ୍ୟ ଏକ ପକେଟ ସାଇଜ୍ ସଂସ୍କରଣ ଉପରେ ମଧ୍ୟ ହାତ ରଖିଥିଲେ,ଯାହାକି ୧୮ ଶ ଶତାବ୍ଦୀ କିମ୍ବା ୧୯ ଶ ଶତାବ୍ଦୀର ଥିଲା। ଏହା ନ୍ୟୁୟର୍କ ପବ୍ଲିକ୍ ଲାଇବ୍ରେରୀ ଶମ୍ବର୍ବ ସେଣ୍ଟର ଫର ରିସର୍ଚ୍ଚ ଇନ୍ ବ୍ଲାକ କଲଚରର କଲେକ୍ସନର ଅଂଶ ଥିଲା। ଲାଇବ୍ରେରୀର କ୍ୟୁରେଟର ହିବା ଆବିଦ କହିଛନ୍ତି, କୋରାନର ଏହି କପି ସହରର ମୁସଲମାନଙ୍କ ବିବିଧତାର ପ୍ରତୀକ। ସେଭଳି ବର୍ଷର ପ୍ରଥମ ଦିନ ସିଟି୍ ହଲ୍‌ ହେବାକୁ ଥିବା ଶପଥ ଗ୍ରହଣ ପାଇଁ ମମଦାନୀ ନିଜର ଜେଜେବାପା ଓ ଜେଜେମା’ ଉଭୟଙ୍କ କୋରାନର ବ୍ୟବହାର କରିବେ।