ନୂଆଦିଲ୍ଲୀ: ଏୟାର ମାର୍ଶଲ ନର୍ମଦେଶ୍ୱର ତିୱାରୀ ଶନିବାର ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ଅପରେସନ୍ ସିନ୍ଦୂରରେ ଭାରତୀୟ ବାୟୁସେନା ପାକିସ୍ତାନ ଉପରେ ୫୦ରୁ କମ୍ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଏହା ପରେ ପାକିସ୍ତାନ ମେ’ ୧୦ରେ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା । ବାୟୁସେନା ଉପମୁଖ୍ୟ କହିଛନ୍ତି, ୯ ଏବଂ ୧୦ ମେ’ ମଧ୍ୟରାତ୍ରିରେ ପାକିସ୍ତାନ ପଟୁ ହୋଇଥିବା ଆକ୍ରମଣର ଜବାବ ଦେଇ ଭାରତୀୟ ବାୟୁସେନା ପାକିସ୍ତାନୀ ସେନା ଉପରେ ପ୍ରାଧାନ୍ୟ ପାଇଥିଲା ।
ନର୍ମଦେଶ୍ୱର ତିୱାରୀ 'NDTV ପ୍ରତିରକ୍ଷା ସମ୍ମିଳନୀ'ରେ କହିଛନ୍ତି, ‘ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ଆମେ ୫୦ରୁ କମ୍ ଅସ୍ତ୍ରଶସ୍ତ୍ର ସହିତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ହାସଲ କରିପାରିଲୁ । ଏହା ପୂର୍ବରୁ କେବେ ହୋଇନଥିଲା।’ 'ଅପରେସନ୍ ସିନ୍ଦୁର'ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ବରିଷ୍ଠ ବାୟୁସେନା ଅଧିକାରୀ କହିଛନ୍ତି ଯେ, ମିଶନ ସମୟରେ ଧ୍ୱଂସ କରାଯାଇଥିବା କିଛି ପାକିସ୍ତାନୀ ଲକ୍ଷ୍ୟସ୍ଥଳ ଏପରି ଥିଲା ଯାହା ୧୯୭୧ ଯୁଦ୍ଧ ସମୟରେ ମଧ୍ୟ ଧ୍ୱଂସ ହୋଇନଥିଲା ।
ସେ କହିଛନ୍ତି, ‘ଆମେ ପ୍ରତ୍ୟେକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲୁ । ଆମର ଯୋଜନା ନିର୍ମାତା ଏବଂ ମିଶନକୁ କାର୍ଯ୍ୟକାରୀ କରିଥିବା ଲୋକଙ୍କ ଦକ୍ଷତାକୁ ଦର୍ଶାଉଛି ।’ ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ମେ ୭ରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା । ପାକିସ୍ତାନ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ଭୟଙ୍କର ସଂଘର୍ଷ ହୋଇଥିଲା । ପରେ ମେ ୧୦ ରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଏକ ଚୁକ୍ତି ସହିତ ଏହି ସଂଘର୍ଷ ଶେଷ ହୋଇଥିଲା ।
ବାୟୁସେନା ଉପମୁଖ୍ୟ ଅପରେସନ ସିନ୍ଦୂର ସହିତ ଜଡିତ ଘଟଣାବଳୀ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ଏୟାର ମାର୍ଶଲ ତିୱାରୀ କହିଛନ୍ତି ଯେ, ମେ’ ୭ରେ ପାକିସ୍ତାନୀ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିବା ପରେ ଭାରତ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଆଗ୍ରହୀ ନଥିଲୁ । ଆମେ ଏକ ଜବାବ ଆଶା କରିଥିଲୁ ଏବଂ ଆମେ ଏହାକୁ ସନ୍ତୁଳିତ ରଖିଥିଲୁ ଏବଂ ଆମେ କେବଳ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିଥିଲୁ । କିନ୍ତୁ ଯେତେବେଳେ ୯-୧୦ ମେ ରାତିରେ ମୁଖ୍ୟ ଆକ୍ରମଣ ହୋଇଥିଲା, ଆମେ ନିଷ୍ପତ୍ତି ନେଇଥିଲୁ ଯେ, ଆମକୁ ସଠିକ୍ ବାର୍ତ୍ତା ପଠାଇବାକୁ ପଡିବ । ଆମେ ସେମାନଙ୍କୁ ସବୁଆଡ଼ୁ ଟାର୍ଗେଟ କରିଥିଲୁ।
IAF ଅଧିକାରୀ କହିଛନ୍ତି, ‘ଏପରି କିଛି ଲକ୍ଷ୍ୟସ୍ଥଳ ଧ୍ୱଂସ କରାଯାଇଥିଲା, ଯାହାକୁ ୧୯୭୧ ଯୁଦ୍ଧ ସମୟରେ ମଧ୍ୟ ନଷ୍ଟ କରାଯାଇ ପାରିନଥିଲା । ଭାରତୀୟ ବାୟୁସେନା କେବଳ ସାମରିକ ଲକ୍ଷ୍ୟସ୍ଥଳରେ ଏହାର ଆକ୍ରମଣକୁ ସୀମିତ ରଖିଥିଲା। ପାକିସ୍ତାନର କ୍ଷମତାକୁ ନଷ୍ଟ କରିବା ଏବଂ 'ସଠିକ୍ ବାର୍ତ୍ତା' ପଠାଇବା ଏହି ଆକ୍ରମଣ ପଛରେ ଉଦ୍ଦେଶ୍ୟ ଥିଲା ।