ନୂଆଦିଲ୍ଲୀ,୦୮/୦୩ : ଦିଲ୍ଲୀ ଏୟାରପୋର୍ଟରେ ବିରାଟ ଅବହେଳା ଦେଖିବାକୁ ମିଳିଛି । ଜଣେ ବୃଦ୍ଧାଙ୍କ ନାମରେ ପୂର୍ବରୁ ବୁକ୍ ହେବା ସତ୍ତ୍ବେ ତାଙ୍କୁ ହ୍ବିଲଚେୟାର ଦେବାକୁ ମନା କଲା ଏୟାରଇଣ୍ଡିଆ । ଫଳରେ ଏୟାରପୋର୍ଟରୁ ଖସି ପଡି ଗୁରୁତର ହୋଇଛନ୍ତି ଜଣେ ୮୨ ବର୍ଷୀୟା ବୃଦ୍ଧା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ବୃଦ୍ଧାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ ପୂର୍ବରୁ ହ୍ବିଲଚେୟାର ସର୍ଭିସ୍ ବୁକ୍ କରିଥିଲେ । ବୃଦ୍ଧା ଜଣେ ଲେଫ୍ଟନାଣ୍ଟ ଜେନେରାଲଙ୍କ ପତ୍ନୀ । ଏୟାରପୋର୍ଟରେ ତାଙ୍କୁ ହ୍ବିଲଚେୟାର ପାଇଁ ଏକଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ଏହାପରେ ବି ତାଙ୍କୁ କୌଣସି ସହାୟତା ମିଳି ନଥିଲା । ସେ ତାଙ୍କ ସମ୍ପର୍କୀୟଙ୍କ ସହାୟତାରେ ଚାଲି ଚାଲି ଯାଇଥିଲେ । ମାତ୍ର ଏୟାରଲାଇନ କାଉଣ୍ଟର ପାଖରେ ଖସି ପଡିଥିଲେ । ଗୁରୁତର ଭାବେ ଆହତ ହୋଇଛନ୍ତି ୮୨ ବର୍ଷୀୟ ବୃଦ୍ଧା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ବୃଦ୍ଧାଙ୍କ ନାତୁଣି ପାରୁଲ କନୱାର ଅଭିଯୋଗ କରିଛନ୍ତି କି, '' ମୁଁ ଆଇସିୟୁରେ ବସି ମେସେଜ ଟାଇପ କରୁଛି । ଜେଜେମାଆ ଏୟାରପୋର୍ଟରେ ଖସି ପଡିବା ପରେ ବି ତାଙ୍କୁ କୌଣସି ପ୍ରାଥମିକ ଚିକିତ୍ସା ଦିଆଯାଇନଥିଲା । ଦୀର୍ଘ ସମୟ ପରେ ହ୍ୱିଲଚେୟାର ଦିଆଯାଇଥିଲା । ଜେଜେମାଆ ଖସି ପଡିବା ପରେ ତାଙ୍କ ଓଠ ଫାଟି ରକ୍ତ ବାହାରିଥିଲା । ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏହାପରେ ବି ତାଙ୍କୁ କୌଣସି ଚିକିତ୍ସା ଦିଆଯାଇନଥିଲା । ସେ ବହୁତ ଦୁର୍ବଳ ହୋଇ ଯାଇଛନ୍ତି । ଶରୀରର ବାମପାର୍ଶ୍ବ କାମ କରୁନାହିଁ ।'' ସୋସିଆଲ ମିଡିଆ ଏକ୍ସରେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବୃଦ୍ଧାଙ୍କ ନାତୁଣି । ଏୟାରଇଣ୍ଡିଆ ଉପରେ ବର୍ଷିଛନ୍ତି । ଜେଜେମାଆଙ୍କ ପ୍ରତି ଅବହେଳା କରିଥିବା କହିଛନ୍ତି ।
ଉତ୍ତର ରଖିଲା ଏୟାର ଇଣ୍ଡିଆ- ବୃଦ୍ଧାଙ୍କର ଏପରି ଅବସ୍ଥା ନେଇ ପରିବାର ଡିଜିସିଏ ଏବଂ ଏୟାରଇଣ୍ଡିଆକୁ ଅଭିଯୋଗ କରିଥିଲେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ବୃଦ୍ଧାଙ୍କ ନାତୁଣିଙ୍କ ପୋଷ୍ଟର ଉତ୍ତର ଦେଇ ଏୟାର ଇଣ୍ଡିଆ କହିଛି, ଏ ଘଟଣା ପାଇଁ ଆମେ ଦୁଃଖିତ । ସୁଶ୍ରୀ ପସରିଚାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ । ଆପଣଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଛୁ । ଅନୁରୋଧ କରୁଛି କି ଆପଣଙ୍କ ଯୋଗାଯୋଗ ନମ୍ବର ଦିଅନ୍ତୁ ।''