ନୂଆଦିଲ୍ଲୀ, ୨୨।୯: ଯାନବାହାନ ଧୂଆଁଠୁ ଆରମ୍ଭ କରି କାରଖାନାର ଧୂଆଁ ଏବଂ ଜଙ୍ଗଲ ନିଆଁ ପରିବେଶକୁ ପ୍ରଦୂଷଣରେ ଭରିଦେଇଛି । ଯେତେବେଳେ ଆମେ ଏହି ବାୟୁକୁ ନିଶ୍ୱାସରେ ନେଉ, ଏହା କେବଳ ଫୁସଫୁସକୁ ନଷ୍ଟ କରେନି ବରଂ ଧୀରେ ଧୀରେ ଆମର ହୃଦୟକୁ ମଧ୍ୟ କ୍ଷତି ପହଞ୍ଚାଇବା ଆରମ୍ଭ କରିଦେଲାଣି । ଏକଥା ଆମେ କହୁନୁ, ଏନେଇ ରିସର୍ଚ୍ଚରେ ବଡ଼ ଖୁଲାସା ହୋଇଛି । ରେଡିଓଲୋଜି ପତ୍ରିକାରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଦୂଷଣରେ ରହିବାରୁ ହାର୍ଟର ମାଂସପେଶୀକୁ ଦୁର୍ବଳ କରିପାରେ ଏବଂ ହୃଦ୍ଘାତ ଭଳି ଗମ୍ଭୀର ରୋଗର ଆଶଙ୍କା ବଢ଼ାଇପାରେ ।
ଗବେଷକମାନେ ଜାଣିପାରିଲେ ଯେ, ପ୍ରଦୂଷିତ ବାୟୁରେ ଥିବା ଛୋଟ ଛୋଟ କଣିକା, ଯାହାକୁ PM2.5 (ଫାଇନ୍ ପାର୍ଟିକୁଲେଟ୍ ମ୍ୟାଟର) କୁହାଯାଏ, ଯାହା ହୃଦୟ ମାଂସପେଶୀରେ ମାୟୋକାର୍ଡିଆଲ୍ ଫାଇବ୍ରୋସିସ୍ ନାମକ ଦାଗ ଛାଡ଼ିଯାଏ । ଏହା ସମୟ ସହିତ ହୃଦୟକୁ ଦୁର୍ବଳ କରିଦିଏ । PM2.5 କ’ଣ କ୍ଷତି କରେ ? ଏହା ଆମ ହୃଦୟ ପାଇଁ କେତେ ମାରାତ୍ମକ ଆସନ୍ତୁ ଜାଣିବା । PM2.5 କଣିକାଗୁଡ଼ିକ ଅତ୍ୟନ୍ତ ସୂକ୍ଷ୍ମ ଏବଂ ସେମାନେ ଫୁସଫୁସ୍ ମାଧ୍ୟମରେ ସହଜରେ ରକ୍ତପ୍ରବାହରେ ପ୍ରବେଶ କରନ୍ତି । ସେଠାରୁ, ସେମାନେ ସିଧାସଳଖ ହୃଦୟରେ ପହଞ୍ଚିପାରନ୍ତି ଏବଂ ଏହାର ଟିସୁଗୁଡ଼ିକୁ କ୍ଷତି ପହଞ୍ଚାଇପାରନ୍ତି । ଯାନବାହନର ଧୂଆଁରୁ, କାରଖାନାଗୁଡ଼ିକରୁ, ଜଙ୍ଗଲ ନିଆଁ, ଏସବୁ ସ୍ଥାନରେ ଯେଉଁମାନେ ଦୀର୍ଘ ସମୟ ଧରି ରୁହନ୍ତି, ସେମାନଙ୍କର ହୃଦରୋଗର ଆଶଙ୍କା ଅଧିକ ଦେଖାଯାଇଥିଲା ।
ଯଦି ଏତିକି ତଥ୍ୟ ଯଥେଷ୍ଟ ନୁହେଁ, ଆମେ ଆପଣଙ୍କୁ ଆଉ ଏକ ରିପୋର୍ଟ ବିଷୟରେ କହୁଛୁ । ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ଡକ୍ଟର କେଟ୍ ହାନେମାନ ଏବଂ ତାଙ୍କ ଦଳ ୬୯୪ ଜଣଙ୍କ ଉପରେ ଅଧ୍ୟୟନ କରିଥିଲେ, ଯେଉଁଥିରୁ ୨୦୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ୪୯୩ ଜଣ ହୃଦୟକୁ ଦୁର୍ବଳ କରୁଥିବା ରୋଗରେ ପୀଡ଼ିତ ଥିଲେ । ଏମ୍ଆରଆଇ ସ୍କାନରୁ ଜଣାପଡ଼ିଛି ଯେ, ଯେଉଁମାନେ ଅଧିକ ପ୍ରଦୂଷଣର ଶିକାର ହୋଇଥିଲେ ସେମାନଙ୍କର ହୃଦୟ ମାଂସପେଶୀରେ ଅଧିକ କ୍ଷତଚିହ୍ନ ଥିଲା । ଏବେ ଆସନ୍ତୁ ଜାଣିବା କେଉଁ ଲୋକମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି ? ମୁଖ୍ୟତଃ ଉଚ୍ଚ ରକ୍ତଚାପ ଥିବା ଲୋକ, ଧୂମ୍ରପାନ କରୁଥିବା ଲୋକଙ୍କଠାରେ ହୃଦ୍ଘାତ ଦ୍ରୁତ ଗତିରେ ବୃଦ୍ଧି ପାଏ । ଏହି ଅଧ୍ୟୟନ ପ୍ରମାଣିତ କରୁଛି ଯେ, ପ୍ରଦୂଷଣର ପ୍ରଭାବ କେବଳ ଫୁସଫୁସ୍ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହା ନୀରବରେ ହୃଦୟକୁ ମଧ୍ୟ କ୍ଷତି ପହଞ୍ଚାଉଛି । ସମୟ ମଧ୍ୟରେ ସତର୍କତା ଅବଲମ୍ବନ କରି, ହୃଦୟକୁ ସୁରକ୍ଷିତ ରଖିବା ଲାଗି ବୃକ୍ଷରୋପଣ ହିଁ ଏକମାତ୍ର ପନ୍ଥା ।