ନୂଆଦିଲ୍ଲୀ – ଗତ କିଛି ଦିନ ଧରି,ପ୍ରାୟ ପୂରା ଉତ୍ତର ଭାରତ ବାୟୁ ପ୍ରଦୂଷଣରେ ଜର୍ଜରିତ। ଦିଲ୍ଲୀ-ଏନସିଆରରେ ବାୟୁ ବିଷାକ୍ତ ହୋଇ ଯାଇଛି। ବାୟୁର ଗୁଣବତ୍ତା ସ୍ତରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳୁଛି। ସେଠାରେ ଥଣ୍ଡାରେ ତାପମାତ୍ରା ହ୍ରାସ ପାଇବା ସହ ପରିସ୍ଥିତି ଆହୁରି ଖରାପ ହୋଇ ଯାଇଛି। ଏବେ ବିଶେଷଜ୍ଞ ମାନେ ଏହି ପରିସ୍ଥିତିରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , କୋଭିଡ୍-୧୯ ମହାମାରୀ ପରେ ବାୟୁ ପ୍ରଦୂଷଣ ଭାରତର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସଙ୍କଟ।ବ୍ରିଟେନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶ୍ୱାସକ୍ରିୟା ରୋଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ,ଯଦି ତୁରନ୍ତ ଦୃଢ଼ ପଦକ୍ଷେପ ନିଆ ନଯାଏ,ତେବେ ବର୍ଷ ପରେ ବର୍ଷ ପରିସ୍ଥିତି ଆହୁରି ଖରାପ ହୋଇଯିବ।
ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଏକ ବଡ଼ ସଙ୍କଟ ଧୀରେ ଧୀରେ ବିକଟାଳ ରୂପ ନେଉଛି। ଯାହାକୁ ଏପର୍ଯ୍ୟନ୍ତ ନା ବ୍ୟାପକ ଭାବରେ ଚିହ୍ନଟ କରାଯାଇଛି, ନା କି ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ଯାଉଛି। ବ୍ରିଟେନରେ କାର୍ଯ୍ୟରତ ଅନେକ ବରିଷ୍ଠ ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ଶ୍ୱାସକ୍ରିୟା ଜନିତ ରୋଗର ଏହି ଲୁକାୟିତ ସଙ୍କଟ ଧୀରେ ଧୀରେ ଗମ୍ଭୀର ରୂପ ନେଉଛି ଏବଂ ଆଗାମୀ ଲହର ଭାରତର ଜନସାଧାରଣ ଏବଂ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର ଏବଂ ଦୀର୍ଘକାଳୀନ ପ୍ରଭାବ ପକାଇ ପାରେ।
ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଗତ ଦଶନ୍ଧିରେ ବିଶ୍ୱବ୍ୟାପୀ ହୃଦରୋଗ ମାମଲା ବୃଦ୍ଧି କେବଳ ମୋଟାପା କାରଣରୁ ନୁହେଁ, ବରଂ ଏହାର ମୁଖ୍ୟ କାରଣ କାର ଓ ବିମାନ ସହ ସହରାଞ୍ଚଳ ପରିବହନରୁ ବାହାରୁ ଥିବା ବିଷାକ୍ତ ନିର୍ଗମନ। ଭାରତ, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶର ସହର ଗୁଡ଼ିକରେ ଏହି ସମସ୍ୟା ବିଶେଷ ଭାବରେ ଗମ୍ଭୀର ରୂପ ନେଇଛି।
ଲିଭରପୁଲର ଜଣେ ପରାମର୍ଶଦାତା ଶ୍ୱାସକ୍ରିୟା ରୋଗ ବିଶେଷଜ୍ଞ ଏବଂ ଭାରତର COVID-19 ପରାମର୍ଶଦାତା କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମ କୁହନ୍ତି,"ଭାରତ ସରକାରଙ୍କର ବାୟୁ ପ୍ରଦୂଷଣ ଉପରେ ପୁନଃ ଧ୍ୟାନକେନ୍ଦ୍ରିତ କରିବା ଜରୁରୀ। କିନ୍ତୁ ଏକ କଠିନ ବାସ୍ତବତା ହେଉଛି ଯେ,ଉତ୍ତର ଭାରତରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କ୍ଷତି ପୂର୍ବରୁ ହୋଇ ସାରିଛି। ନିକଟରେ ଯେଉଁ ପଦକ୍ଷେପ ଉଠାଯାଉଛି, ତାହା ଖୁବ୍ କମ୍। ଶ୍ୱାସକ୍ରିୟା ସମ୍ୱନ୍ଧୀୟ ରୋଗର ଏକ ବଡ଼ ସଙ୍କଟ ଧୀରେ ଧିରେ ଆମ ସାମ୍ନାରେ ବଢିବାରେ ଲାଗିଛି।
ସେ ଚେତାବନୀ ଦେଇଛନ୍ତି ଯେ, ବର୍ଷ ବର୍ଷ ଧିର ପ୍ରଦୂଷଣ ଘେରରେ ରହିବା କାରଣରୁ ଫୁସଫୁସର ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିରେ ପରିଣତ ହେଉଛି। ସେ ନୀତି ନିର୍ମାତାମାନଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ଶ୍ୱାସକ୍ରିୟା ଜନିତ ରୋଗର ସଠିକ୍ ସମୟ ପୂର୍ବରୁ ଚିହ୍ନଟ ଓ ଏହାର ଚିକିତ୍ସା କରିବାରେ ଧ୍ୟାନ ଦିଅନ୍ତୁ ଏବଂ ଶୀଘ୍ର କାମ କରୁଥିବା ଏକଟାସ୍କ ଫୋର୍ସ(କାର୍ଯ୍ୟଦଳ)ପ୍ରତିଷ୍ଠା କରିବାକୁ ବିଚାର କରନ୍ତୁ। ଡାକ୍ତରଙ୍କ ଅନୁସାରେ,କେବଳ ଡିସେମ୍ବରରେ,ଦିଲ୍ଲୀର ଡାକ୍ତରଖାନା ଗୁଡ଼ିକରେ ଶ୍ୱାସକ୍ରିୟା ସମସ୍ୟାରେ ପୀଡିତ ରୋଗୀଙ୍କ ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବୃଦ୍ଧି ପାଇଛି, ଅନେକ ଏମିତି ରୋଗୀ ଥିଲେ, ଯିଏ ପ୍ରଥମ ଥର ଏଥିରେ ପୀଡ଼ିତ ହୋଇ ଥିଲେ ଏବଂ ଯୁବକ ଥିଲେ।
ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ ୨୦ବର୍ଷରୁ ଅଧିକ ଅଭିଜ୍ଞତା ଥିବା ଗୌତମ କହିଛନ୍ତି ଯେ, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ନିବାରଣ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ହୋଇ ଥିଲେ ମଧ୍ୟ, କେବଳ ଏହି ଉପାୟ ଗୁଡ଼ିକରେ କାମ ଚଳିବ ନାହିଁ। ଗୌତମ କହିଛନ୍ତି, "ଭାରତ ପୂର୍ବରୁ ଏକ ଉଦାହରଣ ସୃଷ୍ଟି କରିଛି ଯେ, ବଡ଼ ଧରଣର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ଭବ। ସରକାରୀ ପଦକ୍ଷେପ ଗୁଡ଼ିକ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ସୁଚିନ୍ତିତ ଚିକିତ୍ସା କାର୍ଯ୍ୟକ୍ରମ ମାଧ୍ୟମରେ ଯକ୍ଷ୍ମା ରୋଗର ପ୍ରଭାବକୁ ଯଥେଷ୍ଟ ହ୍ରାସ କରିଛି। ବର୍ତ୍ତମାନ,ଶ୍ୱାସକ୍ରିୟା ରୋଗ ପାଇଁ ସମାନ ଜରୁରୀ।