ଅଙ୍ଗାରକାମ୍ଳ ଗ୍ୟାସ ମାନବ ସମାଜ ପ୍ରତି ଅଭିଶାପ  ନୁହେଁ, ଏହା ପ୍ରକୃତିର ବରଦାନ । ଗ୍ରୀନହାଉସ ଗ୍ୟାସର  ପ୍ରମୁଖ ଅଂଶୀଦାର ଭାବେ ପୃଥିବୀର ତାପମାତ୍ରା  ନିୟନ୍ତ୍ରଣରେ ଏହାର ପ୍ରମୁଖ ଭୂମିକା ରହିଛି । ଗ୍ରୀନହାଉସ  ଗ୍ୟାସର ଉପସ୍ଥିତି ବିନା ପୃଥିବୀର ତାପମାତ୍ରା -୧୮  ଡିଗ୍ରୀ ସେଲସିୟସକୁ ଖସିଆସନ୍ତା । ଫଳରେ ପୃଥିବୀରେ  ଜୀବନଧାରଣ ସମ୍ଭବ ହୋଇନଥାନ୍ତା । ସେହିଭଳି  ପ୍ରକୃତିର ନିଜସ୍ୱ ଶୈଳୀ ଏବଂ ନିୟନ୍ତ୍ରଣରେ ଅଙ୍ଗାରକାମ୍ଳ  ଶୋଷଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

ଆଜିକୁ ପାଞ୍ଚ ଦଶନ୍ଧି ପୂର୍ବେ ୧୯୭୫ ମସିହାରେ  ମୁକ୍ତିଲାଭ କରିଥିବା ବ୍ୟୋମକେଶ ତ୍ରିପାଠୀଙ୍କ  ନିର୍ଦ୍ଦେଶିତ "ମମତା' ଚଳଚ୍ଚିତ୍ରରେ ଭକ୍ତକବି ମଧୁସୂଦନ  ରାଓଙ୍କ ରଚିତ କାଳଜୟୀ ଭାବ ସଂଗୀତ “ରେ ଆତ୍ମନ!  ନିଦ୍ରା ପରିହରି/ ଫେଡ଼ି ଚିନ୍ତାର ଲୋଚନ, କର କର  ନିରୀକ୍ଷଣ/ ନିଃଶବ୍ଦେ ଜୀବନ ସ୍ରୋତ ଧାଉଛି କିପରି/  ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ” ଆଜି ଏକ ସଂପୂର୍ଣ୍ଣ  ଭିନ୍ନ ପରିପ୍ରେକ୍ଷୀରେ ପ୍ରାଣରେ ଶିହରଣ ସୃଷ୍ଟିକରେ ।  ଆମ ଚାରିପଟେ ପ୍ରଦୂଷିତ ବାୟୁମଣ୍ଡଳ କିପରି ବିଷର  ଲହରୀ ସଦୃଶ ଆମକୁ ପ୍ରତି ମୁହୂର୍ତ୍ତରେ "ମୃତ୍ୟୁ ସିନ୍ଧୁର  କରାଳ ଲହରୀ' ଆଡ଼କୁ ଅଗ୍ରସର କରିନେଉଛି, ତାହା  ଆଉ ଗୋପନୀୟ ହୋଇ ରହିନାହିଁ । 

୨୦୨୫ ମସିହା  ମାର୍ଚ୍ଚ ୧ ତାରିଖରେ ବିହାରର ବେଗୁସରାଇରେ ଜନ୍ମିତ  ଶିଶୁଙ୍କ ସମେତ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି  ନିଜ ଅଜ୍ଞାତରେ ପ୍ରାୟ ତିନୋଟି ସିଗାରେଟର ଧୂଆଁ  ସେବନ କରିଛନ୍ତି । ଏହାର ଅର୍ଥ- ସେଦିନ ବେଗୁସରାଇ  ପ୍ରଦୂଷିତ ବାୟୁମଣ୍ଡଳର ସାନ୍ଧ୍ରତା ତିନୋଟି ସିଗାରେଟର  ଧୂଆଁ ସହିତ ସମାନ ଥିଲା, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ  ନୀତି ନିୟମ ସଂପର୍କିତ ନିର୍ଦ୍ଦେଶାବଳୀ ଠାରୁ ୧୦ଗୁଣ ଅଧିକ। ୨୦୨୪ ମସିହାରେ ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶ ଏବଂ ପାକିସ୍ତାନରେ ଏହି ହାର ରହିଛି ୬ଟି ସିଗାରେଟର  ଧୂଆଁ ସହିତ ସମାନ । ଆମ ଦେଶର ସବୁଠାରୁ ବାୟୁ  ପ୍ରଦୂଷିତ ସହର ମଧ୍ୟରେ ବିହାରର ବେଗୁସରାଇ ଏବଂ  ରାଜଧାନୀ ଦିଲ୍ଲୀ ଅନ୍ୟତମ । କେବଳ ପ୍ରଦୂଷିତ ବାୟୁ  ସେବନ କରିବା ଫଳରେ ପ୍ରତିବର୍ଷ ୭୦ଲକ୍ଷ ବ୍ୟକ୍ତି ଅକାଳ ମୃତ୍ୟୁବରଣ କରୁଛନ୍ତି । 

ବିଶୁଦ୍ଧ ବାୟୁ କ'ଣ? ଯେଉଁ ବାୟୁସ୍ତରରେ ମଣିଷ  ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ମଇଳା, ଆବର୍ଜନା, ଦୂଷିତ ରାସାୟନିକ ପଦାର୍ଥ ସର୍ବନିମ୍ନ ମାତ୍ରାରେ ଥାଏ, ତାହା  ହିଁ ବିଶୁଦ୍ଧ ବାୟୁ । ଏହି ବାୟୁସ୍ତର ସାଧାରଣତଃ ୭୮%  ଯବକ୍ଷାରଜାନ, ୨୧% ଅମ୍ଳଜାନ, ଅତି ଅଳ୍ପ ମାତ୍ରାରେ  ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସ ଦ୍ୱାରା ଗଠିତ । ଏହି  ବାୟୁ ସେବନ କଲାବେଳେ ଅସ୍ୱସ୍ତି ଅନୁଭବ ହୁଏନାହିଁ  କିମ୍ବା ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡେନାହିଁ ।  

ମୁଖ୍ୟତଃ ଦୁଇଟି ପଦ୍ଧତିରେ ବାୟୁର ଶୁଦ୍ଧତା ନିରୂପଣ  କରାଯାଏ : ୧) ବାୟୁ ଗୁଣବତ୍ତା ସୂଚକାଙ୍କ ((Air Quality Index- AQI) ୨) କଣିକା  ପଦାର୍ଥର ସାନ୍ଧ୍ରତା । ଥର୍ମୋମିଟର ଭଳି ଏକ ଉପକରଣ  ସହାୟତାରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧-୫୦୦  ସ୍କେଲ ମଧ୍ୟରେ ୫ଟି ବର୍ଗରେ ନିରୂପଣ କରାଯାଇଥାଏ ।  ୦-୫୦: ବିଶୁଦ୍ଧ ବାୟୁ, ୫୧-୧୦୦: ମଧ୍ୟମ, ୧୦୧- ୨୦୦: ଅସ୍ୱାସ୍ଥ୍ୟକର, ୨୦୧-୩୦୦: ଅତି ଅସ୍ୱାସ୍ଥ୍ୟକର,  ୩୦୧-୫୦୦: ବିପଦସଙ୍କୁଳ । ୨୦୨୫ ମସିହା ମାର୍ଚ୍ଚ  ୧ ତାରିଖରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଥିଲା  ୧୨୨ ପିପିଏମ୍‌ । ଏଠାରେ ପିପିଏମ୍‌ (PPM - parts per million)ର ଅର୍ଥ- ପ୍ରତି ବର୍ଗମିଟର  ବାୟୁସ୍ତରରେ ଥିବା ଧୂଳି, ଧୂଆଁ, ଦୁର୍ଗନ୍ଧ ଆଦି ଦୂଷିତ  ଗ୍ୟାସର ପରିମାଣ । ଏହି ଦୂଷିତ ଗ୍ୟାସର ପରିମାଣ  ବୃଦ୍ଧିପାଇଲେ ବାୟୁସ୍ତରର ପ୍ରଦୂଷଣ ବୃଦ୍ଧି ହୋଇଥାଏ ।  ୨) କଣିକା ପଦାର୍ଥର ସାନ୍ଧ୍ରତା: ବାୟୁସ୍ତର ହେଉଛି ବିଭିନ୍ନ  ଗ୍ୟାସ ଏବଂ ଭିନ୍ନ ଭିନ୍ନ କଠିନ କଣିକା ଓ ତରଳ ମିଶ୍ରଣର  ସମନ୍ୱିତ ସ୍ଥିତି । ଘନ ଓ ତରଳ କଣିକାର ମିଶ୍ରଣ, ସୂକ୍ଷ୍ମ  କଣିକା ଅଥବା ପାର୍ଟିକୁଲେଟ ମାଟର (Particulate Matter- PM) ନାମରେ ଅଭିହିତ । ଧୂଳି, ଧୂଆଁ  ଆଦି ଏହାର ଅନ୍ତର୍ଭୁକ୍ତ । କଣିକାର ଆକାର ଅନୁସାରେ  ଏହାର ଶ୍ରେଣୀଭୁକ୍ତ କରାଯାଏ- ସୂକ୍ଷ୍ମତମ କଣିକା  ପିଏମ୍‌-୨.୫ ଏବଂ ଅପେକ୍ଷାକୃତ ମୋଟା ଖଦଡ଼ିଆ  କଣିକା ପିଏମ୍‌-୧୦ ନାମରେ ଅଭିହିତ । ଏହାର ସାନ୍ଧ୍ରତା  ପ୍ରତି ଘନମିଟର ମାଇକ୍ରୋଗ୍ରାମ (ug/m3 ) ଏକକରେ  ପ୍ରକାଶ କରାଯାଏ । 

ଦୃଷ୍ଟାନ୍ତ ସ୍ୱରୂପ: ଚଳିତ ବର୍ଷ ମାର୍ଚ୍ଚ ୧  ତାରିଖରେ ଦିଲ୍ଲୀର ପି.ଏମ୍‌-୨.୫ ସ୍ତର ଥିଲା ୫୩ ug/m3 , ଯାହା ମଧ୍ୟମବର୍ଗ ଅନ୍ତର୍ଭୁକ୍ତ । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ ନିର୍ଦ୍ଦେଶାବଳୀ ନିୟାମକ ଆଧାରରେ କୌଣସି  ଅଞ୍ଚଳର ହାରାହାରି ବାର୍ଷିକ ସାନ୍ଧ୍ରତା ୫ ମାଇକ୍ରୋଗ୍ରାମ  ଏବଂ ସପ୍ତାହର ହାରାହାରି ଦୈନିକ ସାନ୍ଧ୍ରତା ୧୫  ମାଇକ୍ରୋଗ୍ରାମରୁ ଅଧିକ ହେଲେ ସେଠାକାର ବାୟୁସ୍ତର  ଅସ୍ୱାସ୍ଥ୍ୟକର ବିବେଚନା କରାଯିବ । ଏହି ମାନଦଣ୍ଡରେ  ଦିଲ୍ଲୀର ବାୟୁସ୍ତର ସାଧାରଣରୁ ୧୦ଗୁଣ ଅସ୍ୱାସ୍ଥ୍ୟକର ।  ଉପର ବାୟୁମଣ୍ଡଳରେ ଥିବା ଓଜୋନ ସ୍ତର ସୂର୍ଯ୍ୟଙ୍କର  ବିଷାକ୍ତ ଅତିବାଇଗଣୀ ବିକିରଣରୁ ପୃଥିବୀକୁ ସୁରକ୍ଷା  ପ୍ରଦାନ କରିଥାଏ । କିନ୍ତୁ ଭୂତଳ ସ୍ତର ଓଜୋନ ଏବଂ  ଅଙ୍ଗାରକାମ୍ଳ ଗ୍ୟାସ ହେଉଛି ବାୟୁ ପ୍ରଦୂଷଣର ପ୍ରାଥମିକ  ଉପାଦାନ । ଏଥିରେ ଚକିତ ହେବାର ବିଶେଷ କିଛି  ନାହିଁ, ଆଜିର ସମୟରେ ପୃଥିବୀର ୯୯%ରୁ ଅଧିକ  ସ୍ଥଳଭାଗର ବାୟୁସ୍ତର ପ୍ରଦୂଷିତ ଏବଂ ସେହି ହାରରେ  ୯୯% ଅଧିବାସୀ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିର୍ଦ୍ଧାରିତ  ପିଏମ୍‌-୨.୫ ସ୍ତରର ଊଦ୍ଧ୍ୱର୍ରେ ବାସ କରୁଛନ୍ତି ।

ଉତ୍ତର ମେରୁ ଓ ଦକ୍ଷିଣ ମେରୁ- ଏହା ଉଚ୍ଚାରଣ  କରିବା ମାତ୍ରେ ଅସୀମ ଅନନ୍ତ ଉଚ୍ଚ ହିମଶୈଳ ଏବଂ  ଅଲୌକିକ ଓ ନୈସର୍ଗିକ ଅନୁଭୂତି ସୃଷ୍ଟି କରୁଥିବା ଶାନ୍ତ  ପରିବେଶର ଚିତ୍ର ଆମ ଆଖିଆଗରେ ଝଲସି ଉଠେ ।  ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ଏହି ମନୋମୁଗ୍‌ଧକର  ଚିତ୍ତାକର୍ଷକ ପରିବେଶ ବିସ୍ମୟ ଆନନ୍ଦର ଗନ୍ତାଘର  କହିଲେ ଅତିରଞ୍ଜିତ ହେବନାହିଁ । କିନ୍ତୁ ଭୂମଣ୍ଡଳୀୟ  ତାପବୃଦ୍ଧି (ଗ୍ଲୋବାଲ ୱାର୍ମିଂ)ର ଶିକାର ହୋଇ ୨୦୧୬  ମସିହାରେ ଦକ୍ଷିଣ ମେରୁ ବାୟୁସ୍ତର ୪୦୦ ପିପିଏମ୍‌  ଅତିକ୍ରମ କରି ପ୍ରଦୂଷିତ ହୋଇସାରିଛି ଏବଂ ଏହା  ମାନବ ସମାଜ ପାଇଁ ଅଭିଶାପ ସଦୃଶ । ସମ୍ଭବତଃ  ଏହା ବିଶ୍ୱର ଅନ୍ତିମ ପ୍ରଦୂଷିତ ସ୍ଥାନ ଭାବେ ଚିହ୍ନଟ  କରାଯାଇପାରେ । ଫଳରେ ଆଜି ସାରା ବିଶ୍ୱ ବିଷର  ଲହରୀରେ ଆକ୍ରାନ୍ତ ହୋଇସାରିଛି । 

ଉତ୍ତର ମେରୁ  ଓ ଦକ୍ଷିଣ ମେରୁ ଅଞ୍ଚଳ ଆର୍କଟିକ ଓ ଆଣ୍ଟାର୍କଟିକା  ନାମରେ ପରିଚିତ । ଉତ୍ତର ମେରୁର ବାର୍ଷିକ ହାରାହାରି  ତାପମାତ୍ରା (-୪୦ ଡିଗ୍ରୀ ସେ.) ଏବଂ ଦକ୍ଷିଣ ମେରୁର  (-୬୦ ଡିଗ୍ରୀ ସେ.) । ତେଣୁ ଏହି ଦୁଇଟି ଅଞ୍ଚଳ  ବରଫାବୃତ୍ତ ମରୁଭୂମି ଭାବେ ପରିଚିତ । ଶୀତ ଋତୁରେ  ଏହି ଦୁଇ ଅଞ୍ଚଳ ମାସ ମାସ ଧରି ଅନ୍ଧାର ରହୁଥିବା  ବେଳେ, ଗ୍ରୀଷ୍ମଋତୁରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ।  ବରଫ ଆଚ୍ଛାଦିତ ଆଣ୍ଟାର୍କଟିକା ମହାଦେଶ ଦକ୍ଷିଣ  ମହାସାଗର ଦ୍ୱାରା ପରିବେଷ୍ଟିତ । ଆର୍କଟିକ ମୁଖ୍ୟତଃ  ଏକ ମହାସାଗର, ଯାହା "ସମୁଦ୍ର ବରଫରେ ଆଚ୍ଛାଦିତ'  ଏବଂ ତିନୋଟି ମହାଦେଶ- ଉତ୍ତର ଆମେରିକା, ଏସିଆ  ଓ ୟୁରୋପ ଦ୍ୱାରା ପରିବେଷ୍ଟିତ । 

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣତି ସ୍ୱରୂପ  ବିଶ୍ୱ ତାପମାନ ବୃଦ୍ଧି ଫଳରେ ବିଗତ ତିନି ଦଶନ୍ଧି  ମଧ୍ୟରେ ସୁମେରୁ ମହାସାଗରର ୨.୪ ମିଲିୟନ ବର୍ଗ  କିଲୋମିଟର "ସମୁଦ୍ର ବରଫ' ତରଳି ସାରିଛି ଏବଂ  ୧୯୭୦ ଦଶକରୁ ୪୦% "ସମୁଦ୍ର ବରଫ' ଲୋପ  ପାଇଛି । ପୋଲାର ବିୟର ଭଳି ଅନେକ ସାମୁଦ୍ରିକ  ଜୀବଙ୍କର ବାସସ୍ଥାନ ଉଜୁଡ଼ି ଯାଇଛି । ସମୁଦ୍ର ଆମ  ଆବଶ୍ୟକତାର ୫୦% ଅମ୍ଳଜାନ ଉତ୍ପାଦନ କରି ୨୫% ଅଙ୍ଗାରକାମ୍ଳ ଶୋଷଣ କରିଥାଏ ଏବଂ ଏହି  ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ୯୦% ଉତ୍ତାପ ମଧ୍ୟ  ଗ୍ରହଣ କରିଥାଏ । "ବରଫ ସମୁଦ୍ର'ରେ ଏହି ପରିମାଣ  ଆହୁରି ବୃଦ୍ଧି ପାଇଥାଏ । କାରଣ "ବରଫ ସମୁଦ୍ର'ର  ଥଣ୍ଡାଜଳ ବାୟୁସ୍ତରରୁ ଅଙ୍ଗରକାମ୍ଳ ଶୋଷଣ କରି  ସମୁଦ୍ରର ନିମ୍ନଭାଗରେ ଲକ୍ଷ ଲକ୍ଷ ବର୍ଷ ଧରି ସାଇତି  ରଖିଥାଏ । ସେଥିନିମନ୍ତେ ଏହା ସର୍ବବୃହତ "କାର୍ବନ  ଗନ୍ତାଘର' ନାମରେ ଏବଂ ଅନେକସ୍ଥଳରେ "କାର୍ବନ  ସମାଧି' ନାମରେ ପରିଚିତ । ବିଡ଼ମ୍ବନା, ଆର୍କଟିକ ଏବଂ  ଆଣ୍ଟାର୍କଟିକ ଅଞ୍ଚଳର ଏହି "ବରଫ ସମୁଦ୍ର' କ୍ରମଶଃ  ଲୋପ ପାଉଥିବାରୁ ବାୟୁସ୍ତରରୁ ଅଙ୍ଗାରକାମ୍ଳ ଶୋଷଣର  ପରିମାଣ ହ୍ରାସ ପାଇବାରେ ଲାଗିଛି ଏବଂ ଏଥିସହିତ  ସମୁଦ୍ର ଗର୍ଭରେ ଗଚ୍ଛିତ ଥିବା ଅଙ୍ଗାରକାମ୍ଳ ମଧ୍ୟ ବାୟୁସ୍ତରକୁ ଧୀରେ ଧୀରେ ପ୍ରବେଶ କରୁଛି । "କାର୍ବନ  ଚକ୍ର'ର ଏହି ପରିବର୍ତ୍ତନ ଏବଂ ଏହାର ଭୟଙ୍କର  ପରିଣତି ସଂପର୍କରେ ଏବେ ଗମ୍ଭୀରତାର ସହ ବିଚାର  କରିବାର ସମୟ ଆସିଛି । 

ଅଙ୍ଗାରକାମ୍ଳ ଗ୍ୟାସ ମାନବ ସମାଜ ପ୍ରତି ଅଭିଶାପ  ନୁହେଁ, ଏହା ପ୍ରକୃତିର ବରଦାନ । ଗ୍ରୀନହାଉସ ଗ୍ୟାସର  ପ୍ରମୁଖ ଅଂଶୀଦାର ଭାବେ ପୃଥିବୀର ତାପମାତ୍ରା  ନିୟନ୍ତ୍ରଣରେ ଏହାର ପ୍ରମୁଖ ଭୂମିକା ରହିଛି । ଗ୍ରୀନହାଉସ  ଗ୍ୟାସର ଉପସ୍ଥିତି ବିନା ପୃଥିବୀର ତାପମାତ୍ରା -୧୮  ଡିଗ୍ରୀ ସେଲସିୟସକୁ ଖସିଆସନ୍ତା । ଫଳରେ ପୃଥିବୀରେ  ଜୀବନଧାରଣ ସମ୍ଭବ ହୋଇନଥାନ୍ତା । ସେହିଭଳି  ପ୍ରକୃତିର ନିଜସ୍ୱ ଶୈଳୀ ଏବଂ ନିୟନ୍ତ୍ରଣରେ ଅଙ୍ଗାରକାମ୍ଳ  ଶୋଷଣ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ ପ୍ରତି  ମୁହୂର୍ତ୍ତରେ ମାତ୍ରାଧିକ ଜୀବାଶ୍ମ ଇନ୍ଧନ ଜାଳିବା ଦ୍ୱାରା ଯେଉଁ ବେଗରେ ଏବଂ ପରିମାଣର ଅଙ୍ଗାରକାମ୍ଳ ବାୟୁସ୍ତରକୁ  ପ୍ରବେଶ କରୁଛି, ପ୍ରକୃତି ପକ୍ଷେ ଏତେ ଚଞ୍ଚଳ ତାହା  ଶୋଷଣ କରିବା ସମ୍ଭବ ନୁହେଁ । ତେଣୁ ବାୟୁଚକ୍ରରେ  ଅସୁନ୍ତଳନ ସୃଷ୍ଟିହେବା ସହ ଅଙ୍ଗାରକାମ୍ଳ ମାତ୍ରା ବୃଦ୍ଧି  ପାଉଛି । ୧୯୫୦ ମସିହାରେ ବିଶ୍ୱରେ ୬ ବିଲିୟନ ଟନ୍‌  ଏବଂ ୨୦୨୦ ମସିହାରେ ୩୪ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ  ନିର୍ଗତ ହୋଇଥିଲାବେଳେ ୨୦୨୪ ମସିହାରେ  ଏହି ପରିମାଣ ୪୨ ବିଲିୟନ ଟନ୍‌କୁ ବୃଦ୍ଧି ପାଇଛି ।  

ଆଣ୍ଟାର୍କଟିକାର "ବରଫ ସମୁଦ୍ର' ବାର୍ଷିକ ୩୦ ବିଲିୟନ  ଟନ ଏବଂ ବିଶ୍ୱ ଜଙ୍ଗଲସମୂହ ବାର୍ଷିକ ୧୬ ବିଲିୟନ  ଟନ୍‌ ଅଙ୍ଗାରକାମ୍ଳ ଶୋଷଣ କରିବାର କ୍ଷମତା ଧାରଣ  କରନ୍ତି । ଏଥି ସହିତ ବୃକ୍ଷର ଡାଳ, ପତ୍ର, ଚେରମୂଳରେ  ୮୬୧ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ଗଚ୍ଛିତ ରହିଥାଏ, ଯାହା ସମୟକ୍ରମେ ସମୁଦ୍ର ବରଫର ଅନ୍ତିମଶଯ୍ୟାରେ  ଲକ୍ଷ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଗଚ୍ଛିତ ରହିପାରେ । ଯଦି  "ସମୁଦ୍ର ବରଫ' ପ୍ରତି ଦଶନ୍ଧିରେ ୧୩% ହାରରେ  ଲୋପ ପାଇଯାଏ ଏବଂ ବିଶ୍ୱ ଜଙ୍ଗଲସମୂହ ମାତ୍ରାଧିକ  ହାରରେ ଟାଙ୍ଗରା ଭୂଇଁରେ ପରିଣତ ହୋଇଯାଏ,  ତେବେ ଅଙ୍ଗାରକାମ୍ଳ ମାନବ ସମାଜ ପ୍ରତି ବିପଦ ସୃଷ୍ଟି  କରିବା ସ୍ୱାଭାବିକ । ଆନନ୍ଦର କଥା, କିଛି ବର୍ଷ ହେବ  ବିଶ୍ୱ ଜଙ୍ଗଲଜମିରେ ଉନ୍ନତି ଘଟିଛି । କିନ୍ତୁ ଯେପର୍ଯ୍ୟନ୍ତ  ଆମେ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ସଂପୂର୍ଣ୍ଣ ଭାବେ ସବୁଜ  ଶକ୍ତି ଉପରେ ନିର୍ଭର ନକରିଛନ୍ତି, ସେପର୍ଯ୍ୟନ୍ତ ପ୍ରଦୂଷିତ ବାୟୁସ୍ତରରୁ ମୁକ୍ତି ମିଳିବନାହିଁ ।