ନୂଆଦିଲ୍ଲୀ, ୨୫।୩: ମୋବାଇଲ୍ ନେଟୱାର୍କ ଦୁନିଆରେ ଏକ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ଏଲନ ମସ୍କଙ୍କ କମ୍ପାନୀ 'ଷ୍ଟାରଲିଙ୍କ' ଏବଂ ଭାରତୀ ଏୟାରଟେଲ୍ । ଆଫ୍ରିକାରେ ଦୁଇ କମ୍ପାନୀ ମିଶି ଏକ ଏମିତି ପରୀକ୍ଷଣ କରିଛନ୍ତି, ଯାହା ଆଗାମୀ ଦିନରେ ନେଟୱାର୍କ ସମସ୍ୟାକୁ ସବୁଦିନ ପାଇଁ ଶେଷ କରିଦେବ । ଏବେ ପାହାଡ଼ ହେଉ କି ଜଙ୍ଗଲ, ସବୁଠି ଆପଣଙ୍କ ସ୍ମାର୍ଟଫୋନରେ ଫୁଲ୍ ନେଟୱାର୍କ ରହିବ । ସାଧାରଣତଃ ମୋବାଇଲ୍ ଚଲାଇବା ପାଇଁ ଆମକୁ ନିକଟସ୍ଥ ଟାୱାର ଉପରେ ନିର୍ଭର କରିବାକୁ ପଡ଼ିଥାଏ । କିନ୍ତୁ, ଏହି ନୂଆ ଟେକ୍ନୋଲୋଜିରେ ଆପଣଙ୍କ ଫୋନ୍ ସିଧାସଳଖ ସାଟେଲାଇଟ୍ ସହିତ କନେକ୍ଟ ହେବ । ଆପଣଙ୍କ ପାଖରେ ଥିବା ସାଧାରଣ ସ୍ମାର୍ଟଫୋନରେ ହିଁ ଏହି ସେବା ମିଳିବ । ଯେଉଁ ଅଞ୍ଚଳରେ ଟାୱାର ବସାଇବା ସମ୍ଭବ ନୁହେଁ, ସେଠାରେ ମଧ୍ୟ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଚାଲିବ ।
ପରୀକ୍ଷଣରୁ କ’ଣ ମିଳିଲା ଫଳାଫଳ ?
ଆଫ୍ରିକାରେ କରାଯାଇଥିବା ଏହି ଟେଷ୍ଟିଂ ସମୟରେ କେବଳ ଇଣ୍ଟରନେଟ୍ ନୁହେଁ, ବରଂ ହ୍ୱାଟ୍ସଆପ୍ ଭଳି ଆପ୍ ମାଧ୍ୟମରେ କଲିଂ ମଧ୍ୟ କରାଯାଇଛି । ଏପରିକି ଏୟାରଟେଲ୍ ଆପ୍ ବ୍ୟବହାର କରି ବିନା କୌଣସି ବାଧାରେ ଟଙ୍କା କାରବାର ମଧ୍ୟ ସଫଳତାର ସହ କରାଯାଇଛି । ଆଫ୍ରିକାର ୧୪ଟି ଦେଶରେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ ଗ୍ରାହକଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ । ଏହାର ମୁଖ୍ୟ କାରଣଗୁଡ଼ିକ ହେଲା:
ଲାଇସେନ୍ସ ପ୍ରକ୍ରିୟା: ଭାରତରେ ଷ୍ଟାରଲିଙ୍କ୍କୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ୟବସାୟିକ ଅନୁମତି ମିଳିନାହିଁ ।
ସରକାରୀ ନିୟମ: ସାଟେଲାଇଟ୍ ସ୍ପେକ୍ଟ୍ରମ୍ ବଣ୍ଟନକୁ ନେଇ ସରକାରୀ ସ୍ତରରେ ନିଷ୍ପତ୍ତି ପ୍ରକ୍ରିୟା ଜାରି ରହିଛି ।
ଷ୍ଟାରଲିଙ୍କ୍ର ପ୍ରବେଶ: ଭାରତରେ ଷ୍ଟାରଲିଙ୍କ୍ ସେବା ଆରମ୍ଭ ହେବା ମାତ୍ରେ ଏୟାରଟେଲ୍ ଭଳି କମ୍ପାନୀଗୁଡ଼ିକ ଏହି ଟେକ୍ନୋଲୋଜିକୁ ତୁରନ୍ତ ଲାଗୁ କରିବାକୁ ପ୍ରସ୍ତୁତ ଅଛନ୍ତି ।
ବିଶେଷଜ୍ଞଙ୍କ ମତରେ, "ଆଗାମୀ କିଛି ବର୍ଷ ମଧ୍ୟରେ 'ନୋ ନେଟୱାର୍କ' ବା 'ଅଫଲାଇନ୍' ଭଳି ଶବ୍ଦ ଇତିହାସ ହୋଇଯିବ । ସାଟେଲାଇଟ୍ ଲିଙ୍କ୍ ମାଧ୍ୟମରେ ଦୁନିଆର ପ୍ରତିଟି କୋଣରେ ନେଟୱାର୍କ ପହଞ୍ଚିପାରିବ ।"