କୋଲକାତା,୨୨।୨:  ନିଜର ବିବାଦୀୟ ବୟାନ ଦେବା ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସର ନେତା ମଣି ଶଙ୍କର ଆୟାର ପୁଣିଥରେ ଚର୍ଚ୍ଚାରେ। ଏଥର ଚର୍ଚ୍ଚା ତାଙ୍କର ବିବାଦୀୟ ମନ୍ତବ୍ୟ ଉପରେ ନୁହେଁ, ବରଂ ତାଙ୍କ ନିଜ ଭୟ ଉପରେ,ଯାହା ତାଙ୍କୁ ନିଜ ଦଳଭିତରେ ଅନୁଭବ ହେଉଛି। କୋଲକାତାରେ ଏକ ଆଲୋଚନା ସମୟରେ ଆୟାର ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ସେ କହିଛନ୍ତି କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ତାଙ୍କୁ ଦଳରୁ ବହିଷ୍କାର କରିବାକୁ ପ୍ରସ୍ତୁତି କରୁଛନ୍ତି।

ଆୟାର ସ୍ପଷ୍ଟ କରି କହିଛନ୍ତି ଯେ, ମୁଁ ନିଜକୁ ଜଣେ କଂଗ୍ରେସ କର୍ମୀ ବୋଲି ମାନିଥାଏ, କିନ୍ତୁ କେ.ସି. ଭେନୁଗୋପାଳଙ୍କ ବୟାନ ସୂଚାଇ ଦେଉଛି ଯେ ମୋତେ ବହିଷ୍କାର କରିବାର ନିଷ୍ପତ୍ତି ନିଆଯାଇଛି ନଚେତ୍ ପ୍ରକ୍ରିୟା ଚାଲିଛି। ଯଦିଓ ସେ ଏପର୍ଯ୍ୟନ୍ତ ଔପଚାରିକ ଭାବରେ ବହିଷ୍କାର ପତ୍ର ପାଇନାହାଁନ୍ତି, କିନ୍ତୁ ଏହା ବାସ୍ତବରେ ଦେଖାଯାଉଛି ଯେ ତାଙ୍କର ଆଉ କଂଗ୍ରେସ ସହିତ କୌଣସି ସମ୍ପର୍କ ନାହିଁ।

ପୁରା କଂଗ୍ରେସ ଦିଦିଙ୍କ ପାଖରେ...

ଆୟର କେବଳ ନିଜ ଭବିଷ୍ୟତ ବିଷୟରେ ନୁହେଁ ବରଂ ପଶ୍ଚିମବଙ୍ଗ ରାଜନୀତି ବିଷୟରେ ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦୃଢ଼ ସମର୍ଥନ କରି କହିଥିଲେ ଯେ ପଶ୍ଚିମବଙ୍ଗରେ ଆଜି ପ୍ରକୃତ କଂଗ୍ରେସ ଦଳ ମମତା ଦିଦିଙ୍କ ଉପରେ ନିର୍ଭର କରୁଛି। ସେ ବ୍ୟଙ୍ଗାତ୍ମକ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ଅଧୀର ରଞ୍ଜନ ଚୌଧୁରୀଙ୍କ ଭଳି କିଛି ନେତାଙ୍କୁ ଛାଡ଼ି ଦେଲେ, ବଙ୍ଗର ପ୍ରାୟ ସମସ୍ତ କଂଗ୍ରେସ ନେତା ମମତା ବାନାର୍ଜୀଙ୍କ ସହ ଯାଇ ସାରିଛନ୍ତି। ସେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କୁ ଶୁଭକାମନା ଜଣାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ ସେ ବିଜେପିକୁ ଏକ ଜବରଦସ୍ତ ଜୋରଦାର ଜବାବ୍ ଦେବେ, ଯେପରି ସେମାନେ ମୁହଁ ଦେଖାଇ ପାରିବେନି।’

ଟିଏମସିର ଡାହାଣ ହାତରୁ କଂଗ୍ରେସ ବିଦ୍ରୋହୀ...

ମଣି ଶଙ୍କର ଆୟାର କହିଥିଲେ, ସେ ଡିସେମ୍ବର ୧୯୯୭ ରେ ଟିଏମସିରେ ଯୋଗ ଦେଇଥିଲେ ଏବଂ ମାତ୍ର ତିନି ସପ୍ତାହ ପାଇଁ ମମତା ବାନାର୍ଜୀଙ୍କ ଜାତୀୟ ସଚିବ ଏବଂ ଡାହାଣ ହାତ ଭାବରେ କାର୍ଯ୍ୟ କରିଥିଲେ। ତଥାପି, ସେ ଶୀଘ୍ର ଅନୁଭବ କରିଥିଲେ ଯେ ଟିଏମସି ମୁଖ୍ୟତଃ ଏକ ବଙ୍ଗାଳୀ ଦଳ ଏବଂ ଜଣେ ଅଣବଙ୍ଗାଳୀ ଭାବରେ, ସେଠାରେ ତାଙ୍କର ଭବିଷ୍ୟତ ସୀମିତ। ସେ କଂଗ୍ରେସକୁ ଫେରି ଆସିଲେ।

କ’ଣ ରହିଛିରାଜନୈତିକ ପ୍ରଭାବ?

ମଣି ଶଙ୍କର ଆୟାରଙ୍କ ବୟାନ ଏପରି ଏକ ସମୟରେ ଆସିଛି ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନ ଏବଂ ନେତୃତ୍ୱକୁ ନେଇ ବିବାଦ ଚାଲିଛି। ମମତା ବାନାର୍ଜୀଙ୍କ ପ୍ରତି ଆୟାରଙ୍କ ସମର୍ଥନ ଏବଂ ରାଜ୍ୟ କଂଗ୍ରେସ ନେତୃତ୍ୱ (ବିଶେଷକରି ଅଧିର ରଞ୍ଜନ ଚୌଧୁରୀ ଗୋଷ୍ଠୀ) ପାଇଁ ଏକ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିପାରେ। ଏହା ପୂର୍ବରୁ ଆୟର ‘ନୀଚ ଲୋକ’ ଏବଂ ‘ଚାଏୱାଲା’ ଭଳି ବୟାନ ନିର୍ବାଚନ ସମୟରେ କଂଗ୍ରେସକୁ ଯଥେଷ୍ଟ କ୍ଷତି ପହଞ୍ଚାଇଛି, ଯେଉଁଥିପାଇଁ ହୁଏତ ଦଳର ହାଇକମାଣ୍ଡ ଏବେ ତାଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି।