ନୂଆଦିଲ୍ଲୀ,୩୧/୦୧: ଗତ ୨୮ ତାରିଖରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଥିରେ ବିମାନର ପାଇଲଟ ସୁମିତ କପୁର, ସହପାଇଲଟ ସମ୍ଭାବୀ ପାଠକ, ଫ୍ଲାଇଟ ଆଟେଣ୍ଡାଣ୍ଟ ପିଙ୍କି ମାଲି, ପାୱାରଙ୍କ ସୁରକ୍ଷାକର୍ମୀ ବିଦିପ ଯାଦବଙ୍କ ମଧ୍ୟ ଜୀବନ ଯାଇଛି । ବିମାନର କମାଣ କ୍ୟାପଟେନ୍ ସୁମିତଙ୍କ ହାତରେ ଥିଲା । ଶେଷ ମୂହୁର୍ତ୍ତରେ ସୁମିତ ବିମାନ ଉଡ଼ାଇବାକୁ ସ୍ଥିର ହୋଇଥିଲା । କାରଣ ଅଜିତଙ୍କ ମୁଖ୍ୟ ପାଇଲଟ ଟ୍ରାଫିକରେ ଫସିଥିଲେ । ବାରାମତୀ ପ୍ଲେନ କ୍ରାସର ୩ ଦିନ ପରେ ସୁମିତଙ୍କ ସାଙ୍ଗ କିଛି ଏମିତି କହିଛନ୍ତି ।
ରିପୋର୍ଟ ଅନୁସାରେ ଦୁର୍ଘଟଣା ଦିନ ବିମାନ ଉଡ଼ାଣ ଦାୟିତ୍ୱ ସୁମିତଙ୍କର ନ ଥିଲା । ସୁମିତଙ୍କ ସାଙ୍ଗଙ୍କ କହିବା ଅନୁସାରେ, ବିମାନର ପାଇଲଟ ଜଣକ ଟ୍ରାଫିକ୍ରେ ଫସିଥିଲେ । ସୁମିତ କିଛି ଦିନ ପୂର୍ବରୁ ହଂକଂରୁ ଫେରିଥିଲେ । ଅଜିତଙ୍କ ପାଇଲଟଙ୍କ ବିଳମ୍ବ ହେବା କାରଣରୁ ବିମାନ ଉଡ଼ାଣର କିଛି ଘଣ୍ଟା ପୂର୍ବରୁ ହିଁ ସୁମିତଙ୍କୁ ବିମାନ ଉଡ଼ାଣ ଲାଗି ନିର୍ଦ୍ଦେଶ ମିଳିଥିଲା । ସୁମିତ ଜଣେ ବରିଷ୍ଠ ଏବଂ ଅଭିଜ୍ଞ ପାଇଲଟ ଥିଲେ । ଦୁର୍ଘଟଣା ପରେ ସମସ୍ତଙ୍କ ଶରୀର ଭୟଙ୍କର ଭାବେ ଜଳିଯାଇଥିଲା । ସୁମିତ ହାତରେ ପିନ୍ଧିଥିବା ବ୍ରେସଲେଟରୁ ତାଙ୍କୁ ଚିହ୍ନଟ କରାଯାଇଥିଲା । ସୁମିତଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ବୃଦ୍ଧ ବାପା, ପୁଅ ଶିବ ଏବଂ ଝିଅ ସାନ୍ୟା ଅଛନ୍ତି । ତାଙ୍କ ପୁଅ ଏବଂ ଜ୍ୱାଇଁ ମଧ୍ୟ ପାଇଲଟ । ଆସନ୍ତା ମାସରେ ସୁମିତଙ୍କ ପୁଅଙ୍କ ବିବାହ ହୋଇଥାନ୍ତା । ପରିବାର ଲୋକେ ଏଥିପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । କିନ୍ତୁ ଅଚାନକ ଏହି ଘଟଣା ପୂରା ପରିବାରକୁ ଶୋକରେ ବୁଡ଼ାଇ ଦେଇଛି ।
ଏହା ବି ପଢନ୍ତୁ...'ଆମ ପ୍ଲେନ୍ ଯଦି ସୁରକ୍ଷିତ ଲ୍ୟାଣ୍ଡିଂ କରେ ଜାଣିବ'...; ମହିଳା ପାଇଲଟଙ୍କୁ ନେଇ ଅଜିତ ପାୱାରଙ୍କ ପୁରୁଣା ପୋଷ୍ଟ ଭାଇରାଲ
ଗତ ବୁଧବାର ବାରାମତୀରେ ଏକ ଜନସଭାକୁ ସମ୍ବୋଧନ ପାଇଁ ଯାଉଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦିବଂଗତ ଅଜିତ ପାୱାର ଚାର୍ଟାର୍ଡ ବିମାନରେ ଯାତ୍ରା କରିଥିଲେ । ପ୍ଲେନ୍ରେ ଅଜିତଙ୍କ ସମେତ ୫ ଜଣ ଥିଲେ । ଖରାପ ପାଗ ଏବଂ କମ୍ ଦୃଶ୍ୟତାକୁ ବିମାନଟି ଅବତରଣ କରିପାରିନଥିଲା । ଦୁର୍ଘଟଣାର ସମ୍ଭାବ୍ୟ କାରଣ ଭାବରେ ଖରାପ ପାଗ ଓ କୁହୁଡିକୁ ଦର୍ଶାଯାଉଛି । ଯଦିଓ ବନ୍ଧୁ ଅଭିଜ୍ଞ ପାଇଲଟ ତ୍ରୁଟିର ସମ୍ଭାବନାକୁ ଖାରଜ କରିଛନ୍ତି । ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେପଟେ ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ମିଳିଛି । ଦୁର୍ଘଟଣାର କାରଣ ସଂପର୍କରେ ଜାଣିବାକୁ ତାର ଯାଞ୍ଚ କରାଯିବ ।