କଟକ ୧୧/୦୯: ଦୁର୍ଗାପୂଜାରେ ଚାନ୍ଦି ଓ ସୁନାର ତାରକସି ମେଢ଼ କାମ ପ୍ରାୟ ଅନେକ ମଣ୍ଡପରେ ଦେଖିବାକୁ ମିଳେ । ଏହା ସତ୍ତେ୍ୱ ଜରି ମେଢ଼ର ଚାହିଦା ବି କମି ନାହିଁ । ଏବେ ବି ସହରର ଅନେକ ପୂଜା ମଣ୍ଡପରେ ଜରିର ମେଢ଼, ମୁକୁଟ ଓ ଅଳଙ୍କାର ମୂର୍ତ୍ତିମାନଙ୍କରେ ଶୋଭା ପାଉଛି । ଏହି ଜରିର କାମ ଅନେକ ହିନ୍ଦୁ କାରିଗର କରୁଥିବା ବେଳେ ଭାଇଚାରାର ସହର କଟକରେ ଏ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ବାଙ୍କାବଜାର ଚୂନଭାଟି ଅଞ୍ଚଳର ସୟଦ୍ ଅସଲମ୍ ଅଲ୍ଲୀ(୫୩) । ଦୀର୍ଘ ତିନି ପିଢ଼ି ଧରି ଅଲ୍ଲୀଙ୍କ ପରିବାର ଦୁର୍ଗାପୂଜା ସମୟରେ ମା’ଙ୍କ ପାଇଁ ଜରିମେଢ଼ କାମ କରିଆସୁଛନ୍ତି ।
ସୟଦ୍ଙ୍କ ଆକର୍ଷଣୀୟ ଓ ନିଖୁଣ କାରିଗରି ପାଇଁ ସହର ତଥା ସହର ବାହାରେ ମେଢ଼ କାମ ପାଇଁ ସେ ବେଶ୍ ଚର୍ଚ୍ଚାରେ । ଦୁର୍ଗା ପୂଜା ଆସିଲେ ବିଭିନ୍ନ ଜାଗାରୁ ତାଙ୍କ ପାଖକୁ ଜରି ମେଢ଼ ପାଇଁ ଲୋକେ ଆସନ୍ତି । ଏବେ ପୂରା ପରିବାର ଦେବୀଙ୍କ ମେଢ଼, ମୁକୁଟ, ଅଳଙ୍କାର ଓ ଅସ୍ତ୍ର ତିଆରି କରିବାରେ ବ୍ୟସ୍ତ ରହିଛନ୍ତି । ସକାଳ ୯ରୁ ରାତି ୧୦ ଟା ପର୍ଯ୍ୟନ୍ତ କାମରେ ବ୍ୟସ୍ତ ରହୁଛନ୍ତି ବୋଲି ସୟଦ୍ କହିଛନ୍ତି । ଗୋଟିଏ ମେଢ଼ ତିଆରି କରିବାକୁ ଦେଢ଼ ମାସ ସମୟ ଲାଗେ । ବାଉଁଶ, ଡ୍ରଇଁ ପେପର୍, ଚୁମ୍କି, ମାଳି, ଜମ୍ବୁରା, ଭେଲ୍ଭେଟ୍ କାଗଜ ଓ କପଡ଼ା, ଅଠା, ପ୍ଳେଟ୍, ଲେସ୍ ଓ ସୂତାକୁ ବ୍ୟବହାର କରି ମେଢ଼ ତିଆରି କରନ୍ତି । ଏହି ମେଢ଼ ୧୦ରୁ ଆରମ୍ଭ ହୋଇ ୨୨ ଫୁଟ୍ ପର୍ଯ୍ୟନ୍ତ ରହିଛି । ଏହାର ଦାମ୍ ୬୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ।
ସେହିପରି ମୁକୁଟ ଓ ଅଳଙ୍କାର ଗୁଡ଼ିକ ସୁନ୍ଦର କାରୁକାର୍ଯ୍ୟ ଯୋଗୁ ଦୂରରୁ ସୁନା ଓ ଚାନ୍ଦି ଭଳି ଦେଖାଯାଏ । ଏବର୍ଷ କଟକ ସହର, ସହର ଉପକଣ୍ଠ ଅଞ୍ଚଳ ଏବଂ ରାଜଧାନୀ ଭୁବନେଶ୍ୱର ମଣ୍ଡପରେ କାମ କରିବାର ଅର୍ଡର ମିଳିଛି । କେବଳ ସେତିକି ନୁହେଁ, ରାଜ୍ୟ ବାହାରୁ ବି ଅର୍ଡର ଆସୁଛି । ଏଥର ଭୁବନେଶ୍ୱରର ଲକ୍ଷ୍ମୀସାଗର ମଣ୍ଡପ, ଏକ ନମ୍ବର ମାର୍କେଟ ଓ ଝାରପଡ଼ା, ରାଉରକେଲାର ସେକ୍ଟର-୧,୨ ଓ ୮ ନମ୍ବର, ଆମ୍ବାଗାନ ଓ ଡେଲି ମାର୍କେଟ, ଭଞ୍ଜନଗର ଓ ବନଜାରା ହିଲ୍ସ୍ ଏବଂ ଏବଂ ହାଇଦ୍ରାବାଦ୍ର ଟିଆରଏସ୍ ଭବନ ଆଦି ପୂଜା ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଜରି ମେଢ଼ ପାଇଁ ଆଗୁଆ କାମ ମିଳିଛି । ଏଥିପାଇଁ ପୂରା ପରିବାର ଲୋକମାନେ କାମରେ ଲାଗିଛନ୍ତି । ୧୩ ଜଣ କାରିଗର ଏଥିରେ ନିୟୋଜିତ ଅଛନ୍ତି ।
ଏ ସଂପର୍କରେ ସୟଦ୍ ଅସଲମ୍ କହିଛନ୍ତି, ମୁଁ ୭ ବର୍ଷ ବୟସରୁ ଜେଜେବାପା ଓ ବାପା କରୁଥିବା କାମ ମୁଁ ବସି ଦେଖୁଥିଲି । ଧୀରେ ଧୀରେ ସେମାନଙ୍କୁ କାମରେ ସାହାଯ୍ୟ କରି ମୁଁ ବି ଏହି କାମ ଶିଖିଗଲି । ଏବେ ଏହା ଆମ ପରିବାରର ଏକ କୁଳବେଉସା । ପତ୍ନୀ ଫତିମା ବେଗମ୍ କହନ୍ତି, ମୋ ବାହାଘରକୁ ୩୧ ବର୍ଷ ହେଲାଣି । ବାହାଘର ପୂର୍ବରୁ ମୁଁ ଏଇ କାମ କିଛି ଜାଣି ନ ଥିଲି । ଏଠାକୁ ଆସିଲା ପରେ ଘରକାମ ସରିବା ପରେ ବାକି ସମୟରେ ସ୍ୱାମୀ ଯେଉଁ କାମ କରନ୍ତି ବସିକି ଦେଖେ । ଦରକାର ପଡ଼ିଲେ କିଛି ସାହାଯ୍ୟ କରେ । ପରେ ଧୀରେ ଧୀରେ ଏହି କାମ କରିବା ଶିଖିଗଲି । ଏମିତି ୨୦ ବର୍ଷ ହେବ କରି ଆସୁଛି ।