କଟକ ୧୧/୦୯: ଦୁର୍ଗାପୂଜାରେ ଚାନ୍ଦି ଓ ସୁନାର ତାରକସି ମେଢ଼ କାମ  ପ୍ରାୟ ଅନେକ ମଣ୍ଡପରେ ଦେଖିବାକୁ ମିଳେ । ଏହା ସତ୍ତେ୍ୱ ଜରି ମେଢ଼ର ଚାହିଦା ବି କମି ନାହିଁ । ଏବେ ବି ସହରର ଅନେକ ପୂଜା ମଣ୍ଡପରେ ଜରିର ମେଢ଼, ମୁକୁଟ ଓ  ଅଳଙ୍କାର ମୂର୍ତ୍ତିମାନଙ୍କରେ ଶୋଭା ପାଉଛି । ଏହି  ଜରିର କାମ ଅନେକ ହିନ୍ଦୁ କାରିଗର କରୁଥିବା ବେଳେ ଭାଇଚାରାର ସହର କଟକରେ  ଏ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ବାଙ୍କାବଜାର ଚୂନଭାଟି ଅଞ୍ଚଳର ସୟଦ୍‌  ଅସଲମ୍‌ ଅଲ୍ଲୀ(୫୩) । ଦୀର୍ଘ ତିନି ପିଢ଼ି  ଧରି ଅଲ୍ଲୀଙ୍କ ପରିବାର ଦୁର୍ଗାପୂଜା ସମୟରେ  ମା’ଙ୍କ ପାଇଁ ଜରିମେଢ଼ କାମ କରିଆସୁଛନ୍ତି ।  

ସୟଦ୍‌ଙ୍କ ଆକର୍ଷଣୀୟ ଓ ନିଖୁଣ  କାରିଗରି ପାଇଁ ସହର ତଥା ସହର ବାହାରେ  ମେଢ଼ କାମ ପାଇଁ ସେ ବେଶ୍‌ ଚର୍ଚ୍ଚାରେ । ଦୁର୍ଗା  ପୂଜା ଆସିଲେ ବିଭିନ୍ନ ଜାଗାରୁ ତାଙ୍କ ପାଖକୁ ଜରି  ମେଢ଼ ପାଇଁ ଲୋକେ ଆସନ୍ତି । ଏବେ ପୂରା ପରିବାର  ଦେବୀଙ୍କ ମେଢ଼, ମୁକୁଟ, ଅଳଙ୍କାର ଓ ଅସ୍ତ୍ର ତିଆରି  କରିବାରେ ବ୍ୟସ୍ତ ରହିଛନ୍ତି । ସକାଳ ୯ରୁ ରାତି ୧୦ ଟା  ପର୍ଯ୍ୟନ୍ତ କାମରେ ବ୍ୟସ୍ତ ରହୁଛନ୍ତି ବୋଲି ସୟଦ୍‌ କହିଛନ୍ତି ।  ଗୋଟିଏ ମେଢ଼ ତିଆରି କରିବାକୁ ଦେଢ଼ ମାସ ସମୟ  ଲାଗେ । ବାଉଁଶ, ଡ୍ରଇଁ ପେପର୍‌, ଚୁମ୍‌କି, ମାଳି, ଜମ୍ବୁରା,  ଭେଲ୍‌ଭେଟ୍‌ କାଗଜ ଓ କପଡ଼ା, ଅଠା, ପ୍ଳେଟ୍‌, ଲେସ୍‌ ଓ  ସୂତାକୁ ବ୍ୟବହାର କରି ମେଢ଼ ତିଆରି କରନ୍ତି । ଏହି ମେଢ଼  ୧୦ରୁ ଆରମ୍ଭ ହୋଇ ୨୨ ଫୁଟ୍‌ ପର୍ଯ୍ୟନ୍ତ ରହିଛି । ଏହାର ଦାମ୍‌  ୬୦ ହଜାରରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ।

ସେହିପରି ମୁକୁଟ  ଓ ଅଳଙ୍କାର ଗୁଡ଼ିକ ସୁନ୍ଦର କାରୁକାର୍ଯ୍ୟ ଯୋଗୁ ଦୂରରୁ ସୁନା  ଓ ଚାନ୍ଦି ଭଳି ଦେଖାଯାଏ । ଏବର୍ଷ କଟକ ସହର, ସହର  ଉପକଣ୍ଠ ଅଞ୍ଚଳ ଏବଂ ରାଜଧାନୀ ଭୁବନେଶ୍ୱର ମଣ୍ଡପରେ  କାମ କରିବାର ଅର୍ଡର ମିଳିଛି । କେବଳ ସେତିକି ନୁହେଁ,  ରାଜ୍ୟ ବାହାରୁ ବି ଅର୍ଡର ଆସୁଛି । ଏଥର ଭୁବନେଶ୍ୱରର  ଲକ୍ଷ୍ମୀସାଗର ମଣ୍ଡପ, ଏକ ନମ୍ବର ମାର୍କେଟ ଓ ଝାରପଡ଼ା,  ରାଉରକେଲାର ସେକ୍ଟର-୧,୨ ଓ ୮ ନମ୍ବର, ଆମ୍ବାଗାନ  ଓ ଡେଲି ମାର୍କେଟ, ଭଞ୍ଜନଗର ଓ ବନଜାରା ହିଲ୍ସ୍‌ ଏବଂ  ଏବଂ ହାଇଦ୍ରାବାଦ୍‌ର ଟିଆରଏସ୍‌ ଭବନ ଆଦି ପୂଜା  ଅନୁଷ୍ଠାନ ଗୁଡ଼ିକ ପକ୍ଷରୁ ଜରି ମେଢ଼ ପାଇଁ ଆଗୁଆ କାମ  ମିଳିଛି । ଏଥିପାଇଁ ପୂରା ପରିବାର ଲୋକମାନେ କାମରେ  ଲାଗିଛନ୍ତି । ୧୩ ଜଣ କାରିଗର ଏଥିରେ ନିୟୋଜିତ ଅଛନ୍ତି ।  

ଏ ସଂପର୍କରେ ସୟଦ୍‌ ଅସଲମ୍‌ କହିଛନ୍ତି, ମୁଁ ୭ ବର୍ଷ  ବୟସରୁ ଜେଜେବାପା ଓ ବାପା କରୁଥିବା କାମ ମୁଁ ବସି  ଦେଖୁଥିଲି । ଧୀରେ ଧୀରେ ସେମାନଙ୍କୁ କାମରେ ସାହାଯ୍ୟ  କରି ମୁଁ ବି ଏହି କାମ ଶିଖିଗଲି । ଏବେ ଏହା ଆମ  ପରିବାରର ଏକ କୁଳବେଉସା । ପତ୍ନୀ ଫତିମା ବେଗମ୍‌  କହନ୍ତି, ମୋ ବାହାଘରକୁ ୩୧ ବର୍ଷ ହେଲାଣି । ବାହାଘର  ପୂର୍ବରୁ ମୁଁ ଏଇ କାମ କିଛି ଜାଣି ନ ଥିଲି । ଏଠାକୁ ଆସିଲା  ପରେ ଘରକାମ ସରିବା ପରେ ବାକି ସମୟରେ ସ୍ୱାମୀ  ଯେଉଁ କାମ କରନ୍ତି ବସିକି ଦେଖେ । ଦରକାର ପଡ଼ିଲେ  କିଛି ସାହାଯ୍ୟ କରେ । ପରେ ଧୀରେ ଧୀରେ ଏହି କାମ  କରିବା ଶିଖିଗଲି । ଏମିତି ୨୦ ବର୍ଷ ହେବ କରି ଆସୁଛି ।