କଟକ,୦୫/୧୧: ଅଦ୍ଭୁତ ଓ ଆକର୍ଷଣୀୟ ଫୁଲ, ଫଳ ଗଛ । ତା ସହିତ ପଣ୍ଡୋରାର ଦୁନିଆରେ ରହୁଥିବା ଏଲିୟନ୍‌ଙ୍କ ଭଳି ବେଶଭୂଷା ଲୋକ । ଏହି ସବୁ ମଧ୍ୟରେ କାଚ ଓ ଲାଇଟ୍‌ କାରୁକାର୍ଯ୍ୟରେ ତିଆରି ହେବ ଏକ ନିଆରା ଦୁନିଆ । ଚଳିତ ବର୍ଷ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଅବ୍‌ତାର୍‌ ଫିଲ୍ମ ସଦୃଶ ଏଲିଅନ୍‌ ଦୁନିଆ ବୁଲି ଆନନ୍ଦ ଅନୁଭବ କରିବେ ଦର୍ଶକ । ବାଲିଯାତ୍ରାକୁ  ଅଣାଯାଇଛି ଅନନ୍ତ ଦୁନିଆ ବୋଲାଉଥିବା  ସ୍ୱତନ୍ତ୍ର ସୋ’ । କଟକ ଇନ୍‌ କଟକ ଏବଂ  ଓରମାସ୍‌ ମଝିରେ ଏହି ଆକର୍ଷଣୀୟ ଦୁନିଆର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । 

ପ୍ରତିବର୍ଷ ବାଲିଯାତ୍ରା ଆସିବା ମାତ୍ରେ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ  ମିଳିଥାଏ । ଏଥର ବାଲିଯାତ୍ରାରେ କ’ଣ ନୂଆ ରହିଛି ତା ଉପରେ ସମସ୍ତଙ୍କ ନଜର ରହିଥାଏ । ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି  ଦୋଳି ମହାସଂଘ ପକ୍ଷରୁ ଗତ କିଛି ବର୍ଷ ହେବ  ନୂଆ ନୂଆ କାର୍ଯ୍ୟକ୍ରମ କରାଯାଇଥାଏ । ଗତବର୍ଷ  ବାଲିଯାତ୍ରାରେ ଟନେଲ୍‌ ଆକ୍ୱାରିୟମ୍‌ରେ ପ୍ରବଳ  ଭିଡ଼ ହୋଇଥିଲା । ଲୋକମାନେ ପଡିଆରେ ମେଳା ବୁଲିବା ସହିତ ଟନେଲ୍‌ରେ ଏକ ନିଆରା  ଅନୁଭବ ନେଇଥିଲେ । ଏ ବର୍ଷ ଓଡ଼ିଶାକୁ  ପ୍ରଥମ ଥର ବାଲିଯାତ୍ରାରେ ଦେଖିବାକୁ ମିଳିବ  ଅନନ୍ତ ଦୁନିଆ ତଥା ଏଲିୟନ୍‌ଙ୍କ ଦୁନିଆ ।  

ହଲିଉଡ୍‌ର ଲୋକପ୍ରିୟ ଫିଲ୍ମ ‘ଅବ୍‌ତାର୍‌’ରେ  ଦର୍ଶକଙ୍କ ଦେଖାଯାଇଥିବା ପଣ୍ଡୋରା ଭଳି  ଏଲିୟନ୍‌ଙ୍କ ଦୁନିଆକୁ ଏବେ ପରଦା  ବଦଳରେ ସତରେ ଲୋକଙ୍କୁ ଦେଖାଇବାକୁ  ଉଦ୍ୟମ କରାଯାଉଛି । ଏଥିରେ ସେହି  ଦୁନିଆର ଗଛ ଲତା ସହିତ ଲୋକମାନଙ୍କୁ  ମଧ୍ୟ ସେହିଭଳି ବେଶଭୂଷା ଦିଆଯିବ ।  ଯେଉଁଠି ଲୋକମାନେ କିଛି ସମୟ ପାଇଁ  ସମ୍ପୂର୍ଣ୍ଣ ଅଲଗା ଦୁନିଆର ଅନୁଭବ କରିବେ ।  ଏଥିରେ କାଚ ଓ ଲାଇଟ୍‌ରେ ସ୍ୱତନ୍ତ୍ର କାରୁକାର୍ଯ୍ୟ  ରହିଛି । ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଅନେକ  ଦିନ ଆଗରୁ ଆରମ୍ଭ ହୋଇସାରିଥିଲାବେଳେ  ପୂର୍ବରୁ ଏଭଳି କିଛି ପ୍ରଦର୍ଶନୀ ଚେନ୍ନାଇରେ  ଦେଖିବାକୁ ମିଳିଛି । ଏହାର ପ୍ରବେଶ ମୂଲ୍ୟ  ୧୫୦ଟଙ୍କା ରହିବ ବୋଲି ମୀନାବଜାର ଓ  ଦୋଳି ମହାସଂଘର ସମ୍ପାଦକ ଅଭିଷେକ ଜେନା  ଓ ଦେବାଶିଷ ରାଉତ ସୂଚନା ଦେଇଛନ୍ତି ।