ବର୍ମିଂହାମ୍,୦୩/୦୩ : ଆଜିଠୁ ଇଂଲଣ୍ଡରେ ଅଲ୍ ଇଂଲଣ୍ଡ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ । ଦୁଇ ଥର ଅଲିମ୍ପିକ୍ ପଦକ ବିଜେତା ଭାରତର ପିଭି ସିନ୍ଧୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଗତ ଶନିବାର ସେ ଦୁବାଇରେ ପହଞ୍ଚିଥିଲେ ଏବଂ ସେଠାରୁ ବର୍ମିଂହାମ୍ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ସେ ଦୁବାଇରେ ଫସି ରହିଛନ୍ତି । ଆସନ୍ତା ୪ ତାରିଖରେ ସେ ଥାଇଲାଣ୍ଡର ସୁପନିଦା କାଟିଥୋଙ୍ଗ୍‌ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା । ସିନ୍ଧୁଙ୍କ ଅନୁପସ୍ଥିତିରେ ପୁରୁଷ ସିଙ୍ଗଲ୍ସ ଖେଳାଳି ଲକ୍ଷ୍ୟ ସେନ୍ ଏବଂ ପୁରୁଷ ଡବଲ୍ସରେ ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଯୋଡ଼ିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଲକ୍ଷ୍ୟ କଷ୍ଟକର ଗ୍ରୁପ୍‌ରେ ସାମିଲ ରହିଛନ୍ତି । ପୁରୁଷ ବର୍ଗ ପ୍ରଥମ ରାଉଣ୍ଡରେ ସେ ଡିଫେଣ୍ଡିଂ ଚାମ୍ପିଅନ୍ ଶି ୟୁକିଙ୍କୁ ଭେଟିବେ । ଉଭୟ ପୂର୍ବରୁ ୫ଥର ସାମ୍ନାସାମ୍ନି ହୋଇଛନ୍ତି ଏବଂ ୟୁକି ୪ଟି ମ୍ୟାଚ୍ ଜିତିଛନ୍ତି । ଭାରତର ପ୍ରତିଭାବାନ ଖେଳାଳି ଆୟୂଷ ସେଟ୍ଟୀ ଇଣ୍ଡୋନେସିଆର ଆଲୱି ଫରହାନ୍‌ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ସିନ୍ଧୁଙ୍କ ଅନୁପସ୍ଥିତିରେ ମହିଳା ବର୍ଗରେ ମାଳବିକା ବାନସୋଦ ଓ ଉନ୍ନତି ହୁଡ଼ାଙ୍କ ଉପରେ ନଜର ରହିବ ।

ଅଧିକ ପଢ଼ନ୍ତୁ :- ମୁମ୍ବାଇରେ ଟିମ୍ ଇଣ୍ଡିଆ; ୫ରେ ସେମିଫାଇନାଲ ଫାଇଟ୍, ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ୩-୨ ଇଂଲଣ୍ଡ

ପୁରୁଷ ଡବଲ୍ସରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଟାଇଟଲ୍ ଦାବିଦାରଙ୍କ ମଧ୍ୟରେ ଗଣା ହେଉଛନ୍ତି । ଉଭୟ ପ୍ରଥମ ରାଉଣ୍ଡରେ ମାଲେସିଆର କାଙ୍ଗ୍ ଖାଇ ଜିଙ୍ଗ୍ ଓ ଆରୋନ ତାଇ ଯୋଡ଼ିଙ୍କୁ ଭେଟିବେ । ସେହିପରି ମହିଳା ଡବଲ୍ସରେ ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଯୋଡ଼ି କୋର୍ଟକୁ ଓହ୍ଲାଇବେ । ଉଭୟ ଜାପାନର ସାୟକା ହିରୋତା ଓ ଆୟାକୋ ସାକୁରାମୋଟୋ ଯୋଡ଼ି ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ମିକ୍ସଡ୍ ଡବଲ୍ସରେ ଧ୍ରୁବ କପିଳା-ତନିଶା କ୍ରାଷ୍ଟୋ ଏବଂ ରୋହନ କାପୁର-ଋତଭିକା ଶିବାନୀ ଗାଡେ ଯୋଡ଼ି ଆକ୍ସନକୁ ଓହ୍ଲାଇବେ ।