ଭଞ୍ଜନଗର,୨୯/୧୧ : ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମରେ ପରିସରରେ ଆୟୋଜିତ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ଜେଡି କ୍ଳବ୍ ଫୁଲବାଣୀର ଫାଇନାଲ ମ୍ୟାଚ ଖେଳିବା ଆଶା ଧୂଳିସାତ୍ ହୋଇଯାଇଛି। ସେମି ଫାଇନାଲ ମ୍ୟାଚରେ ଶେଷ ଯାଏଁ ଜେଡି କ୍ଳବ୍ ଫୁଲବାଣୀ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ ଶେଷରେ ପେନାଲଟିକ୍ ସୁଟ୍ ଆଉଟ୍ ରେ ୪-୩ ଗୋଲ୍ ବ୍ୟବଧାନରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ରବିବାର ମରାଠା ଏକାଦଶ ଓ ସୁନ୍ଦରଗଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ଶନିବାର ସ୍ଥାନୀୟ କବିସମ୍ରାଟ ଷ୍ଟାଡିୟମରେ ଆୟୋଜିତ ସେମି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଭିଜିତ ପାଢୀ, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ସୁବାସ ଚନ୍ଦ୍ର ବରାଡ, କୁବେର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆୟୋଜକ କମିଟି ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ, ଉପସଭାପତି ଧୀରେଶ ମହାନ୍ତି ଅତିଥି ମାନଙ୍କୁ ସ୍ବାଗତ କରିଥିଲେ।
ଶନିବାର ଜେଡି କ୍ଳବ୍ ଫୁଲବାଣୀ ଓ ମରାଠା ଏକାଦଶ ମଧ୍ୟରେ ଖେଳାଯାଇଥିବା ଏହି ଉତ୍କଣ୍ଠାପୂର୍ଣ୍ଣ ସେମି ଫାଇନାଲ ମ୍ୟାଚରେ ପଡ଼ିଆରେ ଭରପୁର ଦର୍ଶକ ଉପସ୍ଥିତ ରହିଥିଲେ। ଆରମ୍ଭରୁ ଜେଡି କ୍ଳବ୍ ଫୁଲବାଣୀ ବେଶ ପ୍ରଭାବ ବିସ୍ତାର କରି ଖେଳିଥିଲା। ଆଉ ମରାଠା କ୍ଳବ୍ ଗୋଲ୍ ପୋଷ୍ଟ ଉପରେ ଘନ ଘନ ଆକ୍ରମଣ କରିଥିଲା। ଦଳର ୧୧ ନମ୍ବର ଖେଳାଳି ରାହୁଲ ଲାକ୍ରା ପ୍ରଥମେ ଗୋଲ୍ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଆଉ ଦ୍ବିତୀୟାର୍ଦ୍ଧ ରେ ମରାଠା ଏକାଦଶ ପକ୍ଷରୁ ୭ ନମ୍ବର ଖେଳାଳି ଜୁଲିଆ ଦଳ ପାଇଁ ପ୍ରଥମ ଗୋଲ୍ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ। ଅମିମାଂସିତ ଭାବେ ମ୍ୟାଚ ଶେଷ ହୋଇଥିବା ବେଳେ ଶେଷରେ ଟ୍ରାଇବ୍ରେକରର ଆଶ୍ରୟ ନିଆଯାଇଥିଲା। ଏଥିରେ ଭାଗ୍ୟ ଶାଳୀ ସାବ୍ୟସ୍ତ ହୋଇ ମରାଠା ଏକାଦଶ ୪-୩ ଗୋଲ୍ ରେ ଜେଡି କ୍ଳବ୍ ଫୁଲବାଣୀ କୁ ପରାଜିତ କରି ଫାଇନାଲ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମରାଠା ଏକାଦଶ ଗୋଲ୍ କିପର ତୁଷାର ସାହୁଙ୍କୁ ଅତିଥି ମାନେ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ।ରବିବାର ସୁନ୍ଦରଗଡ଼ ଓ ମରାଠା ଏକାଦଶ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।