ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩ ଶ୍ରମିକଙ୍କ ଭରସାରେ ହୀରାକୁଦ ନିୟନ୍ତ୍ରଣ କକ୍ଷ, ସବୁ ଅଧିକାରୀ ଛୁଟିରେ

Published By : Rasmita Pradhan | October 16, 2024 1:01 PM

ବୁର୍ଲା, ୧୬/୧୦ : ହୀରାକୁଦ ନଦୀବନ୍ଧର ପରିଚାଳନା ପାଇଁ ମାଳ ମାଳ ଅଫିସର ନିଯୁକ୍ତି ପାଇଛନ୍ତି । ହେଲେ ଦଶହରା ଛୁଟି ଆରମ୍ଭ ହେବା ଦିନରୁ ବର୍ତ୍ତମାନ ହୀରାକୁଦ ବନ୍ଧ ଅଧିକାରୀଶୂନ୍ୟ ହୋଇପଡ଼ିଛି । ଏପରିକି ଏହାର ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ କକ୍ଷ ୩ ଜଣ ସିଜନାଲ ମଜଦୁର (ଋତୁକାଳୀନ ଶ୍ରମିକ)ଙ୍କ ଭରସାରେ ଚାଲିଥିବା ସୂଚନା ମିଳିଛି । ସବୁ ଅଧିକାରୀ ଏକା ସାଙ୍ଗରେ ଛୁଟିରେ ଥିବାରୁ ନଦୀବନ୍ଧର ପରିଚାଳନାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ହୀରାକୁଦ ନଦୀବନ୍ଧ ପରିଚାଳନା ଉପରେ ଅଧା ଓଡ଼ିଶା ନିର୍ଭରଶୀଳ । ତଥାପି ଏଥିପ୍ରତି ସାଂଘାତିକ ଅବହେଳା ଅଭିଯୋଗ ଆସିଛି । ନଦୀବନ୍ଧର ପରିଚାଳନା ପାଇଁ ସବୁଠୁ ସମ୍ବେଦନଶୀଳ ବିଭାଗ କୁହାଯାଉଥିବା ମାଷ୍ଟର୍‌ କଣ୍ଟ୍ରୋଲ୍‌ ଷ୍ଟେସନ୍‌ ଅଫିସରଶୂନ୍ୟ ହୋଇଯାଇଛି । ଦଶହରା ଛୁଟି କାଟୁଛନ୍ତି ବାବୁମାନେ । ୩ଶ୍ରମିକଙ୍କ ଭରସାରେ ଜଳ ପରିଚାଳନା ଦାୟିତ୍ୱ ଛାଡ଼ି ଦିଆଯାଇଛି । ଏଭଳି ସାଂଘାତିକ ଅବହେଳା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ ଉଠିଛି । 

ବର୍ତ୍ତମାନ ମୌସୁମୀ ବାହୁଡ଼ିବା ବେଳକୁ ବର୍ଷାର ପୂର୍ବାନୁମାନ କରାଯାଇଛି । ସେପଟେ, ମାତ୍ର ୯ ଦିନରେ ଜଳସ୍ତର ପାଖାପାଖି ୨ ଫୁଟ୍‌ ଖସିଲାଣି । ଏଭଳି ସ୍ଥିତିରେ ଏହାର ନିୟନ୍ତ୍ରଣ କକ୍ଷକୁ ୩ ଜଣ ଶ୍ରମିକଙ୍କ ହାତରେ ଟେକି ଦେବା କେତେଦୂର ଠିକ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ ଏକାଧିକ ଯନ୍ତ୍ରୀ ଏବଂ ଏସ୍‌ଡିଓ ଏଠାରେ କାର୍ଯ୍ୟ କରୁଥିଲେ ମଧ୍ୟ ବାବୁମାନଙ୍କ ଡ୍ୟୁଟି କେବଳ ତାଳିକାରେ ସୀମିତ ରହିଛି ବୋଲି ଜଣେ ବିଭାଗୀୟ କର୍ମଚାରୀ ସୂଚନା ଦେଇଛନ୍ତି । କାରଣ ଦଶହରା ଛୁଟିରୁ ଏହି ବାବୁମାନେ ବର୍ତ୍ତମାନ ସୁଦ୍ଧା ଫେରିନାହାନ୍ତି । ଏନେଇ ଅଧିକାରୀମାନଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍‌ ଗ୍ରହଣ କରୁନାହାନ୍ତି । ଅନ୍ୟପଟେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଡ୍ୟାମ୍‌ର ଜଳସ୍ତର ଗୋଟିଏ ଫୁଟ୍‌ କମିଲାଣି । ତଥାପି ଉପରମୁଣ୍ଡରୁ ଯେତିକି ପାଣି ଜଳଭଣ୍ଡାରକୁ ପ୍ରବେଶ କରୁଛି ତାଠାରୁ ଅଧିକ ପାଣି ଛଡ଼ା ଯାଉଛି । 

ପାୱାର୍‌ ହାଉସ୍‌କୁ କେତେ ପାଣି ଛଡ଼ାଯିବ ସେନେଇ ପ୍ରତିବର୍ଷ ବୈଠକ ହୋଇ ସ୍ଥିର ହୋଇଥାଏ । ହେଲେ ବାବୁମାନେ ଛୁଟିରେ ଥିବାରୁ ନିର୍ଦ୍ଧାରିତ ସମୟ ଗଡ଼ିବା ପରେ ବି ଉକ୍ତ ବୈଠକ ହୋଇପାରୁନଥିବା ଅଭିଯୋଗ ହେଉଛି । ଫଳରେ ବର୍ତ୍ତମାନ ଯୋଜନାବିହୀନ ଭାବେ ଜଳ ପରିଚାଳନା କରାଯାଉଥିବା ଅଭିଯୋଗ ହେଉଛି । ଉପରମୁଣ୍ଡରୁ ଜଳପ୍ରବେଶର ମାତ୍ରା ସାଂଘାତିକ ଖସିବା ସତ୍ତେ୍ୱ ଅଧିକ ପାଣି ପାୱାର୍‌ ହାଉସକୁ ଯୋଗାଣ ଚାଲିଛି । ଯଦ୍ୱାରା ଏହା ଅଣମୌସୁମୀ ଅବଧିରେ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହେଲାଣି । ସବୁଠୁ ସାଂଘାତିକ କଥା ହେଲା ଯେ, ନିୟନ୍ତ୍ରଣ କକ୍ଷରେ ଡ୍ୟୁଟି ତାଲିକାରେ ଥିବା ଯନ୍ତ୍ରୀ ତଥା ଏସ୍‌ଡିଓମାନଙ୍କ ମଧ୍ୟ ଦେଖା ମିଳୁନାହିଁ ବୋଲି ଅଭିଯୋଗ ହୋଇଛି । ଏନେଇ ପଚାରିବା ପାଇଁ ମୁଖ୍ୟଯନ୍ତ୍ରୀ ଇଂ. ସୁଶୀଳ କୁମାର ବେହେରା ଏବଂ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ସୁଧୀର କୁମାର ସାହୁଙ୍କୁ ଏକାଧିକ ଥର ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍‌ ଗ୍ରହଣ କରିନଥିଲେ । ଅଧା ଓଡି଼ଶାର ଧନଜୀବନର ପ୍ରଶ୍ନ ସହ ଜଡ଼ିତ ହୀରାକୁଦ ନଦୀବନ୍ଧର ପରିଚାଳନା ପ୍ରତି ଏଭଳି ଅବହେଳାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.