ଜହ୍ନ।ପଙ୍କ, ୨/୬: ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ।ପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏସସି ଓ ଏସଟି ଛାତ୍ର ଛାତ୍ରୀ ଏବଂ ଏଜୁକେସନ ପ୍ରାକ୍ଟିକାଲ ପାଇଁ ବେଆଇନ ଅର୍ଥ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ଯେଉଁମାନେ ଏହି ଅର୍ଥ ହେରଫେରରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜହ୍ନlପଙ୍କ ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।
ଅଞ୍ଚଳର ଶିକ୍ଷାର ବିକାଶ ପାଇଁ ୧୯୯୩ ମସିହାରେ ସ୍ବର୍ଗତ ଅଖିଳ ପ୍ରସାଦ ମିଶ୍ର, ସ୍ବର୍ଗତ ନିତ୍ୟାନନ୍ଦ ପ୍ରଧାନ, ସ୍ବର୍ଗତ ଭାଗିରଥି ମହାକୁଳଙ୍କ ଉଦ୍ୟମରେ ୫ ଟି ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ଜହ୍ନାପଙ୍କ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ମଝିରେ ମଝିରେ ବେଆଇନ ଅର୍ଥ ସଂଗ୍ରହ ହେଉଥିବା ଅଭିଯୋଗ ହେଉଥିଲେ ହେଁ ତାହା ଆପୋଷ ସମାଧାନ ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ବେଆଇନ ଅର୍ଥ ସଂଗ୍ରହରୁ ଜନୈକ କର୍ମଚାରୀ ଭାଗ ନପାଇବାରୁ ତାହା ସର୍ବ ସମ୍ମୁଖରେ ଚର୍ଚ୍ଚା ହୋଇଥିଲା। ଫଳରେ ଅଞ୍ଚଳବାସୀଙ୍କୁ ନେଇ ବିଦ୍ୟାଳୟରେ ମାର୍ଚ୍ଚ ୧୮ ରେ ଏକ ବୈଠକ ହୋଇଥିଲା। ଏଥିରେ କିଛି ନିର୍ଯାସ ନବାହାରିବାରୁ ପରବର୍ତ୍ତି ବୈଠକ ମାର୍ଚ୍ଚ ୨୧ ରେ ହୋଇଥିଲା। ତଥାପି ଜନସାଧାରଣଙ୍କ ଅସନ୍ତୋଷ କମି ନ ଥିଲା। ଗନ୍ଧରାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଗତ ତିନି ବର୍ଷ ହେଲା ଷ୍ଟାଫ୍ କାଉନସିଲ୍ ମିଟିଙ୍ଗ ମଧ୍ୟ ହେଉ ନାହିଁ। ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଶାନ୍ତି କମିଟିର ସଭାପତି ଭୋଳା ଗିରି ସାହୁଙ୍କ ନେତୃତ୍ୱରେ କିରଟି ପ୍ରଧାନ, ଅରୁଣ ପ୍ରଧାନ,ଶାନ୍ତନୁ ବେହେରା, ନବ ନାଏକ, ଆର୍ତ୍ତତ୍ରାଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଅଧ୍ୟକ୍ଷଙ୍କୁ ପଦବୀରୁ ଅବ୍ୟାହିତ ଓ ଜନୈକ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ରେ ଦର୍ଶାଇଛନ୍ତି। ଏହା ସହିତ ଏହାର ଏକକିତା ନକଲ ଉପ ଜିଲ୍ଲାପାଳ ବୌଦ୍ଧ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ, ନିର୍ଦ୍ଦେଶକ ଉଚ୍ଚ ମାଧ୍ୟମିକ ଗଣ ଶିକ୍ଷା ବିଭାଗ ଭୁବନେଶ୍ବର, ଗଣଶିକ୍ଷା ମନ୍ତ୍ରୀ, ଦୁର୍ନିତି ନିବାରଣ ବିଭାଗ ବୌଦ୍ଧ, ଆଦର୍ଶ ଥାନା ଅଧିକାରୀ ବୌଦ୍ଧ, ମୁଖ୍ୟମନ୍ତ୍ରୀଙ୍କୁ ଅବଗତ ନିମନ୍ତେ ପଠାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।