ଟିଟଲାଗଡ଼, ୨୮/୦୭ : ଦାରିଦ୍ର୍ୟଠୁ ବଳିଗଲା ପେଟର ଭୋକ। କ୍ଷୁଧା ମେଣ୍ଟାଇବାକୁ ଛାତିଥରା ସଙ୍ଘର୍ଷ। ଦୁଇଓଳି ଦୁଇ ମୁଠା ଦାନା ଆଗରେ ହାର୍ ମାନିଲା ରକ୍ତ ସମ୍ପର୍କ। ଛାତିରେ ପଥର ରଖି ନିଜ ଜନ୍ମକଲା ଝିଅକୁ ୨୦ ହଜାର ଟଙ୍କାରେ ବିକିଦେଲେ ବାପା ମା'। ଦାଦନଗଡ଼ରୁ ଆସିଛି ଦାରିଦ୍ର୍ୟର ଏଭଳି ଉତ୍କଟ ଚିତ୍ର। ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ବ୍ଲକ ଅଞ୍ଚଳରେ ଶିଶୁକନ୍ୟା ବିକ୍ରି ଅଭିଯୋଗ।
ଟିଟଲାଗଡ଼ ବ୍ଲକ ଭାଲେଗାଁ ପଞ୍ଚାୟତ ବାରଡ଼େର ଗ୍ରାମର ନଳ ରଣାଙ୍କ ସ୍ତ୍ରୀ କନକ ମାସେ ତଳେ ଦ୍ୱିତୀୟ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କର ପ୍ରଥମରୁ ୧୪ ମାସର ଜଣେ ଝିଅ ଅଛନ୍ତି । ଅଭାବ ଅନଟନରେ ଚଳୁଥିବା ଦମ୍ପତିଙ୍କୁ ଦ୍ୱିତୀୟ ଶିଶୁକନ୍ୟାର ଭରଣପୋଷଣ ଚିନ୍ତା ଘାରିଥିଲା । ସେମାନେ ଉପାୟ ନ ପାଇ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ମନସ୍ଥ କରିଥିଲେ । ୩ଦିନ ତଳେ ସେମାନେ ଦଲାଲ ରବି ମଛଖଣ୍ଡଙ୍କ ମାଧ୍ୟମରେ ଝିଅକୁ ୨୦ ହଜାର ଟଙ୍କାରେ ବିକି ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଗ୍ରାମକୁ ଯାଇ ପଚରାଉଚୁରା କରିଛି। ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମଧ୍ୟସ୍ଥି ଓ ଶିଶୁକନ୍ୟାର ବାପାଙ୍କୁ ଅଟକ ରଖାଯାଇଛି। ଶିଶୁକନ୍ୟାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଉଛି।
ଖୋଳତାଡ଼ ବେଳେ ନଳଙ୍କ ଆର୍ଥିକ ଦୁର୍ଗତି ସମ୍ପର୍କରେ ସୂଚନା ମିଳିଛି। ପୂର୍ବରୁ ତାଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିଲା । ମିଳୁଥିବା ରାସନରେ ପରିବାର କଷ୍ଟେମଷ୍ଟେ ଚଳି ଯାଉଥିଲା । ନିକଟରେ ଖାଦ୍ୟ ସୁରକ୍ଷା ଯୋଜନାରୁ ପରିବାର ବାଦ୍ ପଡ଼ିଥିଲା । ଏହାପରେ ଚଳିବା ଆହୁରି କଷ୍ଟକର ହୋଇପଡ଼ିଥିଲା । ନଳଙ୍କ ପରିବାର ଝାଟିମାଟି କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛନ୍ତି । ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉନାହିଁ । ଜବ୍କାର୍ଡ କିମ୍ବା ଲେବର କାର୍ଡ ମଧ୍ୟ ନାହିଁ । ସର୍ବନିମ୍ନ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ନଳ ଏଭଳି କରିଥିବା ଗ୍ରାମବାସୀ କହିଛନ୍ତି।