ହାଇଦ୍ରାବାଦ,୦୩/୦୧/ ୨୦୨୫: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଦିନ ନାମପଲ୍ଲି କୋର୍ଟରୁ ନିୟମିତ ଜାମିନ ମିଳିଛି। ସଂଧ୍ୟା ଥିଏଟର ଦଳଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ କୋର୍ଟ 'ପୁଷ୍ପରାଜ'ଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ୪ ଡିସେମ୍ବର ରେ, ଯେତେବେଳେ ସାନ୍ଧ୍ୟା ଥିଏଟରରେ ଅଭିନେତା ଫିଲ୍ମ ପୁଷ୍ପା ୨ ର ସ୍କ୍ରିନିଂ ପାଇଁ ପହଞ୍ଚିଥିଲେ, ସେତେବେଳେ ମାତ୍ରାଧିକ ଭିଡ଼ ଯୋଗୁ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶିଶୁ ଆହତ ହୋଇଥିଲେ। ତମାମ ମାମଲାରେ ସୁପରଷ୍ଟାର ଅଲ୍ଲୁଙ୍କ ନାଁରେ ମାମଲା ଚାଲିଥିଲା।
ଡିସେମ୍ବର ୧୩ ରେ, ଚାରି ସପ୍ତାହ ପାଇଁ ଅଲ୍ଲୁଙ୍କୁ ଅନ୍ତରିଣ ଜାମିନ ପ୍ରଦାନ କରାଯାଇଥିବାବେଳେ ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ନିୟମିତ ଜାମିନ ପାଇଁ ଟ୍ରାଏଲ କୋର୍ଟ ନିକଟକୁ ଯିବାକୁ କହିଥିଲେ। ଡିସେମ୍ବର ୪ତାରିଖରେ ସଂଧ୍ୟା ଥିଏଟରରେ 'ପୁଷ୍ପା ୨'ର ପ୍ରିମିୟର୍ ସୋ ସମୟରେ ଘଟିଥିବା ଦଳାଚକଟାକୁ ନେଇ ପଞ୍ଜୀକୃତ ହୋଇଥିବା ମାମଲାରେ ଅଲୁ ଅର୍ଜୁନଙ୍କୁ ଡିସେମ୍ବର ୧୩ ରେ ଗିରଫ କରାଯାଇଥିଲା। ଅଲ୍ଲୁଙ୍କୁ ନାମପାଲ୍ଲୀ କୋର୍ଟରେ ହାଜର କରାଯାଇଥିଲା, ସେଠାରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।
ପଚରାଉଚରା ପାଇଁ ଅଲ୍ଲୁଙ୍କୁ ଡାକିଥିଲା ପୁଲିସ:
ଗିରଫର ପରଦିନ ପୋଲିସ୍ ଥିଏଟର ମ୍ୟାନେଜମେଣ୍ଟ, ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ଟିମ୍ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତରେ ପୋଲିସ ୨୪ ଡିସେମ୍ବରରେ ଅଲ୍ଲୁ ଅର୍ଜୁନଙ୍କୁ ପଚରାଉଚରା କରିଥିଲା। ଘଟଣାର ସିସିଟିଭି ଫୁଟେଜ ସଂଗ୍ରହ କରିବା ପରେ ପୋଲିସ ୧୦ ମିନିଟର ପ୍ରସ୍ତୁତ ଭିଡିଓ ଆଧାରରେ ଚିକ୍କଡପାଲି ପୋଲିସ ଷ୍ଟେସନରେ ତାଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିଲା। ତେବେ ତମାମ ମାମଲାରେ ଶୁକ୍ରବାର ନାମପଲ୍ଲୀ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି।