ମୁମ୍ବାଇ,୦୮/୧୧: ଫିଲ୍ମ 'ପୁଷ୍ପା:ଦ ରୁଲ' ପାଇଁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଡିସେମ୍ବର ମାସ ୫ ତାରିଖରେ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ମୁକ୍ତିଲାଭ କରିବ । ପୂର୍ବରୁ ଏହି ଚଳଚ୍ଚିତ୍ରର ଅନେକ ବିସ୍ଫୋରକ ପୋଷ୍ଟର ଏବଂ ଗୀତ ରିଲିଜ୍ ହୋଇଛି । ଯାହାକୁ ଲୋକେ ବେଶ ପସନ୍ଦ କରିଛନ୍ତି । ଏହାରି ମଧ୍ୟରେ 'ପୁଷ୍ପା ୨'ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଯେଉଁଥିରେ ପୁଷ୍ପା-ଶ୍ରୀବଲୀଙ୍କ ନୂଆ ଲୁକ ଦେଖିବାକୁ ମିଳିଛି ।
ତେବେ ଫିଲ୍ମ ରିଲିଜକୁ ଆଉ ମାତ୍ର ୨୭ ଦିନ ବାକି ଥିବାବେଳେ ଆମେରିକାରେ ଏହାର ପ୍ରିମିୟର୍ ସୋ ପାଇଁ ୮୦୦ରୁ ଅଧିକ ସ୍ଥାନରେ ୨୦୦୦୦ ଟିକେଟ୍ ବିକ୍ରି ହୋଇଛି। ଯାହା ୪.୫ କୋଟିରୁ ଅଧିକ ଅଟେ । ତେବେ ରିଲିଜ୍ ତାରିଖ ପାଖେଇ ଆସୁଥିବାରୁ ଫିଲ୍ମର ବ୍ରେକଭେନ୍ ୧୫ ମିଲିୟନ୍ ଆମେରିକୀୟ ଡଲାରରେ ରଖାଯାଇଛି । ଏହି ଅଞ୍ଚଳରେ ଏହାର ବିତରଣ କାରବାର ଏକ ଫେରସ୍ତଯୋଗ୍ୟ ଭିତ୍ତିରେ କରାଯାଇଛି। ଯଦି ଫିଲ୍ମ ଆବଶ୍ୟକ ମାର୍କ ଅତିକ୍ରମ କରିବାରେ ବିଫଳ ହୁଏ ତେବେ ନିର୍ମାତାମାନଙ୍କୁ ଏହାର ଭାରବହନ କରିବାକୁ ପଡିବ ।
ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା ୨୦୨୧ ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା । ତେବେ ପ୍ରଥମ ଭାଗ ପରି ୨ୟ ଭାଗରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିବେ ଏବଂ 'ପୁଷ୍ପା ୨' ମଧ୍ୟ ପ୍ରଥମ ଭାଗ ପରି ବକ୍ସ ଅଫିସରେ ନୂଆ ରେକର୍ଡ କରିବ ବୋଲି ଆଶା କରାଯାଉଛି। 'ପୁଷ୍ପା ୨' ୫ ଡିସେମ୍ବର ୨୦୨୪ ରେ ମୁକ୍ତିଲାଭ କରିବ ।