ଭୁବନେଶ୍ୱର ୦୩/୧୧: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ଅମର ପଟ୍ଟନାୟକ। ବିଜେପି କାର୍ଯ୍ୟାଳୟକୁ ଆସି ବିଧିବଦ୍ଧ ଭାବେ ସାମିଲ୍‌ ହେଲେ ଅମର ପଟ୍ଟନାୟକ। ମିଶ୍ରଣ ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର​​​​​​​ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବ ଉତ୍ସବରେ ଅମର ପଟ୍ଟନାୟକଙ୍କ ଅନେକ ସମର୍ଥକ ଏବଂ ବିଜେପି ବରିଷ୍ଠ ନେତା ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ।​​​​​​​

ବିଜେପି ମିଶ୍ରଣ ସଭାରେ ଅମର ପଟ୍ଟନାୟକ କହିଥିଲେ ଯେ, ମୋ ଜୀବନର ରାଜନୈତିକ କ୍ୟାରିଅର ମାତ୍ର ୮ ବର୍ଷର । ଆଜି ତାହାର ଲାଇଫ୍ ଚେଞ୍ଜିଂ ମୁହୂର୍ତ୍ତ। ୨୦୦୮ରେ ଓଡ଼ିଶା ପାଇଁ ଜନସେନା କରିବି ବୋଲି ଚାକିରି ଛାଡ଼ିଥିଲି । ରାଜ୍ୟସଭାରେ ସୁଯୋଗ ମିଳିବା ପରେ ଓଡ଼ିଶାର ଦାବିକୁ ଦିଲ୍ଲୀରେ ରଖିବାକୁ ଚେଷ୍ଟା କରିଛି। ରାଷ୍ଟ୍ର ନିର୍ମାଣ କରିବା ପାଇଁ ଆଜି ଜାତୀୟ ଦଳରେ ଯୋଗ ଦେଲି । ବିଜେପି ହେଉଛି ଏକମାତ୍ର ଜାତୀୟ ଦଳ ଯେଉଁଠି ରାଷ୍ଟ୍ର ନିର୍ମାଣ ପାଇଁ ସୁଯୋଗ ମିଳିବ। ସେଥିପାଇଁ ବିଜେପିରେ ଯୋଗ ଦେଇଛି। ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବା ସମୟରେ ମୋର ରୁମ ଟାଙ୍କୁରୀ ଉଠେ। ପ୍ରଧାନମନ୍ତ୍ରୀ ଭାରତକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି ଏବଂ ବିଶ୍ଵରେ ଭାରତର ପରିଚୟ ସୃଷ୍ଟି କରିଛନ୍ତି। ମୁଁ ଚାହୁଁଥିଲି ମୋତେ ଏକ ସୁଯୋଗ ମିଳୁ, ରାଷ୍ଟ୍ର ଏବଂ ରାଜ୍ୟ ନିର୍ମାଣ ପାଇଁ କାର୍ଯ୍ୟ କରିପାରିବି। ଆଉ ମୋତେ ଏ ସୁଯୋଗ ବିଜେପି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ମନମୋହନ ସାମଲ ଦେଇଛନ୍ତି। 

ଅମର ଆହୁରି କହିଥିଲେ ଯେ, ଦଳ କଥାରେ ନୁହେଁ କାମରେ ବିଶ୍ବାସ କରେ । ଦେଶରେ ନକ୍ସଲ ବଢୁ ଥିଲା, ଷ୍ଟ୍ରାଟେଜି ତିଆରି କରାଗଲା। ଏବେ ନକ୍ସଲର ଅବସ୍ଥା କ'ଣ ? ଅମିତ ଶାହଙ୍କ ଷ୍ଟ୍ରେଟେଜି ପାଇଁ ସମ୍ଭବ ହେଲା। ଓଡ଼ିଶାର ସୌନ୍ଦର୍ଯ୍ୟ, କାରିଗରୀ ଏବଂ ଭାସ୍କର୍ଯ୍ୟ କେନ୍ଦ୍ର ଯାହା କରୁଛି ସେଥିରେ ମୁଁ ପ୍ରଭାବିତ। ସଂକଳ୍ପ କରୁଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ କାର୍ଯ୍ୟ ଦେବେ ତାହାକୁ ମୁଁ ସମ୍ପାଦନ କରିବି ବୋଲି କହିଥିଲେ।

୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ ଦଳ ପାଇଁ କାମ କରିଚାଲିଲେ । ୨୦୧୯ରେ ଦଳ ରାଜ୍ୟସଭା ସାଂସଦ ଭାବେ ଅମର ପଟ୍ଟନାୟକଙ୍କୁ ଚୟନ କରିଥିଲା । ୨୦୧୯ରୁ ପାଞ୍ଚ ବର୍ଷ ଯାଏ ସେ ରାଜ୍ୟସଭା ସାଂସଦ ଭାବେ କାମ କରିଥିଲେ । ନିଜ କାର୍ଯ୍ୟକାଳ ସମୟରେ ରାଜ୍ୟସଭାର ବିଭିନ୍ନ କମିଟିର ମଧ୍ୟ ସଦସ୍ୟ ହୋଇଥିଲେ । ଏହାସହିତ ରାଜ୍ୟର ବିଭିନ୍ନ ସମସ୍ୟାକୁ ସଂସଦରେ ଉପସ୍ଥାପନ କରିଥିଲେ ।

ସେହିପରି ରାଜ୍ୟରେ ମଧ୍ୟ ବିରୋଧୀଙ୍କୁ କଡା ଟକ୍କର ଦେଉଥିଲେ । ହେଲେ ଏବେ ପରିସ୍ଥିତି ବଦଳିଛି । ରାଜ୍ୟ ରାଜନୀତିରେ ନୂଆ ମୋଡ଼ ନେଇଛି । ବିଜେଡି କ୍ୟାମ୍ପ ଛାଡ଼ି ବିଜେପି ଶିବିରରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ । ନୂଆପଡ଼ା ଉପନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଅମର ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି । ​​​​​​​