ନୂଆଦିଲ୍ଲୀ: ଜିଓ ଏବଂ ହଟଷ୍ଟାର ମର୍ଜର ପରେ ଏବେ ‘ଜିଓ ଷ୍ଟାର’ର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି । ଜିଓ ଷ୍ଟାର ଚାମ୍ପିଅନ୍ସ ଟ୍ରଫି ସମୟରେ ଅନେକ ରେକର୍ଡ ସୃଷ୍ଟି କରିଛି, ଯାହା ପୂର୍ବରୁ ଡିଜନି ହଟଷ୍ଟାର ମଧ୍ୟ କରିପାରି ନଥିଲା। ଏନେଇ ଜିଓ ଷ୍ଟାରର ସିଇଓ ଲିଙ୍କଡଇନରେ ସୂଚନା ଦେଇଛନ୍ତି । ନିକଟରେ ଶେଷ ହୋଇଥିବା ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ Jio Hotstar ୫.୪ ବିଲିୟନରୁ ଅଧିକ ଭ୍ୟୁ ରେକର୍ଡ କରିଥିଲା । ଜିଓ ହଟଷ୍ଟାର ଦର୍ଶକ ପ୍ରାୟ ୧୧,୦୦୦ କୋଟି ମିନିଟ୍ ଧରି ଚାମ୍ପିଅନ୍ସ ଟ୍ରଫି ଦେଖି ଏକ ରେକର୍ଡ ସ୍ଥାପନ କରିଛନ୍ତି । 

ଲିଙ୍କଡଇନ୍‌ରେ ଏକ ପୋଷ୍ଟରେ ଜିଓ ହଟଷ୍ଟାରର ସିଇଓ କିରଣ ମଣି କହିଛନ୍ତି, ଏହାକୁ ୫.୪ ବିଲିୟନରୁ ଅଧିକ ଥର ଦେଖାଯାଇଛି । ୧୧ ବିଲିୟନ ମିନିଟ୍ ଦେଖାଯାଇଛି ଏବଂ ଏହାକୁ ସର୍ବାଧିକ ୬୧.୨ ନିୟୁତ ଲୋକ ଏକା ଥରେ ଦେଖିଛନ୍ତି । ଏହି ସଂଖ୍ୟା  ଭାରତରେ ଡିଜିଟାଲ୍ ଷ୍ଟ୍ରିମିଂ ପ୍ରତି ଲୋକଙ୍କ ଆଗ୍ରହ ଏବଂ ଅଭିବୃଦ୍ଧିର ଏକ ଶକ୍ତିଶାଳୀ କାହାଣୀକୁ ଦର୍ଶାଉଛି ।  ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଜିଓ ହଟଷ୍ଟାରରେ ୧୨୪.୨ କୋଟି ଥର ଦେଖାଯାଇଛି । ଏହି ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି । 

ଏହି ମ୍ୟାଚକୁ ୬.୧୨ କୋଟି  ଦର୍ଶକ ଲାଇଭ୍‌ ଷ୍ଟ୍ରିମିଂ ମାଧ୍ୟମରେ ଦେଖିଥିଲେ । ପୂର୍ବରୁ ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ ସମୟରେ ଡିଜନି ହଟଷ୍ଟାରରେ ୫.୯ କୋଟି ଦର୍ଷକ ଲାଇଭ ଷ୍ଟ୍ରିମିଂ ଦେଖିଥିଲେ । ଜିଓ ଷ୍ଟାରରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ଫାର୍ମର ଅଧିକାଂଶ ଅଂଶଧନ ଅଛି । ତଥ୍ୟ ଅନୁଯାୟୀ, ଜିଓ ଷ୍ଟାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୬୩.୧୬ ପ୍ରତିଶତ ଅଂଶଧନ ରହିଛି ।  ସେଥିମଧ୍ୟରୁ ୧୬.୩୪  ପ୍ରତିଶତ ସିଧାସଳଖ ଏବଂ ୪୬.୮୨  ପ୍ରତିଶତ Viacom18 ମାଧ୍ୟମରେ ରହିଛି । ଅନ୍ୟପକ୍ଷରେ, ଜିଓ ଷ୍ଟାରରେ ଡିଜନିର ରହିଛି ୩୬.୮୪ ପ୍ରତିଶତ ଅଂଶଧନ ।