ଲାଞ୍ଜିଗଡ଼,୧୫/୧୧ : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବିଜେପୁର-ବିଶ୍ୱନାଥପୁର ମୁଖ୍ୟରାସ୍ତାର ଖଜୁରଗୁଡ଼ା ଗାଁ ମାଣ୍ଡିଆ ରୁଚା ନିକଟରେ ଏକ ସାଇକେଲ ଆରୋହି ମୁଖ୍ୟରାସ୍ତାରେ ପଡ଼ି ଗୁରୁତର ହୋଇ ପଡ଼ିଥିବା ବେଳେ ଆରୋହିଙ୍କୁ ମିଳିନଥିଲା ଆମ୍ବୁଲାନ୍ସ । ଫଳରେ ୬କି.ମି. ଦୂର ବାଇକରେ ଆଣି ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଆରୋହି ଟଙ୍କ ମାଝୀଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ କୁମଖାଲ ପଞ୍ଚାୟତ ଟିମନବାଡ଼ି ଗାଁ ନିକଟରେ ଥିବା ଗ୍ରାମର ଟଙ୍କ ମାଝୀ(୩୫) ନାମକ ଜଣେ ଯୁବକ ନିଜ ସାଇକେଲରେ ନିଜ ଗାଁଠାରୁ ଦିନ ସାଢେ ୧୨ଟା ସମୟରେ ବିଶ୍ୱନାଥପୁର -ବିଜେପୁର ମୁଖ୍ୟ ରାସ୍ତା ଦେଇ ଲୁମା ଗାଁ ଛକକୁ ଯାଉଥିଲେ । ଏହି ସମୟରେ ଖଜୁରଗୁଡ଼ା ଗାଁ ନିକଟସ୍ଥ ମାଣ୍ଡିଆ ରୁଚା ନିକଟରେ ନିଜ ସାଇକେଲରୁ ମୁଖ୍ୟରାସ୍ତାରେ ପଡ଼ି ଯିବା ଫଳରେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ଖବରପାଇ ନିଜ ସ୍ତ୍ରୀ ସୂର୍ଯ୍ୟ ମାଝୀ ଓ ତାଙ୍କ ଭାଉଜ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସ୍ଥାନୀୟ ଯୁବକମାନେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ମିଳିନଥିଲା । ଫଳରେ ସେହି ରାସ୍ତା ଦେଇ ଆସୁଥିବା ଦୁଇ ଜଣ ଯୁବକ ୬କିମି ଦୂର ବାଇକରେ ଆଣିବା ପରେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଟଙ୍କଙ୍କ ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ମଧ୍ୟ ସେହି ଅଞ୍ଚଳରେ ଆମ୍ବୁଲାନ୍ସ ନ ଥିବା ସୂଚନା ମିଳିଥିଲା। ଫଳରେ ଚିକିତ୍ସା ଯୋଗାଇବାରେ ବିଳମ୍ବ ଯୋଗୁଁ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ଘଟିଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।