ସମ୍ବଲପୁର, ୪।୬: ୧୦୮ ଆମ୍ବୁଲାନ୍ସକୁ ଅଯଥାରେ ଫୋନ୍ କରି ହଇରାଣ କରିବା ମହାଙ୍ଗା ପଡ଼ିଲା। ଜରୁରୀକାଳୀନ ପରିସ୍ଥିତି ଓ ରୋଗୀ ସେବା ବାଧାପ୍ରାପ୍ତ କରିବା ଅଭିଯୋଗରେ ଯୁବକ ଅଟକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କେଶାଇବାହାଲ ପଞ୍ଚାୟତ ଡଙ୍ଗାଯୋର ଗ୍ରାମରେ।
ଡଙ୍ଗାଯୋର୍ ଗ୍ରାମର ପିଣ୍ଟୁ ମୁଣ୍ଡା ବୁଧବାର ୧୦୮କୁ କଲ୍ କରି ଜଣେ ଶିଶୁଙ୍କ ଦେହ ଅସୁସ୍ଥ ଥିବା ଓ ତାଙ୍କୁ ଚିକିତ୍ସା ସୁବିଧା ଆବଶ୍ୟକ ଥିବା ଜଣାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କର୍ମଚାରୀ ଡଙ୍ଗାଜୋର୍ ଗାଁକୁ ଯାଇ ପହଞ୍ଚି ଥିଲେ। ହେଲେ ସେଠାରେ କୌଣସି ଶିଶୁଙ୍କ ଦେହ ଅସୁସ୍ଥ ନ ଥିବା ଜାଣିବାକୁ ପାଇଥିଲେ। ଆମ୍ବୁଲାନ୍ସକୁ କଲ୍ କରିଥିବା ପିଣ୍ଟୁକୁ କର୍ମଚାରୀ ମାନେ ପଚାରିବାରୁ ସେ ମିଛରେ କଲ୍ କରି ଦେଇଥିବା କହିଥିଲା। ସେ ନିଶାସକ୍ତ ଅବସ୍ଥାରେ ଏପରି କରି ଥିବା ଜାଣି ଆମ୍ବୁଲାନ୍ସ କର୍ମଚାରୀ ମାନେ ତାଙ୍କୁ ସେହି ଆମ୍ବୁଲାନ୍ସ ରେ ବୋହି ଆଣି ଗୋବିନ୍ଦପୁର ପୋଲିସକୁ ଜିମା ଦେଇଥିଲେ। ପରେ ଏପରି ଭୁଲ ପୁଣି ନ କରିବାକୁ ତାଗିଦ୍ କରି ଅଟକ ରଖିଛି ଗୋବିନ୍ଦପୁର ପୁଲିସ।