ନୂଆଦିଲ୍ଲୀ, ୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତିନାମା ପରେ ଗଲ୍ଫ ଅଞ୍ଚଳରେ ଉତ୍ତେଜନା ବଢ଼ିଛି, ହେଲେ ଏବେ ଆମେରିକାର ପଡ଼ୋଶୀ ତଥା ଦକ୍ଷିଣ ଆମେରିକାର ସବୁଠାରୁ ବଡ଼ ଦେଶ ବ୍ରାଜିଲ ସହ ବିବାଦ ତେଜିବାରେ ଲାଗିଛି । ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି । ଆସନ୍ତା ଅକ୍ଟୋବର ମାସରେ ବ୍ରାଜିଲରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଆମେରିକା କୌଣସି ପ୍ରକାରର ହସ୍ତକ୍ଷେପ ନକରୁ ବୋଲି ଲୁଲା ସ୍ପଷ୍ଟ କରିଛନ୍ତି ।
ବିବାଦର ମୁଖ୍ୟ କାରଣ କ’ଣ ?
ବ୍ରାଜିଲର ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନକୁ ନେଇ ନିକଟରେ ଡୋନାଲ୍ଡ ଟ୍ରମ୍ପ ବ୍ରାଜିଲ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାର ଜବାବରେ ଲୁଲା ଏହି କଡ଼ା ବୟାନ ଦେଇଛନ୍ତି । କେବଳ ସେତିକି ନୁହେଁ, ଟ୍ରମ୍ପ ପ୍ରଶାସନ ବ୍ରାଜିଲରୁ ଆସୁଥିବା ସାମଗ୍ରୀ ଉପରେ ଅଧିକ ଟ୍ୟାରିଫ୍ ଲଗାଇବାକୁ ପ୍ରସ୍ତାବ ଦେଇଛି ଏବଂ ବ୍ରାଜିଲର ଦୁଇଟି ପ୍ରମୁଖ ଡ୍ରଗ୍ସ ମାଫିଆ ଗ୍ୟାଙ୍ଗକୁ ‘ବିଦେଶୀ ଆତଙ୍କବାଦୀ ସଂଗଠନ’ ଘୋଷଣା କରିଛି, ଯାହାକୁ ଲୁଲା ସରକାର ତୀବ୍ର ବିରୋଧ କରୁଛନ୍ତି । ଟ୍ରମ୍ପ କହିଛନ୍ତି, "ବ୍ରାଜିଲ ‘ରାଜନୈତିକ ଭାବେ ବିପଜ୍ଜନକ’ ହୋଇପଡ଼ିଛି ଏବଂ ସେଠାକାର ସରକାର ‘ବୋଲସୋନାରୋ ଜୁନିୟର’ଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି, ଯିଏ କି ନିର୍ବାଚନରେ ଭଲ ପ୍ରଦର୍ଶନ କରୁଥିଲେ ।"
ବୋଲସୋନାରୋ ପରିବାର ଓ ଆମେରିକା କନେକ୍ସନ:
ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କୁ ୨୦୨୨ ନିର୍ବାଚନ ହାରିବା ପରେ କ୍ଷମତାରେ ରହିବା ପାଇଁ ସେନା ବିଦ୍ରୋହ ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଟ୍ରମ୍ପ ଏହାକୁ ଏକ ରାଜନୈତିକ ପ୍ରତିଶୋଧ ବା "ୱିଚ୍-ହଣ୍ଟ" ବୋଲି କହି ବ୍ରାଜିଲ ଉପରେ ଶୁଳ୍କ ଲଗାଇଥିଲେ । ନିକଟରେ ବ୍ରାଜିଲର ସୁପ୍ରିମକୋର୍ଟ ବୋଲସୋନାରୋଙ୍କ ପୁଅ ତଥା ପୂର୍ବତନ ସାଂସଦ ଏଡୁଆର୍ଡୋ ବୋଲସୋନାରୋଙ୍କୁ କୋର୍ଟ ଉପରେ ଚାପ ପକାଇବା ଅଭିଯୋଗରେ ୪ ବର୍ଷ ୨ ମାସର ଜେଲ ଦଣ୍ଡ ଶୁଣାଇଛନ୍ତି । ସେପଟେ ଟ୍ରମ୍ପଙ୍କ ସଙ୍କେତ ବୋଲସୋନାରୋଙ୍କ ବଡ଼ ପୁଅ ସିନେଟର ଫ୍ଲାଭିଓ ବୋଲସୋନାରୋଙ୍କ ଆଡ଼କୁ ଥିବା ଅନୁମାନ କରାଯାଉଛି, ଯିଏ ଆଗାମୀ ନିର୍ବାଚନରେ ଲୁଲାଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ।
ଜି-୭ ସମିଟ୍ରେ ଟ୍ରମ୍ପଙ୍କୁ ଲୁଲାଙ୍କ ଜବାବ:
ଫ୍ରାନ୍ସର ଏଭିଆନ-ଲେସ-ବେନ୍ସଠାରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୁଲାଙ୍କୁ ଟ୍ରମ୍ପଙ୍କ ବୟାନ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ଲୁଲା କହିଛନ୍ତି, ଯଦି ଟ୍ରମ୍ପ କେବଳ ବୋଲସୋନାରୋ ପରିବାର ଜରିଆରେ ବ୍ରାଜିଲକୁ ଚିହ୍ନିଛନ୍ତି, ତେବେ ସେ ପ୍ରକୃତ ବ୍ରାଜିଲକୁ ଜାଣିନାହାନ୍ତି । ଟ୍ରମ୍ପ ବୋଲସୋନାରୋ ପରିବାରକୁ ପସନ୍ଦ କରିପାରନ୍ତି, ସେଥିରେ ଆମର କିଛି କହିବାର ନାହିଁ । କିନ୍ତୁ ବ୍ରାଜିଲ ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ଆମର ଆଭ୍ୟନ୍ତରୀଣ ବ୍ୟାପାର, ଏଥିରେ ଆମେରିକା ହସ୍ତକ୍ଷେପ ନକରୁ ।
ବାଣିଜ୍ୟ ଯୁଦ୍ଧର ଆଶଙ୍କା:
ବୋଲସୋନାରୋଙ୍କ ପୁଅମାନେ ୱାଶିଂଟନରେ ଟ୍ରମ୍ପଙ୍କୁ ଭେଟିବା ପରେ ଆମେରିକା ବ୍ରାଜିଲର ଦୁଇଟି ଗ୍ୟାଙ୍ଗ ଫର୍ଷ୍ଟ କମାଣ୍ଡ କ୍ୟାପିଟାଲ ଏବଂ ରେଡ୍ କମାଣ୍ଡକୁ ବ୍ୟାନ୍ କରିଛି । ଏହା ସହ ବ୍ରାଜିଲର ଅଣ-ନିରପେକ୍ଷ ବ୍ୟାପାର ନୀତି ଦର୍ଶାଇ ଆମେରିକା ୨୫ ପ୍ରତିଶତ ନୂଆ ଶୁଳ୍କ ଲଗାଇବାକୁ ପ୍ରସ୍ତୁତ ହେଉଛି, ଯାହା ବିଶ୍ୱର ୧୦ମ ବୃହତ୍ତମ ଅର୍ଥନୀତି ବ୍ରାଜିଲ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।
ଆହୁରି ପଢ଼ନ୍ତୁ...