ନୂଆଦିଲ୍ଲୀ ୧୮/୦୬: ଟେଲି ଅଭିନେତ୍ରୀ ସଂଚିତା ଉଗଲେଙ୍କ ଆତ୍ମହତ୍ୟା ପରେ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୁଲିସ ସଂଚିତାଙ୍କ ମୋବାଇଲ ଫୋନ୍ର ହ୍ୱାଟ୍ସଆପ୍ ଚାଟ୍ ଓ କଲ୍ ରେକର୍ଡ ଯାଞ୍ଚ କରୁଛି । ସଂଚିତା ଓ ଅନେକ ମନସ୍ତତ୍ତ୍ୱବିତ୍ଙ୍କ ମଧ୍ୟରେ ହ୍ୱାଟ୍ସଆପ୍ ଆଲୋଚନା ସାମ୍ନାକୁ ଆସିଛି । ଏଥିରୁ ଜଣାପଡୁଛି, ସଂଚିତା ନିଜ ଭବିଷ୍ୟତକୁ ନେଇ ଖୁବ୍ ଭୟଭୀତ ଥିଲେ । ଗତ କିଛି ମାସ ହେଲା ଜଣେ ମନୋଚିକିତ୍ସକଙ୍କ ପାଖରେ ସେ ଚିକିତ୍ସା କରାଉଥିଲେ ।
ଏବେ ସଂଚିତାଙ୍କ ସାଙ୍ଗ ଗୀତାଞ୍ଜଳି ଏକ ଗଣମାଧ୍ୟମକୁ କହିଛନ୍ତି, ଗତ ୬ ମାସ ହେଲା ସେ ଆତ୍ମହତ୍ୟା କଥା କହୁଥିଲେ । ଯଦି ଜଣେ ଦୀର୍ଘ ମାସ ଧରି କହୁଛି ଯେ ଆତ୍ମହତ୍ୟା ଦ୍ୱାରା ତା’ର ମୃତ୍ୟୁ ହେବ, ତେବେ ଏହା ହଠାତ୍ ନୁହେଁ । ସଂଚିତା ଦୀର୍ଘ ଦିନ ଧରି ଅବସାଦରେ ଥିଲେ । ବଞ୍ଚିବାକୁ ଚାହୁଁନାହାନ୍ତି ବୋଲି କହୁଥିଲେ । ମୋ ହିସାବରେ ଏହା ଗତ ଜାନୁଆରୀରୁ ଆରମ୍ଭ ହୋଇଥିଲା । ସେ ୫-୫ ଦିନ ଧରି ଶୋଉନଥିଲେ । ସହ-କଳାକାର ମେଘା ଶର୍ମା ମଧ୍ୟ ସଂଚିତା ଅବସାଦରେ ଥିବା ଓ ତାଙ୍କର ଚିକିତ୍ସା ଚାଲିଥିବା କଥା କହିଛନ୍ତି ।
ଡାଇଲଗ୍ ଭୁଲିବା ପାଇଁ ଚିନ୍ତାରେ ଥିଲେ
ସଂଚିତାଙ୍କ ହ୍ୱାଟ୍ସଆପ୍ ଚାଟ୍ରୁ ଅଭିନୟ କ୍ୟାରିଅର୍ରେ ସେ ସମ୍ମୁଖୀନ ହେଉଥିବା ସମସ୍ୟା ସାମ୍ନାକୁ ଆସିଛି । ସେ ଡାକ୍ତରଙ୍କୁ କହିଥିଲେ ଯେ ଡାଇଲଗ୍ ଭୁଲିଯାଉଛନ୍ତି । ପୂର୍ବ ଭଳି ଠିକ୍ରେ କାମ କରିପାରୁନାହାନ୍ତି । ନିଜକୁ ପୂରାପୂରି ହଜାଇ ଦେଇଥିବା କହିଥିଲେ । ଅନେକ ମାସ ଧରି ଚିକିତ୍ସା ସତ୍ତେ୍ୱ ସ୍ଥିତିରେ କୌଣସି ସୁଧାର ହେଉନଥିଲା, ଯେଉଁଥିପାଇଁ ସେ ଖୁବ୍ ଚିନ୍ତିତ ଥିଲେ । ମନସ୍ତତ୍ତ୍ୱବିତ୍ ତାଙ୍କୁ ଅନ୍ଲାଇନ୍ କାଉନସିଲ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ ।
ଟଙ୍କା ପାଇଁ ନିର୍ଯାତନା: ସଂଚିତାଙ୍କ ବାପା ସଂଚିତାଙ୍କ ବାପା
ମଚ୍ଛିନ୍ଦ୍ର ଉଗଲେ କହିଛନ୍ତି, ଝିଅ ପ୍ରାୟତଃ ଚିନ୍ତାରେ ରହୁଥିଲା । ଆମକୁ ସେ କେବେ ବି କାରଣ କହୁନଥିଲା । ଅନେକ ସମୟରେ ସେ ପୂରାପୂରି ଠିକ୍ ଓ ଖୁସି ଜଣାପଡୁଥିଲା । କିନ୍ତୁ ହଠାତ୍ ଅବସାଦର ଶିକାର ହୋଇଯାଉଥିଲା । ଏ କଥା ଆମ ନଜରକୁ ଆସିବା ପରେ ତା’ ସହ ଆମ ଯିବା ଆସିବା ଲାଗି ରହୁଥିଲା । କେବଳ ଅଧ ଘଣ୍ଟା ଆମେ ତା’ସହ ନ ଥିଲୁ । ତାହା ଆମର ଭୁଲ । କିନ୍ତୁ ସେ ଅବସାଦଗ୍ରସ୍ତ ହୋଇ ଏଭଳି ନିଷ୍ପତ୍ତି ନେବ ବୋଲି ଆମେ କେବେ କଳ୍ପନା କରିନଥିଲୁ । ତାକୁ କେହି ଟଙ୍କା କିମ୍ବା ଅନ୍ୟ କୌଣସି କଥାକୁ ନେଇ ନିର୍ଯାତନା ଦେଉଥିଲା ।
ମୃତ୍ୟୁ ପୂର୍ବରୁ ଶେଷ ଭିଡିଓ
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସଂଚିତାଙ୍କ ଔପଚାରିକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରୁ ଏକ ରିଲ୍ ପୋଷ୍ଟ ହୋଇଥିଲା । ଭିଡିଓରେ ସେ ‘ଡଫଲି ୱାଲେ, ଡଫଲି ବଜା’ ଗୀତରେ ଭାବଭଙ୍ଗୀ ପ୍ରଦର୍ଶନ କରୁଥିଲେ । ଭିଡିଓର କାପ୍ସନ ଲେଖିଥିଲେ ‘ମେଁ ନାଚୁଁ, ତୁ ନଚା ।’ ସୋସିଆଲ ମିଡିଆରେ ସଂଚିତା ଖୁବ୍ ସକ୍ରିୟ ଥିଲେ ଏବଂ ଲଗାତାର ପୋଷ୍ଟ ଶେୟାର କରୁଥିଲେ । ଇନ୍ଷ୍ଟାଗ୍ରାମରେ ତାଙ୍କର ୧.୩୯ ଲକ୍ଷ ଫଲୋଅର୍ ଅଛନ୍ତି ।
ଡେଟିଂ ଗୁଜବକୁ ଖଣ୍ଡନ କଲେ କୋ-ଷ୍ଟାର୍
ସଂଚିତାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ ‘ସାଜନ ଘର୍’ କୋ-ଷ୍ଟାର୍ ଉଜ୍ଜ୍ୱଳ ଶର୍ମାଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ଉଠିଛି । କିନ୍ତୁ ଉଜ୍ଜ୍ୱଳ ଏହାକୁ ଖଣ୍ଡନ କରିଛନ୍ତି । ଏକ ଗଣମାଧ୍ୟମ ସହ ଆଲୋଚନାରେ ସେ ସ୍ପଷ୍ଟ କରିଛନ୍ତି, ଉଭୟଙ୍କ ମଧ୍ୟରେ କେବେ ବି ପ୍ରେମ ସମ୍ପର୍କ ନ ଥିଲା । ସେ ଆହୁରି କହିଲେ ଯେ ସଂଚିତା ଅନ୍ୟ ଜଣଙ୍କୁ ଡେଟ୍ କରୁଥିଲେ ଏବଂ ତାଙ୍କ ସହ ଲିଭ୍-ଇନ୍ରେ ରହୁଥିଲେ । ବୟଫ୍ରେଣ୍ଡଙ୍କ ସହ ବ୍ରେକ୍ଅପ୍ ପରେ ସେ ଖୁବ୍ ଖରାପ ସମୟ ଦେଇ ଗତି କରୁଥିଲେ ଏବଂ ମାନସିକ ଚାପ ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଥିଲେ । ତାଙ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଚିକିତ୍ସାରେ ସାହାଯ୍ୟ କରିଥିଲା ।
ଆହୁରି ପଢ଼ନ୍ତୁ...Sanchita Ugale: ଆଉ ନାହାନ୍ତି 'କୁମକୁମ ଭାଗ୍ୟ' ଆକ୍ଟ୍ରେସ୍ ସଞ୍ଚିତା ଉଗଲେ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ
ଲୋକପ୍ରିୟ ଟେଲି ନାୟିକା
ସଂଚିତା ଅନେକ ଧାରାବାହିକ ଓ ଫିଲ୍ମରେ କାମ କରିଥିଲେ । ଲୋକପ୍ରିୟ ଟିଭି ଶୋ’ ‘କୁମ୍କୁମ୍ ଭାଗ୍ୟ’, ‘ୱାଗଲେ କି ଦୁନିୟା’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ଦଙ୍ଗଲ ଟିଭି ଚ୍ୟାନେଲର ଧାରାବାହିକ ‘ସାଜନ୍ ଘର ମେଁ’ରେ ଶେଷ ଥର ସେ ପରଦାକୁ ଆସିଥିଲେ । ଲୋକପ୍ରିୟ ଧାରାବାହିକ ‘ଦିଲୱାଲୀ ଦୁଲ୍ହା ଲେ ଜାଏଗୀ’ରେ ସୌରଭ ବେଦୀଙ୍କ ସହ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମ ‘ଛାବା’ରେ ତାଙ୍କୁ ତାରାବାଈ ଭୂମିକାରେ ଦେଖିବାକୁ ମିଳିଥିଲା । ମନୋଜ ବାଜପେୟୀଙ୍କ ସହ ‘ସାଇଲେନ୍ସ ୨: ଦ ନାଇଟ୍ ଆଉଲ ବାର୍ ଶୁଟ୍ଆଉଟ୍’ରେ ମଧ୍ୟ ସେ କାମ କରିଥିଲେ ।