ନୂଆଦିଲ୍ଲୀ, ୦୨/୦୮ : ଉପରେ ବନ୍ଧୁ ହୋଇ ଭିତରୁ ଚେର କାଟୁଛନ୍ତି ଆମେରିକା ରାଷ୍ଟ୍ରପତି। ଭାରତ ଉପରେ ଏବେ ଟ୍ରମ୍ପ ଟାରିଫ୍ ଚାପ ପକାଉଥିବା ବେଳେ ସାମ୍ନାକୁ ଆସିଛି ଆମେରିକାରୁ ନିର୍ବାସିତ ହୋଇଥିବା ଭାରତୀୟଙ୍କ ସଂଖ୍ୟା। ଗତ ୭ ମାସ ଭିତରେ ୧୭୦୦ରୁ ଅଧିକ ଭାରତୀୟଙ୍କୁ ଆମେରିକାରୁ ନିର୍ବାସିତ କରିଛନ୍ତି ଟ୍ରମ୍ପ। ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ଅଛନ୍ତି ପଞ୍ଜାବ ଏବଂ ହରିୟାଣାର ଲୋକ। ଲୋକସଭାରେ ରିପୋର୍ଟ ଦେଲେ ବିଦେଶ ରାଜ୍ୟ ମନ୍ତ୍ରୀ କିର୍ତ୍ତି ବର୍ଦ୍ଧନ ସିଂହ।
୨୦୨୦ ରୁ ୨୦୨୪ ଭିତରେ ୫ ହଜାର ୫୪୧ ଭାରତୀୟଙ୍କୁ ଆମେରିକାରୁ ନିର୍ବାସିତ କରାଯାଇଛି। ୨୦୨୫ରେ ମୋଟ ୧୭୦୩ ଭାରତୀୟଙ୍କୁ ଅମେରିକାରୁ ନିର୍ବାସିତ କରାଯାଇଛି। ସେମାନଙ୍କ ମଧ୍ୟରେ ୧୫୬୨ ଜଣ ପୁରୁଷ ଥିବା ବେଳେ ୧୪୧ ଜଣ ମହିଳା ଅଛନ୍ତି। ଏମାନଙ୍କ ଭିତରେ ସବୁଠୁ ଅଧିକ ୬୨୦ ଜଣ ପଞ୍ଜାବର ଥିବା ବେଳେ ହରିୟାଣାର ୬୦୪ ଜଣ ରହିଛନ୍ତି। ସେହିପରି ଗୁଜରାଟର ୨୪୫ ଜଣ ଥିବା ବେଳେ ଜମ୍ମୁ କାଶ୍ମୀରର ୧୦ ଜଣ ଆମେରିକାରୁ ଡିପୋଟ୍ ହୋଇଛନ୍ତି। ସେମାନଙ୍କ ଭିତରୁ ୬ ଜଣ କେଉଁ ରାଜ୍ୟର ବୋଲି ଚିହ୍ନଟ ହୋଇପାରି ନାହିଁ। ତେବେ ଡିପୋଟେସନ ବେଳେ ମହିଳା ଏବଂ ଶିଶୁଙ୍କର ଭିଡିଓ ଉତ୍ତୋଳନ କରାଯାଇଥିଲା। ଯାହାକୁ ନେଇ ଭାରତ ସରକାର ଚିନ୍ତା ପ୍ରକାଶ କରିଥିଲେ। ତେବେ ନିର୍ବାସନ ବେଳେ କୌଣସି ନାଗରିକଙ୍କ ସହ ଦୁର୍ବ୍ୟବହାର ହୋଇନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ପ୍ରବାସୀମାନେ ଡଙ୍କି ରୁଟ୍ ଦେଇ ଆମେରିକାରେ ପ୍ରବେଶ କରିଥିଲେ। ଅବୈଧ ଭାବରେ ବସବାସ କରୁଥିଲେ।
ସେହିପରି ୨୦୨୦ ରୁ ୨୦୨୪ ମଧ୍ୟରେ ୩୧୧ ଜଣ ଭାରତୀୟଙ୍କୁ ବ୍ରିଟେନରୁ ନିର୍ବାସିତ କରାଯାଇଥିବା ବେଳେ ୨୦୨୫ରେ ୧୩୧ ଜଣଙ୍କୁ ଡିପୋଟ୍ କରାଯାଇଛି। ତେବେ ନିର୍ବାସନ କୌଣସି ନୂଆ କଥା ନୁହେଁ। ଅବୈଧ ଭାବରେ ରହୁଥିବା ଲୋକଙ୍କୁ ପ୍ରତି ବର୍ଷ ନିର୍ବାସିତ କରାଯାଏ।