ନୂଆଦିଲ୍ଲୀ: ନୂଆବର୍ଷ ପାଳନ ପାଇଁ ବଜାରରେ ଜମିଥିଲା ଲୋକଙ୍କ ଭିଡ଼। ସମସ୍ତେ ଅପେକ୍ଷା କରିଥିଲେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ। ହେଲେ ଏହି ସମୟରେ ହଠାତ୍ ଏକ ଟ୍ରକ୍ ଆସି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ବୁଧବାର ସକାଳେ ଆମେରିକାର ସେଣ୍ଟ୍ରାଲ ନ୍ୟୁ ଅରଲ୍ୟାନ୍ସ ସହରରେ ଥିବା ନ୍ୟୁ ଅରଲ୍ୟାନ୍ସର ବର୍ବନ ଷ୍ଟ୍ରିଟ ଓ ଇବରଭିଲେ ଅଞ୍ଚଳରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। 

ଖବର ମୁତାବକ ଦୁର୍ବୃତ୍ତ ଜଣଙ୍କ ଦ୍ରୁତ ଗତିରେ ଟ୍ରକ ଚଳାଇ ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲା। ଟ୍ରକ୍ ଚଢାଇବା ପରେ ହଠାତ୍ ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲା ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ରିପୋର୍ଟ ପ୍ରକାଶ କରିଛି। ମିଡିଆ ରିପୋର୍ଟ ଅନୁସାରେ, ପୁଲିସ ମଧ୍ୟ ଦୁର୍ବୃତ୍ତ ଉପରେ ପାଲଟା ଗୁଳି ମାଡ଼ କରିଥିଲା। ତେବେ କୌଶଳ କ୍ରମେ ପୁଲିସ ଦୁର୍ବୃତ୍ତକୁ କାବୁ କରି ଡାକ୍ତରଖାନା ନେଇଛି। 

ଗୁଳିକାଣ୍ଡ ଘଟିବା ପରେ ଖବର ପାଇ ଆମେରିକା ଜରୁରିକାଳିନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଆହତମାନଙ୍କୁ ପୋଲିସ, ଆମ୍ବୁଲାନ୍ସ ଓ ବିଭିନ୍ନ ଅଧିକାରୀମାନଙ୍କ ସହାୟତାରେ ଡାକ୍ତରଖାନାକୁ ନିଆଯାଇଥିଲା। 

ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଟି କାର୍ କି ଟ୍ରକ୍ ଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଘଟଣାକୁ ନେଇ ନ୍ୟୁ ଅରଲ୍ୟାନ୍ସ ପୋଲିସ ଡ଼ିପାର୍ଟମେଣ୍ଟ(ଏନଓପିଡି)ର ମୁଖପାତ୍ର କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଏକ କାର ଦ୍ରୁତ ଗତିରେ ଭିଡ଼ ଭିତରେ ପଶି ଆସିଥିଲେ। 

ଏଥିରେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ ବୋଲି ପୁଲିସ ମୁଖପାତ୍ର କହିଛନ୍ତି। ସରକାରଙ୍କ ପକ୍ଷରୁ ମଧ୍ୟ ମୃତକଙ୍କ ସଂଖ୍ୟା ଘୋଷଣା କରାଯାଇ ନାହିଁ। ତେବେ ଏହି ଘଟଣା ପରେ ମାର୍କେଟ୍ ଲୋକମାନଙ୍କ ଏକାଠି ହେବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।