ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ କୋଟି କୋଟି ଟଙ୍କାର ଖଣିଜ ଥିବା ଦାବି କରି ଆମେରିକା ଏବେ ସେଠାରେ ବିପୁଳ ପରିମାଣରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି । ଏକ ଆମେରିକୀୟ ମେଟାଲ କମ୍ପାନୀ ପାକିସ୍ତାନ ସହିତ ପ୍ରାୟ ୫୦୦ ନିୟୁତ ଡଲାର (ଅର୍ଥାତ୍ ପ୍ରାୟ ୧୪୦୦୦ କୋଟି ଟଙ୍କା)ର ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛି । ପାକିସ୍ତାନର ଖଣିଜ ସମ୍ପଦ ଅନୁସନ୍ଧାନ କରିବା ଏବଂ ସେଗୁଡ଼ିକୁ ବିଶୋଧନ କରି ବିଶ୍ୱରେ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି ଏହି କମ୍ପାନୀ । ଏହି ଚୁକ୍ତିନାମା ଆମେରିକାର ମିସୌରୀରେ ଅବସ୍ଥିତ କମ୍ପାନୀ US Strategic Metals (USSM) ଏବଂ ପାକିସ୍ତାନର ଫ୍ରଣ୍ଟିୟର୍ ୱାର୍କ୍ସ ଅର୍ଗାନାଇଜେସନ୍ (FWO) ମଧ୍ୟରେ ସ୍ୱାକ୍ଷରିତ ହୋଇଛି । FWO ହେଉଛି ପାକିସ୍ତାନ ସେନା ଅଧୀନରେ ସବୁଠାରୁ ବଡ଼ ଖଣି ସଂସ୍ଥା ।

ଏହି ଚୁକ୍ତିନାମା ଅନୁଯାୟୀ, ଉଭୟ ମିଳିତ ଭାବରେ ଏକ ପଲି-ମେଟାଲିକ୍ ରିଫାଇନାରୀ ନିର୍ମାଣ କରିବେ ଏବଂ ଖଣିଜ ପାଇଁ ନୂତନ ପ୍ରକଳ୍ପ ଆରମ୍ଭ କରିବେ। ଏହି ସହଭାଗୀତା ମାଧ୍ୟମରେ ଆମେରିକା ପାକିସ୍ତାନରୁ ଖଣିଜ ପଦାର୍ଥ ପାଇବ ଯାହା ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏଥିରେ ସୁନା, ତମ୍ବା, ଟଙ୍ଗଷ୍ଟନ୍, ଆଣ୍ଟିମନି ଏବଂ ବିରଳ ଆର୍ଥ ମେଟେରିଆଲ୍‌ ଅନ୍ତର୍ଭୁକ୍ତ । ଏଗୁଡ଼ିକ ବୈଦ୍ୟୁତିକ ଯାନ, ମୋବାଇଲ୍, ସାଟେଲାଇଟ୍ ନିର୍ମାଣରେ ବ୍ୟବହାର ହୁଏ। ପାକିସ୍ତାନ ସରକାର ବିଶ୍ୱାସ କରନ୍ତି ଯେ, ଦେଶର ଖଣିଜ ସମ୍ପଦ କୋଟି କୋଟି ଡଲାର ମୂଲ୍ୟର ଏବଂ ସେଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରି ଦୀର୍ଘକାଳୀନ ଆର୍ଥିକ ସଙ୍କଟରୁ ବାହାରି ଆସିପାରିବ । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜେ ଆମେରିକୀୟ କମ୍ପାନୀର ପ୍ରତିନିଧିମାନଙ୍କୁ ଭେଟି କହିଛନ୍ତି ଯେ, ଏହି ଚୁକ୍ତି ଦ୍ୱାରା ଦେଶ ଋଣ ବୋଝରୁ ମୁକ୍ତି ପାଇବ ବୋଲି ଆଶା କରାଯାଉଛି ।

ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଖଣିଜ ପଦାର୍ଥକୁ 'ବିରଳ ପୃଥିବୀ ସମ୍ପତ୍ତି' ବୋଲି ଅଭିହିତ କରି କହିଛନ୍ତି ଯେ, ଏହା ଦେଶରେ ସମୃଦ୍ଧି ଆଣିବ। ଏହି ସହଭାଗୀତା କେବଳ ଖଣିଜ ପଦାର୍ଥ ଉତ୍ତୋଳନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଖଣିଜ ପଦାର୍ଥକୁ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରିବା ପାଇଁ ମଧ୍ୟ କାର୍ଯ୍ୟ କରାଯିବ । ଇସଲାମାବାଦରେ ଥିବା ଆମେରିକୀୟ ଦୂତାବାସ ମଧ୍ୟ ଏହି ଚୁକ୍ତିନାମା ଉପରେ ଖୁସି ପ୍ରକାଶ କରିଛି । ଦୂତାବାସ ଅନୁଯାୟୀ, ଏହି ଚୁକ୍ତି ଆମେରିକା-ପାକିସ୍ତାନ ସମ୍ପର୍କକୁ ଆହୁରି ମଜଭୁତ କରିବ। ଦୂତାବାସ ସୋସିଆଲ ମିଡିଆରେ ଲେଖିଛି, ‘ପାକିସ୍ତାନରେ USSM ଦ୍ୱାରା ନିବେଶ ଉଭୟ ଦେଶ ପାଇଁ ଅପାର ସମ୍ଭାବନା ଆଡ଼କୁ ଏକ ପଦକ୍ଷେପ।