ନୂଆଦିଲ୍ଲୀ: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଇନ୍ଦିରା ପଏଣ୍ଟର ଦକ୍ଷିଣ-ପୂର୍ବରେ ଫସି ରହିଥିଲା ଏକ ଛୋଟ ଆମେରିକୀୟ ଜାହାଜ । କିନ୍ତୁ ଭାରତୀୟ ତଟରକ୍ଷୀ ବାହିନୀ କମାଲ କରି ଦେଖାଇଛି । ଏଥିରେ ଥିବା ଦୁଇ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିବା ସହ ଜାହାଜକୁ ତଟକୁ ଆଣିବାରେ ସଫଳ ହୋଇଥିବା ଜଣାପଡ଼ିଛି । ପୋର୍ଟ ବ୍ଲେୟାରରେ ଥିବା ଭାରତୀୟ ତଟରକ୍ଷୀ ବାହିନୀର ସାମୁଦ୍ରିକ ଉଦ୍ଧାର ସମନ୍ୱୟ କେନ୍ଦ୍ର (MRCC) କୁ ଗୁରୁବାର ସକାଳ ୧୧.୫୭ରେ ଚେନ୍ନାଇସ୍ଥିତ ଆମେରିକୀୟ କନସୁଲେଟ୍-ଜେନେରାଲଙ୍କଠାରୁ ଏକ ସୂଚନା ମିଳିଥିଲା । 'ସି ଏଞ୍ଜେଲ' ଜାହାଜ ଏବଂ ଦୁଇ ଜଣ କ୍ରୁ ସଦସ୍ୟ ଇନ୍ଦିରା ପଏଣ୍ଟର ଦକ୍ଷିଣ-ପୂର୍ବରେ ୫୨ ନଟିକାଲ୍ ମାଇଲ୍ ଦୂରରେ ଫସି ରହିଥିବା ନେଇ ଏମଆରସିସିକୁ ସୂଚନା ମିଳିଥିଲା ।
କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ ଏବଂ ଅନ୍ୟ ଜଣେ ତୁର୍କୀ ନାଗରିକ ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ତଟରକ୍ଷୀ ବାହିନୀର ଅଧିକାରୀ କହିଛନ୍ତି ଯେ, ଜାହାଜଟି ଅତ୍ୟନ୍ତ ଖରାପ ପାଗରେ ଫସି ଯାଇଥିଲା । ଏହାର ପ୍ରୋପେଲରରେ କିଛି ଫସି ଯାଇଥିଲା । ଫଳରେ ଏହା ଆଗକୁ ଗତି କରିପାରିନଥିଲା । ଏମଆରସିସି, ପୋର୍ଟ ବ୍ଲେୟାର ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଆନ୍ତର୍ଜାତୀକ ସୁରକ୍ଷା ନେଟ୍' (ISN)କୁ ସକ୍ରିୟ କରିଥିଲା । ନିକଟବର୍ତ୍ତୀ ସମସ୍ତ ମାଲବାହୀ ଜାହାଜକୁ ସତର୍କ କରିଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ICGS ରାଜବୀରକୁ (ଜାହାଜ) ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଅପରାହ୍ନ ୨ଟାରେ ପଠାଯାଇଥିଲା ।
Heroic rescue at sea! 🇮🇳 @IndiaCoastGuard ship #Rajveer braved raging winds & rough seas to save #US yacht Sea Angel with two crew, after complete propulsion failure near #IndiraPoint. On 10 Jul 25, at 1157 hrs #ICG MRCC #PortBlair received a distress alert from #UnitedStates… pic.twitter.com/DQyn5Gtame
— Indian Coast Guard (@IndiaCoastGuard) July 11, 2025
ଆଇସିଜିଏସ୍ ରାଜବୀର ସନ୍ଧ୍ୟା ୫.୩୦ରେ ଜାହାଜ ପାଖରେ ପହଞ୍ଚିଥିଲା ଏବଂ କ୍ରୁ ସହିତ ଯୋଗାଯୋଗ ସ୍ଥାପନ କରିଥିଲା । ପ୍ରବଳ ପବନ ଏବଂ ଯାନ୍ତ୍ରିକ ବିଫଳତା ସତ୍ତ୍ୱେ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ସନ୍ଧ୍ୟା ୬.୫୦ ସୁଦ୍ଧା ଜାହାଜକୁ ସୁରକ୍ଷିତ ଭାବରେ କ୍ୟାମ୍ପବେଲ ବେକୁ ଟାଣି ନିଆଯାଇଥିଲା ଏବଂ ଜୁଲାଇ ୧୧ ସକାଳ ୮ଟାରେ ବନ୍ଦରରେ ପହଞ୍ଚିଥିଲା । ଅଧିକାରୀ କହିଛନ୍ତି ଯେ, ଏହି ଦ୍ରୁତ ଏବଂ ସଫଳ ଉଦ୍ଧାର କାର୍ଯ୍ୟ ସାମୁଦ୍ରିକ ସୁରକ୍ଷା ପ୍ରତି ଆଇସିଜିର ଅଟଳ ପ୍ରତିବଦ୍ଧତାର ପ୍ରମାଣ ।