ୱାଶିଂଟନ,୦୬/୦୪: ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ବ୍ରିଟେନ୍‌ ଏବଂ ୟୁରୋପୀୟ ସଂଘ  ସହିତ ପ୍ରାୟ ସମସ୍ତ ରାଷ୍ଟ୍ରଗୁଡ଼ିକ ପାଇଁ ଘୋଷଣା  କରିଛନ୍ତି ଯେସାକୁ ତେସା ଶୁଳ୍କ । ତେବେ ଏ  ପଦକ୍ଷେପ ଖାଲି ଯେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ  କରିବ ତାହା ନୁହେଁ, ନିଜେ ଆମେରିକା ବି ବର୍ତ୍ତିବ  ନାହିଁ । ଟ୍ରମ୍ପଙ୍କ ଏ ନିଷ୍ପତ୍ତି ଏକ ଆତ୍ମଘାତୀ ଶୁଳ୍କ  ବୋମା । ଏହା ଆମେରିକାରେ ବଡ଼ ଧରଣର  ଆର୍ଥିକ ବିପତ୍ତି ଆଣିବ। ଦରଦାମ ସ୍ଥିତି ଉତ୍କଟ  ହେବ ବୋଲି ଅର୍ଥନୀତିଜ୍ଞମାନେ ଚେତାବନୀ  ଦେଇଛନ୍ତି । ବିଭିନ୍ନ ପ୍ରକାର ବିତ୍ତୀୟ ଆହ୍ୱାନ  ସତ୍ତେ୍ୱ ଟ୍ରମ୍ପ ନିଜର ଶୁଳ୍କ ରଣନୀତିରେ ଅଟଳ  ରହିଛନ୍ତି । ତାଙ୍କ ମୁତାବକ ଟାରିଫ୍‌ ଦ୍ୱାରା ପ୍ରତିବର୍ଷ  ଆମେରିକାକୁ ୬୦୦୦୦ କୋଟି ଡଲାରର ରାଜସ୍ୱ ମିଳିବ । କିନ୍ତୁ ଅର୍ଥନୀତିଜ୍ଞମାନେ ଏହି ଦାବିକୁ  ଖଣ୍ଡନ କରିଛନ୍ତି । 

ଏମାନେ କହିଛନ୍ତି ଯେ, ଏହାର  ବୋଝ ଉପଭୋକ୍ତା ଏବଂ କମ୍ପାନିଗୁଡ଼ିକ ଉପରେ ପଡ଼ିବ । ସମ୍ଭାବ୍ୟ ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ  ରଖି ଏବେ ଆମେରିକୀୟମାନେ ବିଭିନ୍ନ ପ୍ରକାର  ସାମଗ୍ରୀ ଆଗୁଆ ଠୁଳ କଲେଣି । ଲାପ୍‌ଟପ୍‌, ସ୍ମାର୍ଟଫୋନ୍‌, ପୋଷାକ, ଜୋତା, ଫର୍ଣ୍ଣିଚର,  ଅଟୋମୋବାଇଲ, ବିଦେଶୀ ଖାଦ୍ୟ, ଜିମ୍‌ ଏବଂ  ୱେଲ୍‌ନେସ୍‌ ଉପକରଣ ସହ ଅନ୍ୟାନ୍ୟ ସାମଗ୍ରୀ  ଷ୍ଟୋରରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। 

ଶୁଳ୍କ  ଲାଗୁ ହେବା ପୂର୍ବରୁ ଏସବୁ ଉତ୍ପାଦ ଆଗୁଆ  କିଣିନେଲେଣି ଆମେରିକୀୟ ।  ଶୁଳ୍କ ଲାଗିବା ପରେ ଆମେରିକା ବାହାରେ  ପ୍ରସ୍ତୁତ ଗାଡ଼ି ଆଗକୁ ମହଙ୍ଗା ହୋଇଯିବ ।  କାରଣ ବିଦେଶୀ ଗାଡ଼ି ଉପରେ ଟ୍ରମ୍ପ ୨୫%  ଶୁଳ୍କ ଲଗାଇବେ । ତେଣୁ ଲୋକେ ତରବରିଆ  ହୋଇ ଏହି ଗାଡ଼ିଗୁଡ଼ିକୁ କିଣି ପକାଇଲେଣି । 

ତାଇୱାନ ଉପରେ ୩୨% ଏବଂ ଚୀନ୍‌  ଉପରେ ଟ୍ରମ୍ପଙ୍କ ୫୨% ଶୁଳ୍କ ଘୋଷଣା ପରେ  ଆମେରିକୀୟମାନେ ଟାବ୍‌ଲେଟ୍‌, ସ୍ମାର୍ଟଫୋନ୍‌ ଏବଂ ଲାପ୍‌ଟପ୍‌ ଷ୍ଟୋରରେ ଭିଡ଼ ଲଗାଇଛନ୍ତି । ଏହାର  କମ୍ପୋନେଣ୍ଟଗୁଡ଼ିକ ଚୀନ୍‌ରୁ ଆସିଥାଏ । ତେଣୁ  ଆଗକୁ ଏସବୁ ଉତ୍ପାଦ ମହଙ୍ଗା ହୋଇଯିବ। ନୂଆ କାର ତଥା ଇଭି କିଣିବା ପାଇଁ ଯୋଜନା  କରିଥିବା ଆମେରିକୀୟମାନେ ସମୟ ବିଳମ୍ବ  ନ କରି ବିଦେଶରୁ ଆମଦାନି ହେଉଥିବା କାର କିଣିବାକୁ ସୋ’ରୁମ୍‌ରେ ଭିଡ଼ ଲଗାଇଲେଣି । ଦାମ  ବଢ଼ିବା ପୂର୍ବରୁ ଗାଡ଼ି କିଣିବାକୁ ଏମାନେ ଚାହାନ୍ତି । 

ଗ୍ୟାପ୍‌ ଭଳି ପ୍ରମୁଖ ପୋଷାକ ବ୍ରାଣ୍ଡଗୁଡ଼ିକ  ସେମାନଙ୍କ ୨୧% ପୋଷାକ ଭିଏତ୍‌ନାମରୁ ଏବଂ  ୩୭% ଭାରତ, ଇଣ୍ଡୋନେସିଆ ଓ ବାଂଲାଦେଶରୁ  ସଂଗ୍ରହ କରନ୍ତି । ଆଉ ଏକ ଲୋକପ୍ରିୟ ବ୍ରାଣ୍ଡ୍‌  ଏଚ୍‌ ଆଣ୍ଡ୍‌ ଏମ୍‌ ମଧ୍ୟ ଚୀନ୍‌ ଏବଂ ବାଂଲାଦେଶରେ  ଏହାର ପୋଷାକ ତିଆରି କରିଥାଏ । ତେଣୁ ଶୁଳ୍କ  ପ୍ରଭାବ ପଡ଼ିବା ପୂର୍ବରୁ ଆମେରିକୀୟମାନେ ପ୍ରଚୁର  ମାତ୍ରାରେ ଜିନ୍ସ, ସ୍ପୋର୍ଟସ ୱେର୍‌, ୱାର୍କୱେର୍‌ ଏବଂ  ଜୋତା ଆଦି କିଣୁଛନ୍ତି ।  

ଆମେରିକା ବାହାର ଦେଶରୁ ବୃହତ୍‌  ମାତ୍ରାରେ କଫି, ସ୍ନାକ୍ସ ଏବଂ ଅନ୍ୟାନ୍ୟ ଗ୍ରୋସେରି  ଆମଦାନି କରିଥାଏ । ଥରେ ଶୁଳ୍କ ପ୍ରଭାବ ପଡ଼ିବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ତେଣୁ  ଆମେରିକୀୟମାନେ ପ୍ରଚୁର ମାତ୍ରାରେ ଏଗୁଡ଼ିକୁ  ଠୁଳ କରି ଚାଲିଛନ୍ତି ।  ବିଭିନ୍ନ ରାଷ୍ଟ୍ରରୁ ଆମେରିକା ଟ୍ରେଡ୍‌ମିଲ୍‌,  ଷ୍ଟେସ୍‌ନାରୀ ବାଇକ୍‌, ମସାଜ୍‌ ଚେୟାର  ଏବଂ ଅନ୍ୟାନ୍ୟ ଜିମ୍‌ ଉପକରଣ ଆମଦାନି  କରିଥାଏ । ଏଗୁଡ଼ିକ ମହଙ୍ଗା ହେବା ପୂର୍ବରୁ  ଆମେରିକୀୟମାନେ ମହଜୁଦ କରୁଛନ୍ତି ।  

ସେହଭିଳି ଚୀନ୍‌ ଏବଂ ତାଇୱାନ୍‌ରୁ  ଆମେରିକାକୁ ବିଭିନ୍ନ ପ୍ରକାର ଇଲେକ୍ଟ୍ରିକାଲ  ଆପ୍ଲିଆନ୍ସେସ୍‌ ଯଥା ରେଫ୍ରିଜରେଟର, ୱାଶିଂ  ମେଶିନ୍‌, ମାଇକ୍ରୋୱେଭ୍‌ ଏବଂ ଡିସ୍‌ୱାଶର ତଥା  ଏହାର କମ୍ପୋନେଣ୍ଟଗୁଡ଼ିକ ଆମଦାନି ହୋଇଥାଏ ।  ତେଣୁ ବର୍ତ୍ତମାନ ଆମେରିକୀୟମାନେ ଏସବୁ  ଷ୍ଟୋରରେ ବି ଭିଡ଼ ଲଗାଇଛନ୍ତି ।  

ଅନ୍ୟାନ୍ୟ ସାମଗ୍ରୀ ମଧ୍ୟରେ  ଆମେରିକୀୟମାନେ ବିଲ୍‌ଡିଂ ଏବଂ ରିନୋଭେଶନ  ମାଟେରିଆଲ, କିଚେନ୍‌ ଆପ୍ଲାଏନ୍ସେସ୍‌ ଏବଂ  ପିଲାଙ୍କ ପ୍ରଡକ୍ଟ, ଡାଏପର, ଖେଳନା, ପିଲାଙ୍କ  ପୋଷାକ ଏବଂ ଷ୍ଟ୍ରଲର କିଣୁଛନ୍ତି । ଶୁଳ୍କ ଲାଗୁ  ହେବା ପରେ ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ ।  

ସୂଚନାଯୋଗ୍ୟ, ଚୀନ୍‌, ଭାରତ, ଭିଏତ୍‌ନାମ  ସହିତ ୬୦ରୁ ଅଧିକ ଦେଶ ଉପରେ ଆମେରିକା  ରାଷ୍ଟ୍ରପତି ଟ୍ରମ୍ପ ଶୁଳ୍କ ଘୋଷଣା କରିଛନ୍ତି ।  ରବିବାରଠାରୁ ୧୦%ର ମୂଳ ଶୁଳ୍କ ଲାଗୁ ହେବ ।  ଏପ୍ରିଲ ୯ରୁ ଉଚ୍ଚ ଟାରିଫ୍‌ ଲାଗିବ ।