ନୂଆଦିଲ୍ଲୀ ୧୯/୧୨: ପରବର୍ତ୍ତୀ ମହାମାରୀ ଆମେରିକାରୁ ଆସିପାରେ । ସ୍ପେନ୍‌ର ବିଶେଷଜ୍ଞମାନେ ଏହି ଚେତାବନୀ  ଦେଇଛନ୍ତି । ଲା ଭାନ୍‌ଗାର୍ଡିଆ ଅନୁସାରେ, ସଂକ୍ରାମକ ରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ  ଆମେରିକାରେ ଏଚ୍‌୫ଏନ୍‌୧ ଆଭିଆନ୍‌ ଫ୍ଲୁର  ଲଗାତାର ପରିବର୍ତ୍ତନ ଓ ପ୍ରସାର ଜାରି ରହିଛି । ନିକଟ ଭବିଷ୍ୟତରେ ଏହା ଏକ ନୂଆ ମହାମାରୀକୁ  ଜନ୍ମ ଦେଇପାରେ । ଆଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା ସାଧାରଣତଃ ବାର୍ଡ  ଫ୍ଲୁ ନାମରେ ପରିଚିତ । ଏହା ଏକ ଭୂତାଣୁ  ଜନିତ ସଂକ୍ରମଣ, ଯାହା ପକ୍ଷୀ, ଗାଈ ଓ ଅନ୍ୟ  ଜନ୍ତୁଙ୍କଠାରେ ବ୍ୟାପେ । ବର୍ତ୍ତମାନ ମଣିଷରୁ  ମଣିଷକୁ ଏହାର ସଂକ୍ରମଣର କୌଣସି ଭୟଙ୍କର  ପ୍ରମାଣ ନାହିଁ । 

ତଥାପି ବିଶେଷଜ୍ଞଙ୍କ କହିବା  ଅନୁସାରେ, ବନ୍ୟଜନ୍ତୁଙ୍କ ମାଧ୍ୟମରେ ପୋଷା  ଜନ୍ତୁଙ୍କଠାରେ ପ୍ରସାରରେ ଭୂତାଣୁର କ୍ଷମତା  ଦର୍ଶାଉଛି ଯେ ନୂଆ ମ୍ୟୁଟେସନ୍‌ ଓ ବିଭିନ୍ନ ପ୍ରକାର  ମଧ୍ୟରେ ପୁନଃସଂଯୋଜନ ଯୋଗୁ ମଣିଷକୁ ଏହା  ସଂକ୍ରମିତ କରିବାର ଆଶଙ୍କା ରହିଛି । ହୁଏଲଭା ସ୍ଥିତ ଜୁଆନ ରାମନ୍‌ ଜିମେନେଜ୍‌  ୟୁନିଭର୍ସିଟି ହସ୍ପିଟାଲର ମାଇକ୍ରୋବାୟୋଲୋଜି  ବିଭାଗର ମୁଖ୍ୟ ଫ୍ରାନ୍‌ ଫ୍ରାନ୍‌କୋ କହିଛନ୍ତି,  ଆମେରିକାରୁ ନୂଆ ମହାମାରୀ ଆସିବାର ଆଶଙ୍କା  ଅଧିକ । ତେବେ ସେମାନେ ସ୍ପଷ୍ଟ କରିଛନ୍ତି ଯେ ଏହା  ବିଷୟରେ ବିସ୍ତୃତ ସୂଚନା ସେମାନଙ୍କ ପାଖରେ ଅଛି ।  

ତେଣୁ ଆମେରିକାରେ କିଛି ବି ଘଟିଲେ, ସଙ୍ଗେସଙ୍ଗେ  ଜଣାପଡ଼ିଯିବ । ସେମାନେ ଆଶ୍ୱସ୍ତ ଯେ ସମଗ୍ର ବିଶ୍ୱର  ଯାଞ୍ଚ୍‌ ପଦ୍ଧତି ମଣିଷଠାରେ ଏଚ୍‌୫ଏନ୍‌୧ ଆଭିଆନ୍‌  ଫ୍ଲୁ ସଂକ୍ରମଣକୁ ଚିହ୍ନଟ କରିବ । କୋଭିଡ୍‌ ମହାମାରୀ  ଘଟଣା ସମସ୍ତ ପଦ୍ଧତିକୁ ସଶକ୍ତ କରିଛି । ୨୦୨୦  ମସିହା ତୁଳନାରେ ବିଶେଷଜ୍ଞମାନେ ଏ ନେଇ ଅଧିକ  ଆଶ୍ୱସ୍ତ ବୋଲି ସେ କହିଛନ୍ତି । ଗତ ସପ୍ତାହ ଗଣମାଧ୍ୟମକୁ ସୂଚନା ଦେଇ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ  ଆଧାନମ୍‌ ଘେବ୍ରେୟେସସ୍‌ ଆମେରିକାରେ  ଏଚ୍‌୫ଏନ୍‌୧ ଆଭିଆନ୍‌ ଇନ୍‌ଫ୍ଲୁଏନ୍‌ଜାର  ପ୍ରସାରକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ।  ସେ ଆମେରିକାରେ ଶତାଧିକ ଗୋବଂଶ  ସହିତ ୫୮ ଲୋକଙ୍କ ମଧ୍ୟରେ ଏହି ଭୂତାଣୁ  ସଂକ୍ରମଣର ରିପୋର୍ଟ ଦେଇଥିଲେ । 

୧୯୯୬ ମସିହାରେ ଏଚ୍‌୫ଏନ୍‌୧ ପ୍ରଥମେ  ସାମ୍ନାକୁ ଆସିଥିଲା । କିନ୍ତୁ ୨୦୨୦ ମସିହାରୁ  ପକ୍ଷୀଙ୍କ ମଧ୍ୟରେ ଏହାର ସଂକ୍ରମଣ ଦ୍ରୁତ ବଢ଼ିଛି। ସଂକ୍ରମିତ ସ୍ତନ୍ୟପାୟୀଙ୍କ ସଂଖ୍ୟା  ବି ବଢ଼ିଛି । ଏଥିଯୋଗୁ ୧ କୋଟିରୁ ଅଧିକ  କୁକୁଡ଼ାଙ୍କ ମୃତ୍ୟୁ ସମେତ ଜଙ୍ଗଲି ପକ୍ଷୀ  ଏବଂ ଭୂମି ଓ ସାମୁଦ୍ରିକ ସ୍ତନ୍ୟପାୟୀ  ମଧ୍ୟ ସଂକ୍ରମିତ ହୋଇଛନ୍ତି । ୟୁରୋପ ଓ  ଆମେରିକାରେ ମଣିଷଙ୍କ ମଧ୍ୟରେ ଏହାର  ହାଲୁକା ସଂକ୍ରମଣ ସାମ୍ନାକୁ ଆସିଲା । ତଥାପି  ବାର୍ଡ ଫ୍ଲୁ ପାଇଁ ଯାଞ୍ଚ୍‌ ପଦ୍ଧତିକୁ କଡ଼ାକଡ଼ି କରିବାକୁ  ରାଷ୍ଟ୍ରମାନଙ୍କୁ ଅନୁରୋଧ କରିଛି ବିଶ୍ୱ ସ୍ୱାସ୍ଥ୍ୟ  ସଂଗଠନ । ମଣିଷ ଯଦି ସଂକ୍ରମିତ ଜନ୍ତୁଙ୍କ ଶରୀରର  ଲାଳ, ଛେପ, କ୍ଷୀର, ମଳ ଆଦି ସଂସ୍ପର୍ଶରେ  ଆସେ, ତେବେ ସେ ବାର୍ଡ ଫ୍ଲୁ ସଂକ୍ରମଣର ଶିକାର  ହୋଇପାରେ। ଜନ୍ତୁଙ୍କ ବାସସ୍ଥଳୀରେ ସେମାନଙ୍କ  ଶରୀରର ତରଳ ଜରିଆରେ ବ୍ୟକ୍ତି ଶ୍ୱାସକ୍ରିୟା, ଆଖି  କିମ୍ବା ପାଟି ମାଧ୍ୟମରେ ସଂକ୍ରମିତ ହୋଇପାରିବ ।  କୁକୁଡ଼ା ଫାର୍ମ ଓ ଗାଈ ଫାର୍ମରେ କାମ କରୁଥିବା  ଲୋକଙ୍କୁ ବାର୍ଡ ଫ୍ଲୁର ବିପଦ ଅଧିକ ।