ନୂଆଦିଲ୍ଲୀ,୪।୫: ପହଲଗାମ୍ରେ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଭାରତର ବିବାଦ ଜାରି ରହିଛି। ଏହା ଭିତରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହା ପୂର୍ବରୁ ନୌସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ। ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠି ଶନିବାର ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପିଏମ୍ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ସେଭଳି କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସେନା ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ସାମିଲ ଥିଲେ।
ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାୟୁସେନା ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ କରିଥିଲେ। ସେ ଏହାଛଡା ଆଉ ଅଧିକ କୌଣସି ସୂଚନା ଦେଇନଥିଲେ। ୨୨ ଅପ୍ରେଲରେ ପହଲଗାମ୍ରେ ଆତଙ୍କୀ ହମଲା ପରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି(ସିସିଏସ)ଙ୍କ ମଧ୍ୟ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏହାପରେ ସରକାର ସେନାକୁ ଆକ୍ସନ ନେବାକୁ ସବୁ କ୍ଷମତା ଦେଇଛନ୍ତି।
ଗୁଇନ୍ଦା ଏଜେନ୍ସି ରିପୋର୍ଟରେ ପୂର୍ବରୁ କୁହାଯାଇଥିଲା ଯେ, ୧୯ ଅପ୍ରେଲ ନିକଟରେ ଆତଙ୍କୀ ହମଲା କରିବାର ଯୋଜନା ଥିଲା। ତେବେ ଏହି ରିପୋର୍ଟରେ ଲୋକେସନ୍ ଶ୍ରୀନଗର ବୋଲି କୁହାଯାଇଥିଲା। ଶ୍ରୀନଗର ଆଖପାଖରେ ସୁରକ୍ଷା ବଢାଇ ଦିଆଯାଇଛି, କିନ୍ତୁ ଆତଙ୍କବାଦୀମାନେ ନିଜର ପ୍ଲାନ୍ ବଦଳାଇ ଦେଇଛନ୍ତି ଓ ପହଲଗାମ୍ରେ ନିରିହ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ଭାରତ ସରକାର ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଥିଲେ। ଭାରତର କଡା ଆଭିମୁଖ୍ୟ ପରେ ପାକିସ୍ତାନ ଖୁବ୍ ଭୟଭୀତ ହୋଇଛି। ଭାରତୀୟ ନୌସେନା ଆରବ ସାଗରରେ ସମରାଭ୍ୟାସ୍ କରିଛି। ୩ ମଇରେ ନୌସେନା ଲାଇଭ ଫାଏଲ ଡ୍ରିଲ କରୁଛି। ଏହାର ଅର୍ଥ ବାସ୍ତବିକ ଯୁଦ୍ଧ ଭଳି ସ୍ଥିତି ତିଆରି କରି ସମରାଭ୍ୟାସ କରିବା।