ନୂଆଦିଲ୍ଲୀ,୨୮।୪: ପହଲଗାମ୍ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ଭିତରେ ଚରମ ସ୍ଥିତିରେ ଉତ୍ତେଜନା। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ନେଇ ବଢିଛି ଆଶଙ୍କା । ଏହା ଭିତରେ ଆଉ ଦୁଇ ଦେଶ ଏବେ ହୋଇଛନ୍ତି ମୁହାଁମୁହିଁ। ତାହା ହେଲା ଚୀନ୍ ଓ ଫିଲିପାଇନ୍ସ। ଦକ୍ଷିଣ ଚୀନ୍ ସାଗରକୁ ନେଇ ଦୁଇ ଦେଶ ମଧ୍ୟରେ ବଢିଛି ବିବାଦ। ‘ସାଣ୍ଡି କେ’ ନାମକ ଏକ ଛୋଟିଆ ଦ୍ବୀପ୍କୁ ଦୁଇ ଦେଶ ନିଜର ବୋଲି ଦାବି କରୁଛନ୍ତି।
ଚୀନ୍ ସାଗରକୁ ନେଇ ଚୀନ୍ ଓ ଫିଲିପାଇନ୍ସ ମଧ୍ୟରେ ବିବାଦ। ଚୀନ୍ ଫିଲିପାଇନ୍ସର ୬ ନାଗରକିଙ୍କୁ ଦକ୍ଷିଣ ଚୀନ୍ ସାଗରରେ ‘ସାଣ୍ଡି କେ’ ନାମକ ଏକ ଛୋଟ ଦ୍ବୀପରେ ଓହ୍ଲାଇବା ନେଇ ଦାବି କରିଛି। ଏହି ଅଞ୍ଚଳକୁ ଦୁଇ ଦେଶ ନିଜର ବୋଲି କହୁଛନ୍ତି। କିଛି ଦିନ ପୂର୍ବରୁ ସାମନାକୁ ଆସିଥିବା ଏକ ଫଟୋରେ ଚୀନ୍ ତଟରକ୍ଷୀ ବାହିନୀର ଅଧିକାରୀ ‘ସାଣ୍ଡି କେ’ରେ ଚୀନ୍ର ପତାକା ଉଡାଇଥିଲେ। ଚୀନ୍ ପ୍ରାୟ ସମ୍ପୂର୍ଣ୍ଣ ଦକ୍ଷିଣ ଚୀନ୍ ସାଗର ଉପରେ ନିଜର ମାଲିକାନା ଦାବି କରୁଛି। ଚୀନ୍ ତଟରକ୍ଷୀ ବାହିନୀର ସୂଚନା ଅନୁସାରେ, ଫିଲିପାଇନ୍ସର ନାଗରିକ ଏହି ଦ୍ବୀପରେ ଓହ୍ଲାଇବା ବେଆଇନ।
ସେପେଟ ଫିଲିପାଇନ୍ସ କହିଛି, ଚୀନ୍ ତଟରକ୍ଷୀ ବାହିନୀ, ନୌସେନା ଓ ପୋଲିସ ବୋଟ୍ରେ ଆସି ‘ସାଣ୍ଡି କେ’ ଦ୍ବୀପରେ ଓହ୍ଲାଇଥିଲେ। ଯାହାକୁ ଚୀନ୍ ଭାଷରେ ‘ଟାଇକ୍ସିୟନ୍ ରିଫ୍’ ବୋଲି ନାଁ ଦିଆଯାଇଛି। ଫିଲିପାଇନ୍ସ ତଟରକ୍ଷୀ ବାହିନୀର ମୁଖପାତ୍ର କମାଣ୍ଡର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଓ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଏକ ଫଟୋରେ କିଛି ଲୋକ ଏହି ଦ୍ବୀପର ବାଲିରେ ଫିଲିପାଇନ୍ସର ପତାକା ପୋତିଛନ୍ତି। ଏହାର ତିନି ଦିନ ପୂର୍ବରୁ ଚୀନ୍ ସରକାରୀ ସମାଚାର ପତ୍ର ‘ଗ୍ଲୋବାଲ ଟାଇମ୍ସ’ ଅପ୍ରେଲର ମଧ୍ୟରେ ଟାଇକ୍ସିୟନ୍ ରିଫ୍ରେ ଥିବା ଚୀନ୍ ତଟରକ୍ଷୀ ଅଧିକାରୀଙ୍କ ଫଟୋ ଛାଡିଥିଲା। ଫଟୋରେ ଚୀନ୍ ଅଧିକାରୀ ଚୀନ୍ର ପତାକା ଧରିଥିଲେ। ଏହା ସହ ପ୍ଲାଷ୍ଟିକ୍ ବୋତଲ ସହ ଅନ୍ୟ ଆବର୍ଜନା ସଫା କରୁଥିବାର ଦେଖିବାକୁ ମିଳିଥିଲେ। ଦୁଇ ଦେଶ ‘ସାଣ୍ଡି କେ’କୁ ନିଜ ବୋଲି ଦାବି କରିବା ପରେ ଏବେ ଆରମ୍ଭ ହୋଇଛି ବିବାଦ।