ନୂଆଦିଲ୍ଲୀ,୩୧/୦୫: ପୂର୍ବତନ ଅଧିନାୟକ ଅମିନୁଲ  ଇସଲାମ ବାଂଲାଦେଶ କ୍ରିକେଟ୍‌ ବୋର୍ଡ଼ (ବିସିବି)ର ନୂଆ ସଭାପତି  ନିଯୁକ୍ତ ହୋଇଛନ୍ତି। ସେ  ଫାରୁକ ଅହମ୍ମଦଙ୍କ ସ୍ଥାନ  ନେଇଛନ୍ତି । ବାଂଲାଦେଶ  କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ  ଶୁକ୍ରବାର ଅହମ୍ମଦଙ୍କୁ  ସଭାପତି ପଦରୁ ବହିଷ୍କୃତ  କରାଯାଇଥିଲା । ଏହାର ୨୪  ଘଣ୍ଟା ମଧ୍ୟରେ ଅମିନୁଲଙ୍କୁ ନିଯୁକ୍ତ କରାଯାଇଛି । ସେ ଆଗାମୀ ବିସିବି ନିର୍ବାଚନ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ ବୋଲି  ଜଣାପଡ଼ିଛି । 

ଅମିନୁଲ ୧୯୯୯ ବିଶ୍ୱକପ୍‌ରେ ବାଂଲାଦେଶ ଦଳର  ନେତୃତ୍ୱ ନେଇଥିଲେ । ଟେଷ୍ଟ କ୍ରିକେଟରେ ବାଂଲାଦେଶର ପ୍ରଥମ  ବ୍ୟାଟର ଭାବେ ସେ ଶତକ ଅର୍ଜନ କରିଥିଲେ । ସେ ୧୩ଟି ଟେଷ୍ଟ  ଖେଳି ୫୩୦ ରନ୍‌ (୧ଶତକ, ୨ ଅର୍ଦ୍ଧଶତକ) ଏବଂ ୩୯ଟି  ଦିନିକିଆରୁ ୭୯୪ରନ୍‌ ସଂଗ୍ରହ କରିଥିଲେ । ଅମିନୁଲ ଏବେ  ଆଇସିସି ଡେଭଲପମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ।