ନୂଆଦିଲ୍ଲୀ/ଭୁବନେଶ୍ୱର,୦୩ /୦୧: ନୂଆଦିଲ୍ଲୀର ଡକ୍ଟର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଗୁରୁବାର କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ ‘ଜମ୍ମୁକାଶ୍ମୀର ଆଣ୍ଡ ଲଦାଖ: ଥ୍ରୋ ଦି ଏଜେସ୍’ ପୁସ୍ତକ ଉନ୍ମୋଚିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନ୍ୟାସନାଲ ବୁକ ଟ୍ରଷ୍ଟ (ଏନ୍ବିଟି) ଓ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ (ଆଇସିଏଚ୍ଆର) ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଲୋକାର୍ପିତ କରାଯାଇଛି । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଶାହ କହିଲେ ଯେ ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ । ଏହାକୁ ଆଇନର କୌଣସି ଧାରା ବଦଳାଇ ପାରିବ ନାହିଁ । ଜମ୍ମୁ-କାଶ୍ମୀରର ଇତିହାସ ଓ ସାଂସ୍କୃତିକ ଐତିହ୍ୟର ପୁନରୁଦ୍ଧାର କରିବା ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଆମେ ସମସ୍ତେ ଜାଣନ୍ତି ଯେ କାଶ୍ମୀର ହେଉଛି କଶ୍ୟପଙ୍କ ଭୂମି । ତେଣୁ କାଶ୍ମୀରର ନାମ ଋଷି କଶ୍ୟପଙ୍କ ନାମାନୁସାରେ ହେବାର ଆବଶ୍ୟକତା ରହିଛି । ଭାରତର ବିକାଶ ପାଇଁ ଜମ୍ମୁକାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଆମେ ଏହାର ସାଂସ୍କୃତିକ ମହିମାକୁ ଫେରାଇ ଆଣିବୁ । ଭାରତ ଏକମାତ୍ର ଦେଶ, ଯେଉଁଠାରେ ଭୂରାଜନୈତିକ ସୀମା ନୁହେଁ, ବରଂ ସାଂସ୍କୃତିକ ସୀମା ରହିଛି ।
ଇତିହାସକାରମାନେ କାଶ୍ମୀରର ଇତିହାସ ପୁସ୍ତକ ଜରିଆରେ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ସେମାନେ ପ୍ରମାଣ ଆଧାରରେ ଇତିହାସ ଲେଖନ୍ତୁ ବୋଲି ଶାହ ଅପିଲ କରିଥିଲେ । ସେହିଭଳି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପୁସ୍ତକ ଜମ୍ମୁ-କାଶ୍ମୀର ଓ ଲଦାଖର ଗୌରବମୟ ୩ ହଜାର ବର୍ଷର ଐତିହାସିକ ଯାତ୍ରାକୁ ସମର୍ପିତ । ଏଥିରେ ପ୍ରାଚୀନ କାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଜମ୍ମୁ-କାଶ୍ମୀର ଓ ଲଦାଖର ବିଷୟକୁ ନେଇ ତିଆରି କରାଯାଇଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ଏହି ପୁସ୍ତକ ଏକ ଅଭୂତପୂର୍ବ ଦସ୍ତାବିଜ । ଜମ୍ମୁକାଶ୍ମୀର ଓ ଳଦାଖର ଅଲୌକିକ ସଂସ୍କୃତିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ୨୦୧୯ ଅଗଷ୍ଟ ୫ ତାରିଖ ଜମ୍ମୁ-କାଶ୍ମୀର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା । ପୁସ୍ତକରେ ଜମ୍ମୁ-କାଶ୍ମୀରରେ ୩୭୦ ଧାରାର ଐତିହାସିକ ଦିଗକୁ ମଧ୍ୟ ସ୍ଥାନ ଦିଆଯାଇଛି । ଭାରତର ବିଭିନ୍ନ କୋଣ ଅନୁକୋଣରେ ସମୃଦ୍ଧ ସଂସ୍କୃତି, ଭାଷା, ଲିପି, ଆଧ୍ୟାତ୍ମିକ ବିଚାର, ବ୍ୟାପାର ଓ ବାଣିଜ୍ୟିକ କେନ୍ଦ୍ର ଭାବରେ ଜମ୍ମୁ-କାଶ୍ମୀରର ଭୂମିକା ଏବଂ ଦେଶରେ ଏହାର ବିସ୍ତାର ବିଷୟରେ ପୁସ୍ତକରେ ବର୍ଣ୍ଣନା କରାଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ, ଶିକ୍ଷାବିତ, ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।