ଝାରସୁଗୁଡ଼ା,୨୩/୦୨: ଶ୍ରୀମନ୍ଦିର ‘ଅମୃତ  ଅନ୍ନ’ରେ ବ୍ୟବହାର ହେବ ଝାରସୁଗୁଡ଼ା ଜିଲ୍ଲା ୧୯  ଖଣ୍ଡ ମୌଜାର ଚଇତୁ ମୁଗ । ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ଅଞ୍ଚଳରେ ବହୁଳ ପରିମାଣରେ ଉତ୍ପାଦିତ  ହେଉଥିବା ଏହି କିସମର ମୁଗ ସ୍ୱାଦିଷ୍ଟ ଏବଂ  ସୁଗନ୍ଧଯୁକ୍ତ । ଏହାର ସ୍ୱତନ୍ତ୍ରତା ରହିଛି । ସଂପୂର୍ଣ୍ଣ  ଜୈବିକ ପ୍ରଣାଳୀରେ ଏହାର ଚାଷ କରାଯାଉଛି । 

ମହାପ୍ରଭୁଙ୍କ ଭୋଗ ପାଇଁ ଆବଶ୍ୟକ  ଚଇତୁ ମୁଗ ଯୋଗାଇବାକୁ ଦେଶୀ ବିହନ ଧାନ  ସଂରକ୍ଷକ ତଥା ଜୈବିକ କୃଷିକୁ ପ୍ରୋତ୍ସାହନ ଦେଉଥିବା ଚାଷୀ ସୁଦାମ ସାହୁଙ୍କ ଉପରେ ଦାୟିତ୍ୱ  ନ୍ୟସ୍ତ କରାଯାଇଛି । ଏନେଇ ସେ ‘ପ୍ରମେୟ’କୁ  ସୂଚନା ଦେଇଛନ୍ତି । ଝାରସୁଗୁଡ଼ାର ଚଇତୁ ମୁଗ  ଶ୍ରୀଜିଉଙ୍କ ଭୋଗରେ ଲାଗିବ ବୋଲି ଜଣାପଡ଼ିବା  ପରେ ଜୈବିକ କୃଷିକୁ ଆପଣାଇଥିବା ଜିଲ୍ଲା  ଚାଷୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି । 

ଶ୍ରୀମନ୍ଦିରରେ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ  ‘ଅମୃତ ଅନ୍ନ' ପ୍ରକଳ୍ପ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ  ପ୍ରସ୍ତୁତ ଶସ୍ୟ ଓ ପନିପରିବାରେ ଠାକୁରଙ୍କ ଭୋଗ  ପ୍ରସ୍ତୁତ ହେବ । ମହାପ୍ରସାଦ ଓ କୋଠଭୋଗରେ  ଜୈବିକ ଚାଉଳ ବ୍ୟବହାର କରାଯିବ । ନିକଟରେ ଶେଷ ହୋଇଥିବା ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମରେ  ଏହି ପ୍ରସ୍ତାବ ଦିଆଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏବଂ କୃଷିମନ୍ତ୍ରୀ କନକ  ବର୍ଦ୍ଧନ ସିଂହଦେଓ ଶ୍ରୀମନ୍ଦିର ପ୍ରଶାସକ ତଥା କୃଷି  ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ  ପାଢ଼ୀଙ୍କ ସହ ବିସ୍ତୃତ ଆଲୋଚନା କରିସାରିଛନ୍ତି । 

ଝାରସୁଗୁଡ଼ାର ଚାଷୀ ସୁଦାମ ସାହୁ ଏବଂ  ନିଆଳିର ଚାଷୀ ନଟବର ଷଡ଼ଙ୍ଗୀ ଶ୍ରୀମନ୍ଦିରରେ  ଜୈବିକ ଶସ୍ୟ ଓ ପନିପରିବା ବ୍ୟବହାରକୁ ଗୁରୁତ୍ୱ  ଦେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଏହାକୁ ରାଜ୍ୟ  ସରକାର ମଧ୍ୟ ଗୁରୁତ୍ୱର ସହ ନେଇଛନ୍ତି । ଗତ  ୧୨ ତାରିଖରେ ରାଜ୍ୟ କୃଷି ଭବନରେ ବୈଠକ  ଡକାଯାଇ ଏସମ୍ପର୍କରେ ବିସ୍ତୃତ ଆଲୋଚନା  କରାଯାଇଛି । ଠାକୁରଙ୍କ ଭୋଗରେ ଲାଗିବାକୁ  ଥିବା ଜୈବିକ ଚାଉଳ ଓ ମୁଗ କିପରି ସୁବିଧାରେ  ସଂଗ୍ରହ କରାଯିବ ସେ ନେଇ ବୈଠକରେ  ଶ୍ରୀମନ୍ଦିର ପ୍ରଶାସକ ଶ୍ରୀ ପାଢ଼ୀ ଗୁରୁତ୍ୱ ଦେଇଥିଲେ ।  

ଚାଷୀ ସୁଦାମ ସାହୁ ଏ ସମ୍ପର୍କରେ ସୂଚନା ଦେଇ  କହିଛନ୍ତି, ପଶ୍ଚିମ ଓଡ଼ିଶାରେ ବହୁଳ ପରିମାଣରେ  ଜୈବିକ ଉପାୟରେ ଦେଶୀ କିସମ ଝିଲ୍ଲି ଧାନ ଚାଷ  ହେଉଛି । ଏହି ଧାନରୁ ପ୍ରସ୍ତୁତ ଚାଉଳ ଶ୍ରୀମନ୍ଦିରକୁ  ଯୋଗାଇ ଦିଆଯିବ । ଆଗାମୀ ଖରିଫ୍‌ ଋତୁରୁ ଏହା  ଯେପରି ନିୟମିତ ଯୋଗାଣ ହେବ ସେହି ଦାୟିତ୍ୱ  ତାଙ୍କୁ ଦିଆଯାଇଛି । କୋଠ ଭୋଗ ପ୍ରସ୍ତୁତ ପାଇଁ  ଦିନକୁ ଏକ କୁଇଣ୍ଟାଲ ଚାଉଳ ଏବଂ ୨୫ କିଲୋଗ୍ରାମ  ମୁଗ ଦରକାର । ଷାଠିଏ ପଉଟି ଭୋଗରେ ୭ରୁ  ୮ କୁଇଣ୍ଟାଲ ଚାଉଳ ଏବଂ ପ୍ରାୟ ଦୁଇ କୁଇଣ୍ଟାଲ  ମୁଗ ଲାଗିଥାଏ । କୋଠ ଭୋଗ ପାଇଁ ଅପେକ୍ଷାକୃତ  କମ୍‌ ପରିମାଣର ମୁଗ ଆବଶ୍ୟକ । 

ସେଇଥିପାଇଁ  ଲଖନପୁର ବ୍ଲକର ୧୯ ଖଣ୍ଡ ମୌଜାରେ ଉତ୍ପାଦନ  ହେଉଥିବା ଚଇତୁ ମୁଗକୁ ବ୍ୟବହାର କରିବାକୁ ନିଷ୍ପତ୍ତି  ହୋଇଛି । ତଦନୁଯାୟୀ ଆବଶ୍ୟକ ମୁଗ ଯୋଗାଇବେ  ବୋଲି ସେ ବୈଠକରେ ପ୍ରସ୍ତାବ ଦେବା ପରେ ତାଙ୍କୁ  ଏ ଦିଗରେ ଆଗେଇବା ପାଇଁ କୁହାଯାଇଛି । ଚଇତୁ  ମୁଗ ବିହନ ଯେଭଳି ମିଶ୍ରିତ ହେବ ନାହିଁ ଏବଂ  ଝିଲ୍ଲି ଧାନର ପବିତ୍ରତା ଯେପରି ରକ୍ଷା ହେବ³ ସେ  ଦିଗରେ ଦାୟିତ୍ୱବାନ୍‌ ହୋଇ କାମ କରିବେ ବୋଲି  ସଂକଳ୍ପ ନେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ଏଭଳି  ନିଷ୍ପତ୍ତି ଝାରସୁଗୁଡ଼ା ଜିଲ୍ଲା ୧୯ ଖଣ୍ଡ ମୌଜାର ଚଇତୁ  ମୁଗକୁ ବଡ଼ ସ୍ୱୀକୃତି ବୋଲି କହିଛନ୍ତି ଚାଷୀ ସୁଦାମ ।