ଅସାବଧାନତା ହେଲା କାଳ…
ଜୀବନ ସହ ଜୁଝିଲେ ଏକ ଘଣ୍ଟା…
ଚ୍ୟାଲେଞ୍ଜିଂ ଥିଲା ଉଦ୍ଧାର କାର୍ଯ୍ୟ…
ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ଛାତି ଥରାଇ ଦେଲାଭଳି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧ ବ୍ୟକ୍ତି ଦଶମ ମହଲାରୁ ଖସି ପଡ଼ିବା ପରେ ଓଲଟା ଝୁଲି ପଡ଼ି ଅଷ୍ଟମ ମହଲାର ଲୁହା ଝରକାରେ ଲଟକି ଯାଇଥିଲେ । ବୃଦ୍ଧ ବ୍ୟକ୍ତିଙ୍କୁ ୮ମ ମହଲାରେ ଓଲଟା ଝୁଲି ରହିଥିବା ଦେଖି କୋଠାରେ ରହୁଥିବା ଲୋକମାନେ ଆତଙ୍କିତ ହୋଇଗଲେ। ଘଟଣା ବାବଦରେ ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦିଆଯାଇଥିଲା। ଫୋନ୍ ପରେ ଅଗ୍ନିଶମ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାର ଏକ ଭିଡିଓ ମଧ୍ୟ ଏବେ ସାମ୍ନାକୁ ଆସିଛି।
ଉଦ୍ଧାର କରିବା ପାଇଁ ଲାଗିଥିଲା ୧ ଘଣ୍ଟାରୁ ଅଧିକ ସମୟ …
ବୃଦ୍ଧ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ୧୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ କୋଠାର ତଳ ଭାଗରେ ସୁରକ୍ଷା ଜାଲ ଧରି ଠିଆ ହୋଇଥିଲେ। ତା’ପରେ ଅନ୍ୟ ଅଗ୍ନିଶମ କର୍ମଚାରୀ ମାନେ ୮ମ ମହଲାରେ ପହଞ୍ଚି ବୃଦ୍ଧ ବ୍ୟକ୍ତିଙ୍କୁ ପଡ଼ିବାରୁ ରୋକିବା ପାଇଁ କପଡାରେ ବାନ୍ଧି ଦେଇଥିଲେ । ତାପରେ ସେମାନେ ଲୁହା ଗ୍ରୀଲ୍ କାଟି ଭିତରକୁ ଟାଣି ଆଣିଥିଲେ। ପ୍ରାୟ ଏକ ଘଣ୍ଟାର ପ୍ରୟାସ ପରେ, ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।
କେମିତି ଥିଲା ଉଦ୍ଧାରକାର୍ଯ୍ୟ ?
ସୁରତ ଅଗ୍ନିଶମ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଜି ସକାଳ ୮ ଟାରେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷକୁ ଏକ ଫୋନ କଲ୍ ମିଳିଥିଲା କି, ଜଣେ ବ୍ୟକ୍ତି ୮ ମ ମହଲାରେ ଫସି ରହିଛନ୍ତି। ମୁଁ ଏବଂ ମୋର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ହାଇଡ୍ରୋଲିକ୍ ପ୍ଲାଟଫର୍ମକୁ ଡାକିଥିଲୁ। ଆମେ ୮ମ ମହଲାରେ ଜଣେ ବ୍ୟକ୍ତିଙ୍କୁ ଓଲଟା ଝୁଲୁଥିବାର ଦେଖିଲୁ। ବୃଦ୍ଧ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଆମେ ତଳେ ସୁରକ୍ଷା ଜାଲ ସହିତ ୧୫ ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଥିଲୁ। ଯଦି ସେ ପଡ଼ିଯାଆନ୍ତି, ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଜାଲ ସହାୟକ ହେବ ।
ଆମେ ୮ମ ମହଲାକୁ ଦ୍ୱିତୀୟ ଦଳ ପଠାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲୁ। ଆମେ ପ୍ରଥମେ ତାଙ୍କୁ ପଡ଼ିବାରୁ ରୋକିବା ପାଇଁ ଉଦ୍ଧାର ରଶି ବ୍ୟବହାର କରି ଦଶମ ମହଲାରୁ ଲୁହା ଗ୍ରୀଲରେ ବାନ୍ଧିଥିଲୁ। ପରେ, ଆମେ ଗ୍ରୀଲ୍ କାଟି ସେହି ବ୍ୟକ୍ତିଙ୍କୁ ଭିତରକୁ ଆଣିଥିଲୁ। ସେ ବୁଝାଇଥିଲେ ଯେ ଦଶମ ମହଲାରେ ରହୁଥିବା ବୃଦ୍ଧ ବ୍ୟକ୍ତି ଝରକା ପାଖରେ ଶୋଇଥିଲେ। ହଠାତ୍ ମୁଣ୍ଡ ଘୁଞ୍ଚିବା ଯୋଗୁଁ ସେ ପଡ଼ିଯାଇଥିବାର ରିପୋର୍ଟ ହୋଇଛି। ଭାଗ୍ୟବଶତଃ, ଦଶମ ମହଲାରୁ ପଡ଼ିବା ପରେ, ସେ ଅଷ୍ଟମ ମହଲାର ଏକ ଲୁହା ଗ୍ରୀଲରେ ଫସି ଯାଇଥିଲେ ଏବଂ ତାଙ୍କ ଜୀବନ ବଞ୍ଚି ଯାଇଥିଲା।