ନୂଆଦିଲ୍ଲୀ, ୨୫/୦୬ : ମାଲେସିଆରେ ଚାଲିଥିବା ଏସିଆନ୍‌ ସ୍କ୍ୱାଶ୍‌ ଡବଲ୍ସ ଚାମ୍ପିଅନସିପ୍‌ରେ ଭାରତର ଅନାହତ୍‌ ସିଂହ ଓ ଜ୍ୟୋତ୍ସ୍ନା ଚିନାପ୍ପା ଏବଂ ଅଭୟ ସିଂହ ଓ ଭେଲାବନ ସେନ୍ଥିଲକୁମାର ଯୋଡ଼ି ବିଜୟ ଜାରି ରଖି ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍‌ରେ ଅନାହତ୍‌ଜ୍ୟୋତ୍ସ୍ନା ଯୋଡ଼ି ୨-୦ (୧୧-୬, ୧୧-୩)ରେ ଫିଲିପାଇନ୍ସର ଜେମିକା ଆଡିବଡୋ-ୱାଇ. ଆଲିସା ଡାଲିଡା ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌ ଜିତିବା ପାଇଁ ଉଭୟଙ୍କୁ ମାତ୍ର ୧୨ ମିନିଟ୍‌ ଲାଗିଥିଲା । 

ଅନ୍ୟ ଏକ କ୍ୱାର୍ଟର ମୁକାବିଲାରେ ପୂଜା ଆରତୀ ରଘୁ-ରଥିକା ସିଲାନ ଯୋଡ଼ି ୦-୨ (୭-୧୧, ୬-୧୧)ରେ ମାଲେସିଆ ଯୋଡ଼ିଙ୍କ ନିକଟରୁ ହାରିଯାଇଥିଲେ । ପୁରୁଷ ଡବଲ୍ସ କ୍ୱାର୍ଟରରେ ଡିଫେଣ୍ଡିଂ ଚାମ୍ପିଅନ୍‌ ତଥା ଟପ୍‌ ସିଡ୍‌ ଅଭୟ-ସେନ୍ଥିଲକୁମାର ଯୋଡ଼ି ୨-୧ (୧୦-୧୧, ୧୧-୩, ୧୧-୫)ରେ କୋରିଆର ମିନଉ ଲି-ଜୁୟଙ୍ଗ୍‌ ନା ଯୋଡ଼ିଙ୍କୁ ପରାଜିତ କରିଥିଲେ । ମାତ୍ର ଅନ୍ୟ ଭାରତୀୟ ଯୋଡ଼ି ରବି ଦୀକ୍ଷିତ-ଗୁହାନ ସେନ୍ଥିଲକୁମାର ଯୋଡ଼ି ପ୍ରି-କ୍ୱାର୍ଟରରେ ହାରି ବିଦାୟ ନେଇଥିଲେ । ମିକ୍ସଡ୍‌ ଡବଲ୍ସରେ ଅନାହତ୍‌- ଅଭୟ ଏବଂ ଜ୍ୟୋତ୍ସ୍ନା-ସେନ୍ଥିଲକୁମାର ଯୋଡ଼ି ପ୍ରଥମ ରାଉଣ୍ଡ୍‌ ବାଇ ପାଇ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।