ନୂଆଦିଲ୍ଲୀ ୧୯/୦୫: ପ୍ରତି ବର୍ଷ ଭଳି ଫୋର୍ବସ ପତ୍ରିକା ଏବର୍ଷ ମଧ୍ୟ ନିଜର ‘୩୦ ଅଣ୍ଡର ୩୦ ଏସିଆ’ ତାଲିକା ଜାରି କରିଛି । ଏହି ତାଲିକାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୩୦ ବର୍ଷରୁ କମ୍‌ ବୟସର ୩୦ଜଣଙ୍କୁ ସାମିଲ କରାଯାଇଥାଏ । ଫିଲ୍ମ ଓ ମନୋରଞ୍ଜନ କ୍ଷେତ୍ରରୁ ଏବର୍ଷ ଏଥିରେ ୪ ଜଣ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସାମିଲ । ବର୍ତ୍ତମାନ ସମୟର ଦୁଇ ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର ଓ ସାରା ଅଲ୍ଲୀ ଖାନ୍‌ଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି ।

୨୦୧୯ରେ ଆସିଥିବା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ ଡେବ୍ୟୁ କରିଥିଲେ ଅନନ୍ୟା । ଏହାପରେ ତାଙ୍କୁ ‘ପତି ପତ୍ନୀ ଔର ୱୋ’, ‘ଲାଇଗର’, ‘ଖୋ ଗୟେ ହମ୍‌ କହାଁ’, ‘କେସରୀ-୨’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ଅଭିନୟ ବ୍ୟତୀତ ଅନନ୍ୟା ସୋସିଆଲ୍‌ ମିଡିଆରେ ବି ବେଶ୍‌ ସକ୍ରିୟ । ତାଙ୍କର ଇନ୍‌ଷ୍ଟାଗ୍ରାମରେ ପ୍ରାୟ ୨୫.୯ ନିୟୁତ ଫଲୋଅର୍ସ ଅଛନ୍ତି । ଫୋର୍ବସ ତାଲିକାରେ ଅନନ୍ୟା ପାଣ୍ଡେଙ୍କ ସହ ଅଭିନେତା ଇଶାନ୍‌ ଖଟ୍ଟର, ଫିଲ୍ମ ନିର୍ମାତା ସୁଲଗ୍ନା ଚାଟାର୍ଜୀ, ଗାୟକ ଓ ଗୀତିକାର ଅନୁଭ ଜୈନ୍‌ ମଧ୍ୟ ସ୍ଥାନ ପାଇଛନ୍ତି ।