ପୁରୀ,୨୩/୦୬: ସୋମବାର ପବିତ୍ର ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଘଣା ଲାଗି ନୀତି ଅନୁଷ୍ଠିତ ହେବ । ଦଶମୂଳ ମହୌଷଧି ଲାଗି ପରେ ଶ୍ରୀଜିଉ ସୁସ୍ଥ ।
ଏହି ଖବର ଗଜପତି ମହାରାଜାଙ୍କ ନିକଟରେ ପହଞ୍ଚିଲା ପରେ ଏଣିକି ରଥଯାତ୍ରା ପ୍ରସ୍ତୁତି । ଯାତ୍ରା ପୂର୍ବ ଦିନ ଠାକୁରଙ୍କ ନବଯୌବନ ରୂପ ଦର୍ଶନ । ଏଣୁ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ସେବକମାନେ ଲାଗିଛନ୍ତି । ଘଣାଲାଗି ଅବସରରେ କର୍ପୂର, କେଶର ଓ କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯିବ । ମଣିଷ ଶରୀରରେ ଶିରା, ପ୍ରଶିରା ଓ ଅନ୍ତନାଡୀ ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅକ୍ଷାଂଶ ଓ ଦ୍ରାଘିମା ରେଖା ପରି ବିଭିନ୍ନ ଛାନ୍ଦ ପଡି ପାଟ ଡୋର ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ, ଘଣ୍ଟା, ମୃଦଙ୍ଗ, କାହାଳୀର ପଟୁଆରରେ ଖଳିପ୍ରସାଦ ଶ୍ରୀମନ୍ଦିରକୁ ଆସିଥିବ । ଖଳି ପ୍ରସାଦକୁ ଶ୍ରୀଅଙ୍ଗରେ ଲାଗି କରାଯିବ । ବିଶ୍ୱାବସୁଙ୍କ ଭଳି ମହାପ୍ରଭୁଙ୍କ ଅନବସରରେ ଦଇତାପତି ମହାପ୍ରଭୁଙ୍କର ସେବା କରୁଛନ୍ତି । ଶୁଦ୍ଧ ସୁଆରଙ୍କ ଖଳିପ୍ରସାଦ ଲାଗି ହେଲାପରେ ଖଡ଼ିପ୍ରସାଦ ଲାଗି ହେବ । ଏହାପରେ ଶ୍ରୀଜିଉ ପୂର୍ବାବସ୍ଥାକୁ ଫେରିବେବୋଲି କୁହାଯାଏ ।