ଭୁବନେଶ୍ୱର, ୩୦/୦୩: ଆନ୍ଧ୍ର ଓ କେରଳରୁ ଆସିଗଲାଣି ଆମ୍ବ । ରାଜଧାନୀ ଫଳବଜାରରେ ଆମ୍ବର ପସରା ମେଲିଲାଣି । ହେଲେ ଆମ୍ବ ପାଚିବାର ସମୟ ହୋଇନଥିବାରୁ ଓଡ଼ିଶାର ଆମ୍ବ ଏ ପର୍ଯ୍ୟନ୍ତ ବଜାରକୁ ଆସିନାହିଁ । ବ୍ୟବସାୟୀଙ୍କ କହିବା କଥା ଆଉ ଗୋଟେ ମାସର ଅପେକ୍ଷା ପରେ ବଜାରକୁ ଓଡ଼ିଶା ଆମ୍ବ ଆସିଯିବ ।

ଆମ ରାଜ୍ୟରେ ଦୋଳ ପୂର୍ଣ୍ଣିମାରେ କଷି ଆମ୍ବ ଦିଅଁଙ୍କ ପାଖରେ ପୂଜା ପାଏ । ଯାହା ପାକଳ ହେବାକୁ ମେ ମାସ ଲାଗିଯାଏ । ଆଉ ସେହି ଆମ୍ବ ୨ ମାସ ପର୍ଯ୍ୟନ୍ତ ବଜାରରେ ରହିଥାଏ । ହେଲେ ସମୟ ପୂର୍ବରୁ ଆସିଛି ବାହାର ରାଜ୍ୟର ଆମ୍ବ । ଯାହାର ସ୍ୱାଦ ନେବା ପାଇଁ ଅନେକେ ଆଗ୍ରହର ସହିତ କିଣୁଥିବା ବେଳେ କେମିକାଲ ଦ୍ୱାରା ଆମ୍ବ ପାଚିବା ହେଉଥିବା ଭୟରେ ଗ୍ରାହକ କିଣିବାକୁ ଇଛା କରୁନାହାଁନ୍ତି । ବର୍ତ୍ତମାନ ବଜାରରେ ପଣ୍ଡୁପଲୀ ଓ ବାଇଗଣପଲେଇ ଭଳି ଦୁଇ କିସମର ଆମ୍ବ ଦେଖାଯାଉଛି । ପଣ୍ଡୁପଲୀ ଆମ୍ବ କିଲୋଗ୍ରାମ ପିଛା ୧୫୦ ଟଙ୍କା, ବାଇଗଣପଲେଇ ୨୦୦ ଟଙ୍କାରେ ବିକ୍ରି ହେଉଛି । ବଜାରରେ ବାଇଗଣପଲେଇ ଆମ୍ବ କମ୍ ରହୁଥିବାରୁ ଏହାର ମୂଲ୍ୟ ଟିକେ ଅଧିକ ରହୁଛି ।

ଫଳ କିଣୁଥିବା ଗୌତମ କୁହନ୍ତି, ବଜାରରେ ବିକ୍ରି ହେଉଥିବା ଆମ୍ବର ମୂଲ୍ୟ ଚଢା ରହିଛି । ଯଦି ସ୍ୱାଦ କଥା କହିବା ତେବେ ଏହା ଯେଉଁଭଳି ମିଠା ଲାଗିବା କଥା ସେଭଳି ଲାଗୁନି। କିଛି ଆମ୍ବ ପାଣିଚିଆ ଲାଗୁଥିବା ବେଳେ କିଛି ଆମ୍ବ ଖଟା ଲାଗୁଚି । କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର(ସିଏଚ୍ଇଏସ୍) ନିର୍ଦ୍ଦେଶକ ଡ. ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ କୁହନ୍ତି, ଓଡ଼ିଶାର ବାଇଗଣ ପଲେଇ ଆମ୍ବ ବଜାରକୁ ଆସିବାର ସମୟ ହୋଇନାହିଁ । ସେଥିପାଇଁ ଆନ୍ଧ୍ର ଆମ୍ବ ଉପରେ ଆମକୁ ନିର୍ଭର କରିବାକୁ ପଡ଼ୁଛି । ଆଉ ୧୫ ଦିନ ପରେ ଓଡ଼ିଶାରେ ଶୀଘ୍ର ପାଚୁଥିବା ଗୁଲାପଖାସ୍, ନୀଳାଚଳ କେଶରୀ ଭଳି କିଛି କିସମର ଆମ୍ବ ବଜାରକୁ ଆସିଯିବ ହେଲେ ରାଜ୍ୟରେ ଅଧିକ ଫଳୁଥିବା ଆମ୍ରପଲୀ ମେ ମାସରେ ଆସିବ । ସବୁଠାରୁ ବଡ଼ କଥା ଏଥର ଜଳବାୟୁ ଆମ୍ବ ଅନୁକୂଳ ଥିବାରୁ ବଜାରକୁ ଅଧିକ ଆମ୍ବ ଆସିବ ।

ଅଧିକ ପଢ଼ନ୍ତୁ :-  ଓଡ଼ିଆ ଅସ୍ମିତାର ମହାକୁମ୍ଭ 'ଓଡ଼ିଆ ପକ୍ଷ - ୨୦୨୬', ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ

‘ଭୁବନେଶ୍ୱର ଫ୍ରୁଟ୍‌ସ ହୋଲସେଲର ଆସୋସିଏସନ୍’ର ସଦସ୍ୟ କୈଳାଶ ଚନ୍ଦ୍ର ମହାନ୍ତି କୁହନ୍ତି, ରାଜଧାନୀ ବଜାରକୁ ଦୈନିକ ପ୍ରାୟ ଦେଢ ଟନ୍ ଆମ୍ବ ଆନ୍ଧ୍ର ଓ କେରଳରୁ ଆସୁଛି । କିସମ କଥା ଯଦି କହିବା ତେବେ କେବଳ ପଣ୍ଡୁପଲୀ ଆଉ ବାଇଗଣପଲେଇ ଆସିଛି । ଆଉ କିଛିଦିନ ପରେ ସୁନ୍ଦରୀ ଆସିଯିବ । ଏହା ପରେ ୟୁପିରୁ ଲେଙ୍ଗଡ଼ା, ଚୌଷା ଆମ୍ବ ଆସିବ । ଏଥର ଆମ୍ବର ମୂଲ୍ୟ ଉଚ୍ଚା ରହିବା ସହିତ ଆମ୍ବ ଖୁବ୍ ଅଧିକ ମିଠା ରହୁନଥିବାରୁ ଲୋକେ କିଣି ଖାଇବାକୁ ଏତେ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଆମ ରାଜ୍ୟର ଆମ୍ବ ପ୍ରାୟ ମେ ମାସ ବେଳକୁ ଆସିବ । ଅନୁଗୁଳରୁ ମୁଖ୍ୟତଃ ଆମ୍ରପଲୀ, ବାଇଗଣ ପଲେଇ, ସୁନ୍ଦରୀ କିସମର ଆମ୍ବ ଚାଷ କରାଯାଉଥିବା ବେଳେ କିଛି ଆମ୍ବ କୋରାପୁଟ୍, ଢେଙ୍କନାଳ, କେଉଁଝରର କେତେକ ଅଞ୍ଚଳରୁ ଆସୁଛି।