ହେମଗିର,୦୮/୧୧: ହେମଗିର ଥାନା  ଅଞ୍ଚଳରେ ବୁଧବାର ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା  ତଥା ଏକତରଫା ପ୍ରେମିକରୁ ହତ୍ୟାକାରୀ ସାଜିଥିବା ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି ।  ଏହି ଥାନା ଅଧୀନ ପୂର୍ଣ୍ଣା ଗ୍ରାମର ଅଙ୍ଗନବାଡ଼ି  କର୍ମୀ ଦିବ୍ୟାଭାରତୀ ଅଢ଼ା (୨୩)ଙ୍କୁ   ଫାର୍ଶାରେ ହାଣି  ହତ୍ୟା କରି  ଫେରାର ଥିବା ଅଭିଯୁକ୍ତଙ୍କୁ  ପୁଲିସ୍‌ ବିଳମ୍ବିତ ରାତିରେ ହିଁ ଧରିଛି । ଅଭିଯୁକ୍ତ ପୂର୍ଣ୍ଣା ଗ୍ରାମର ଶରତ କଉଡ଼ି (୨୪) । ପୁଲିସ୍‌  ଅଭିଯୁକ୍ତ ଶରତଙ୍କୁ ପଚରାଉଚରା କରିବା ସହ ଗୁରୁବାର ଦୁର୍ଘଟଣାସ୍ଥଳକୁ ନେଇ ଓ ସାଇଣ୍ଟିଫିକ  ଟିମ୍‌ଙ୍କ ଉପସ୍ଥିତିରେ କିଭଳି ହତ୍ୟାକାଣ୍ଡ  ଘଟାଇଥିଲା ତାହାର ସିନ୍‌ ରିକ୍ରିଏସନ କରିଥିଲା ।  

ମିଳିଥିବା ସୂଚନା ଅନୁଯାୟୀ, ଜୁଲୁମବାହାଲ  ପଞ୍ଚାୟତ ପୂର୍ଣ୍ଣା ଗ୍ରାମର ଧନୁର୍ଜୟ ଅଢ଼ା ଏବଂ  ସଂଯୁକ୍ତା ଅଢ଼ାଙ୍କ ୩ସନ୍ତାନଙ୍କ ମଧ୍ୟରେ ମଝିଆ  ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି କର୍ମୀ  ଭାବେ କାର୍ଯ୍ୟ କରୁଥିଲେ । ହେଲେ ପ୍ରାୟ  ଦେଢ଼ ବର୍ଷ ହେବ ଶରତ ତାଙ୍କୁ ଏକତରଫା ପ୍ରେମ କରି ବିବାହ ପାଇଁ କହିଥିଲେ । କିନ୍ତୁ  ଦିବ୍ୟାଭାରତୀ ଏଥିରେ ରାଜି ହୋଇ ନ ଥିଲେ ।  ଫଳରେ ଶରତ ରାଗ ରଖି ଜୀବନରୁ ମାରିଦେବା  ପାଇଁ ଯୋଜନା କରିଥିଲେ । ଫଳରେ ଗୁରୁବାର  ଦିବ୍ୟାଭାରତୀ ସ୍କୁଲରୁ କାମ ସାରି ଫେରୁଥିବା  ବେଳେ ଗାଁ ମଝିରେ ଏକାକୀ ଦେଖି ଶରତ ଏକ  ଫାର୍ସାରେ ଫଛରୁ ତାଙ୍କ ବେକକୁ ଚୋଟ ପକାଇ  ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ଓ  ସହକର୍ମୀଙ୍କଠାରୁ ଖବରପାଇ ପରିବାର ଲୋକ  ପହଞ୍ଚି ଝିଅକୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ  ହେଁ ଡାକ୍ତର ମୃତଘୋଷଣା କରିଥିଲେ ।  ଏହାପରେ ଦିବ୍ୟାଭାରତୀଙ୍କ ମା ସଂଯୁକ୍ତା ଶରତ  ହିଁ ମୋ ଝିଅକୁ ମାରିଛି ବୋଲି କହି ଥାନାରେ  ଅଭିଯୋଗ କରିଥିଲେ । ଅଭିଯୋଗକ୍ରମେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ କରି ହତ୍ୟାକାଣ୍ଡ  ସ୍ଥଳରୁ ଫାର୍ସା ଜବତ କରିଥିଲା । ହେଲେ  ବିଳମ୍ବିତ ରାତିରେ ଶରତ ନିଜ ଘରକୁ ଆସିଥିବା  ପୁଲିସ୍‌ ବିଶେଷ ସୂତ୍ରରୁ ଖବରପାଇଥିଲା । ପରେ  ଟିମ୍‌ ସହ ତାଙ୍କ ଘରେ ଚଢ଼ାଉ କରି ଶରତଙ୍କୁ  ଗିରଫ କରିଥିଲେ । ଗୁରୁବାର ମାଜିଷ୍ଟ୍ରେଟ ପ୍ରତାପ  ଚନ୍ଦ୍ର ଦାସଙ୍କ ଉପସ୍ଥିତି ଓ ସାଇଣ୍ଟିଫିକ ଟିମ୍‌  ରହି ହତ୍ୟାକାରୀକୁ ପୁଲିସ୍‌ ସାଙ୍ଗରେ ନେଇ  ହତ୍ୟା ଘଟଣାର ସିନ୍‌ ରିକ୍ରିଏସନ କରାଇଥିଲେ ।  ଅପରପକ୍ଷେ ଦିବ୍ୟାଭାରତୀଙ୍କ ଶବ ବ୍ୟବଚ୍ଛେଦ  ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।