ଅନୁଗୁଳ, ୧୪।୧୦ : ଅନୁଗୁଳ ନିଶା ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଛି  । ବ୍ଲାଷ୍ଟ ଫର୍ଣ୍ଣେସ୍‌ ଫାଟି ଯାଇ ଗ୍ୟାସ ଲିକ ହୋଇ ନିଆଁ ଲାଗିଛି। ପାଖରେ ଥିବା ୩ ଟି ଦମକଳ ଗାଡି ନିଆଁକୁ ଆୟତ୍ତ  କରିଛନ୍ତି।  କିନ୍ତୁ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ।  ବର୍ତ୍ତମାନ ପ୍ଲାଣ୍ଟକୁ ସର୍ଟ ଡାଉନ କରାଯାଇଛି। ତେବେ ଏଥିରେ କେହି  ମୃତାହତ ହୋଇ ନଥିବା ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି ଯେ,  କାର୍ଯ୍ୟରତ ଲୋକମାନଙ୍କ ଏବଂ ଅନ୍ୟମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ଜରୁରୀକାଳୀନ ପ୍ରୋଟୋକଲ ଗୁଡିକ କାର୍ଯ୍ୟକାରୀ କରାଯାଇଛି। ଏହି ଘଟଣାରେ କୌଣସି ବ୍ୟକ୍ତି  ଆହତ ହୋଇନାହାନ୍ତି ଏବଂ  କୌଣସି ବ୍ୟକ୍ତିଙ୍କର କିଛି ବି କ୍ଷତି ହୋଇ  ନାହିଁ ।ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଜିନ୍ଦଲ ପକ୍ଷରୁ ସୂଚନା ଦିଆଯାଇଛି।