ନୂଆଦିଲ୍ଲୀ,୫।୧୧: ଅନୀଲ ଅମ୍ବାନୀଙ୍କ ରିଲାୟନ୍ସ ଗ୍ରୁପର ଅଡୁଆ ବଢିବାରେ ଲାଗିଛି। ପୂର୍ବରୁ ଇଡି, ସିବିଆଇ ଓ ସେବି ଯାଞ୍ଚର ସାମନା କରୁଥିଲା କମ୍ପାନୀ। ଏବେ ମିନିଷ୍ଟ୍ରି ଅଫ୍ କର୍ପୋରେଟ୍ ଆଫେୟାର୍ସ (ଏମସିଏ) ମଧ୍ୟ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ମନ୍ତ୍ରଣାଳୟ ପକ୍ଷରୁ ରିଲାୟନ୍ସ ଗ୍ରୁପର ବହୁ ପ୍ରମୁଖ କମ୍ପାନୀରେ କଥିତ ଫଣ୍ଡ ଦୂରୁପଯୋଗ ଓ କମ୍ପାନୀ ଆଇନର ଗମ୍ଭୀର ଉଲଂଘନର ଯାଞ୍ଚ କରିଥିଲା। ମନ୍ତ୍ରଣାଳୟର ପ୍ରାରମ୍ଭିକ ତଦନ୍ତରେ ପାଣ୍ଠି ସ୍ଥାନାନ୍ତର ଏବଂ ଆକାଉଣ୍ଟିଂ ଅନିୟମିତତାର ପ୍ରମୁଖ ସୂଚନା ମିଳିବା ପରେ ମାମଲାଟିକୁ ଏବେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (SFIO)କୁ ହସ୍ତାନ୍ତର କରାଯାଇଛି।
ମନ୍ତ୍ରଣାଳୟ ପ୍ରାଥମିକ ଯାଞ୍ଚ ପରେ ବହୁ ପରିମାଣରେ ଫଣ୍ଡ ଡାଇଭର୍ସନ ଓ କମ୍ପାନୀ ଆକ୍ଟର ଉଲଂଘନ ନେଇ ସଙ୍କେତ ମିଳିଛି। ଏହାପରେ ମାମଲା ଏସ୍ଏଫ୍ଆଇଓକୁ ଦିଆ ଯାଇଛି। ଫଳରେ ଫଣ୍ଡି ଫ୍ଲୋ ଓ ଦାୟିତ୍ବକୁ ଧାର୍ଯ୍ୟ କରିବା ପାଇଁ ବିସ୍ତୃତ ଯାଞ୍ଚ କରାଯିବ। ଯେଉଁ କମ୍ପାନୀ ଗୁଡିକ ଉପରେ ଯାଞ୍ଚର ପରିସର ବଢିଛି, ତାହା ଭିତରେ ରିଲାୟନ୍ସ ଇନଫ୍ରାଷ୍ଟ୍ରକର,ରିଲାୟନ୍ସ କମର୍ସିଆଲ,ଫାଇନାନ୍ସ, ଓ ସିଏଲଇ ପ୍ରାଇଭେଟ୍ ଲିମିଟେଡ୍ ଭଳି ଫାର୍ମ ସାମିଲ ରହିଛି।
ତଦନ୍ତକାରୀ ଏଜେନ୍ସିର କହିବା ଅନୁସାରେ, ଗ୍ରୁପର ବହୁ କମ୍ପାନୀଙ୍କ ଭିତରେ ଟଙ୍କାର ଲେଣଦେଣ କରାଯାଇଛି। ଯେପରି ଫଣ୍ଡକୁ ପରସ୍ପରର ଆକାଉଣ୍ଟରେ ଟ୍ରାନ୍ସଫର କରି ଏହାର ଅସଲି ସ୍ଥିତିକୁ ଲୁଚାଯାଇଛି। ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି ପ୍ରାୟ ୭୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ଆଟାଚ୍ କରିଥିଲା। ଇଡିର ଅଭିଯୋଗ ଯେ, ୨୦୧୦ ରୁ ୨୦୧୨ ଭିତରେ ଆରକମ୍ ଓ ଏହାର ଗ୍ରୁପ୍ର କମ୍ପାନୀ ଭାରତୀୟ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଲୋନ୍ ନେଇଛନ୍ତି। ମୋଟ ବକେୟା ୪୦,୧୮୫ କୋଟି ଟଙ୍କା ପର୍ଯ୍ୟନ୍ତ ପହଁଞ୍ଚି ଯାଇଛି। ଏଥିରୁ କେବଳ ୧୯,୬୯୪ କୋଟି ଟଙ୍କା ଏବେ ବି ବକେୟା ରହିଛି।