ନୂଆଦିଲ୍ଲୀ,୪।୮: ମନି ଲଣ୍ଡିରିଂ ମାମଲାରେ ଅଡୁଆରେ ରିଲାୟନ୍ସ ଗ୍ରୁପର ଚେୟାରମ୍ୟାନ୍ ଓ ଏମ୍‌ଡି ଅନିଲ ଅମ୍ବାନୀ। ୧୭ ହଜାର କୋଟି ଟଙ୍କା ଲୋନ୍‌ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଜବାବ ତଲବ କରିଛି। ଏହା ସହ ୧୨ ରୁ ୧୩ ଟି ବ୍ୟାଙ୍କକୁ ଚିଠି ଲେଖି ସ୍ପଷ୍ଟୀକରଣ ମାଗିଛି। ଏହି ଖବର ଆସିବା ମାତ୍ରେ ଅନିଲ ଅମ୍ବାନୀଙ୍କ କମ୍ପାନୀର ସେୟାର ବୁଡିବାରେ ଲାଗିଛି। ରିଲାୟନ୍ସ ଇନଫ୍ରାଠାରୁ ନେଇ ରିଲାୟନ୍ସ ପାଓ୍ବାର ପର୍ଯ୍ୟନ୍ତର ସେୟାରରେ ଲୋୟର ସର୍କିଟ ଲାଗିଛି।  

ଅନିଲ ଅମ୍ବାନୀଙ୍କ ପରେ ଏବେ ତାଙ୍କର ଘନିଷ୍ଠ ସହଯୋଗୀଙ୍କୁ ଇଡି ଜବାବ ତଲବ କରିଛି। ଏଥିରେ ତାଙ୍କର ସବୁଠାରୁ ବିଶ୍ବସ୍ଥ ଅମିତାଭ ଝୁନଝୁନଓ୍ବାଲା ଓ ସତୀଶ ସେଠଙ୍କ ଭଳି ନାଁ ରହିଛି। ଏହି ସମସ୍ତଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲଏ) ଅନୁଯାୟୀ ପଚରା ଉଚରା ପାଇଁ ଡକାଇଛି। ଗତ କିଛି ଦିନ ହେବ ଲୋନ୍ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କ କର୍ପୋରେଟ୍ ସାମ୍ରାଜ୍ୟର ଶୀର୍ଷ ଶ୍ରେଣୀର ଅଧିକାରୀଙ୍କୁ ଅତି କମ୍‌ରେ ୬ଟି ସମନ ଜାରି କରାଯାଇଛି। 

୧୨-୧୩ ଟି ସରକାରୀ ଓ ଘରୋଇ ବ୍ୟାଙ୍କକୁ ଚିଠି ଲେଖି ରିଲାୟନ୍ସ ହାଉସିଂ ଫାଇନାନ୍ସ, ରିଲାୟନ୍ସ କମ୍ୟୁନିକେସନ୍ ଓ ରିଲାୟନ୍ସ କମର୍ସିଆଲ ଫାଇନାନ୍ସକୁ ଦିଆଯାଇଥିବା ଲୋନ୍‌ର ବିବରଣୀ ମାଗିଛି। ଇଡି ଯେଉଁ ବ୍ୟାଙ୍କକୁ ଚିଠି ଲେଖିଛି, ସେଥିରେ ଏସ୍‌ବିଆଇ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍‌ଡିଏଫସି ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ରହିଛି।