ନୂଆଦିଲ୍ଲୀ,୧୦/୧୧; ପୂର୍ବତନ ଭାରତୀୟ କ୍ରିକେଟର ଶାନ୍ତା ରଙ୍ଗାସ୍ୱାମୀ କ୍ୟାପ୍ଟେନ ହର୍ମନପ୍ରୀତ କୌରଙ୍କ ବିଷୟରେ ଏକ ବଡ଼ ବୟାନ ଦେଇ କହିଛନ୍ତି । ହର୍ମନପ୍ରୀତ ଅଧିନାୟକ ପଦ ଛାଡି ତାଙ୍କ ବ୍ୟାଟିଂ ଏବଂ ଫିଲ୍ଡିଂ ଉପରେ ଅଧିକ ଧ୍ୟାନ ଦେବା ଉଚିତ ବୋଲି କହିଛନ୍ତି । ରଙ୍ଗାସ୍ୱାମୀ ଜୋର ଦେଇଛନ୍ତି ଯେ "ଦଳର ଭବିଷ୍ୟତକୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯିବା ଉଚିତ୍‌ । ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତ ବିଶ୍ୱ ବିଜୟୀ ହୋଇଛି । ତାଙ୍କ ବିଷୟରେ ପୂର୍ବ କ୍ରିକେଟରଙ୍କ ବୟାନକୁ ନେଇ ହଇଚଇ ସୃଷ୍ଟି କରିଛି । ଏହାକୁ ନେଇ ପ୍ରଶଂସକମାନେ ରଙ୍ଗାସ୍ୱାମୀଙ୍କୁ ସମାଲୋଚନା କରିଛନ୍ତି ।

ଅନ୍ୟପକ୍ଷରେ, ଜାତୀୟ ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ, ପୂର୍ବତନ ଭାରତୀୟ ଅଧିନାୟକ ଅଞ୍ଜୁମ ଚୋପ୍ରା ରଙ୍ଗାସ୍ୱାମୀଙ୍କ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପ୍ରତ୍ୟେକ ବିଶ୍ୱକପ୍ ପରେ, ଏହିପରି ଏକ ବୟାନ ବାହାରକୁ ଆସେ । ଗତ ୪ କିମ୍ବା ୫ଟି ବିଶ୍ୱକପ୍ ଦେଖନ୍ତୁ ଏପରି ବୟାନ କେତେ ଥର ଦିଆଯାଇଛି । ଯେତେବେଳେ ଭାରତ ଏକ ଟୁର୍ଣ୍ଣାମେଣ୍ଟ ହାରିଯାଏ, ସେମାନେ କୁହନ୍ତି ଯେ ହର୍ମନପ୍ରୀତଙ୍କୁ ହଟାଇବା ଉଚିତ୍ । ଯେତେବେଳେ ଭାରତ ଏକ ଟୁର୍ଣ୍ଣାମେଣ୍ଟ ଜିତିଥାଏ, ସେମାନେ କୁହନ୍ତି ଯେ, ହରମନପ୍ରୀତଙ୍କୁ ହଟାଇବା ଉଚିତ୍। ଏହା ବଡ଼ ବିଚିତ୍ର । ପ୍ରତିଥର ଏପରି ବୟାନ ଦିଆଯାଇଥାଏ । ମୁଁ ଏବେ ଏହା ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହିଁ କାରଣ ଏହା ଭାରତର ବିଜୟର ମୁହୂର୍ତ୍ତକୁ ନଷ୍ଟ କରିଦେବ । "

ହର୍ମନପ୍ରୀତଙ୍କ ବିଷୟରେ ପୂର୍ବ ଭାରତୀୟ କ୍ୟାପ୍ଟେନ ଅଞ୍ଜୁମ ଅହୁରି କହିଛନ୍ତି, "ଯେତେବେଳେ ମୁଁ ପ୍ରଥମ ଦିନରେ ତାଙ୍କୁ ଦେଖିଥିଲି, ସେ ଆମ ସହିତ ଘରୋଇ କ୍ରିକେଟ୍ ଖେଳୁଥିଲେ। ପରେ, ଆମେ ସମସ୍ତେ ୨୦୦୭-୦୮ରେ ଚ୍ୟାଲେଞ୍ଜର ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ମୁମ୍ବାଇର ଏକ ଭାରତୀୟ ଶିବିରରେ ଥିଲୁ । ମୁଁ ଅନୁଭବ କଲି ଯେ ସେ କେତେ ପ୍ରତିଭାବାନ, ଜଣେ ୧୯ ବର୍ଷରୁ କମ୍ ଖେଳାଳି ଯିଏ ବଲକୁ ବହୁତ ଦୂରକୁ ମାରି ପାରୁଥିଲେ । ମୁଁ ନିଶ୍ଚିତ ହୋଇଗଲି ଯେ ସେ ସ୍ୱତନ୍ତ୍ର। ଭାରତୀୟ ଦଳରେ ଯୋଗ ଦେବା ପୂର୍ବରୁ, ମୁଁ ତାଙ୍କ ସହିତ ଘରୋଇ କ୍ରିକେଟ୍ ଖେଳିଥିଲି । ସେହି କିଛି ମ୍ୟାଚ୍‌ରେ ସେ ଯେଉଁ ଦକ୍ଷତା ପ୍ରଦର୍ଶନ କରିଥିଲେ ତାହା ମୋତେ ବହୁତ ପ୍ରଭାବିତ କରିଥିଲା । ପ୍ରଥମ ଦିନରୁ ଆଜି ପର୍ଯ୍ୟନ୍ତ, କେବେ ଭାବି ନଥିଲି ଯେ ସେ ମ୍ୟାଚ୍ ବିଜେତା ନୁହଁନ୍ତି । "