ଭୁବନେଶ୍ବର,୨/୪ : ରାଜ୍ୟର ଅଙ୍ଗନବାଡ଼ି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୧୮୮୯ଟି ନୂତନ ଅଙ୍ଗନବାଡ଼ି ଗୃହକୁ ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଛନ୍ତି। ଲୋକସେବା ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସେ ଏହି ସମସ୍ତ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି । ନିଜସ୍ୱ ଗୃହରେ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର।
ପୂର୍ବରୁ ଅନେକ ଅଙ୍ଗନବାଡ଼ି କେନ୍ଦ୍ର ନିଜସ୍ୱ ଗୃହ ଅଭାବରୁ ବିଭିନ୍ନ ସ୍କୁଲ କିମ୍ବା ଗୋଷ୍ଠୀ କେନ୍ଦ୍ରମାନଙ୍କରେ ପରିଚାଳିତ ହେଉଥିଲା। ଏହି ନୂତନ ଗୃହ ଗୁଡ଼ିକର ନିର୍ମାଣ ଫଳରେ ଏବେ ଶିଶୁ ଏବଂ ମହିଳାମାନେ ଏକ ସ୍ୱତନ୍ତ୍ର ତଥା ଉନ୍ନତ ପରିବେଶରେ ସରକାରୀ ସେବା ପାଇପାରିବେ ।
ଉଦଘାଟନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୭ମସିହା ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଯେପରି ନିଜସ୍ୱ ଗୃହ ପାଇବେ, ସେଥିପାଇଁ ଆମେ ଲକ୍ଷ୍ୟ ରଖିଛୁ । ଏହି ଦିଗରେ କାର୍ଯ୍ୟ ଜାରି ରହିଛି। ଆଗାମୀ ୩ରୁ ୪ମାସ ମଧ୍ୟରେ ବଳକା ଥିବା ୪ହଜାର ଅଙ୍ଗନବାଡ଼ି କେନ୍ଦ୍ରକୁ ସେମାନଙ୍କର ନିଜସ୍ୱ ଗୃହ ଯୋଗାଇ ଦେବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ଏ ସମ୍ପର୍କରେ ଆଜି ସମସ୍ତ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି । ଧାର୍ଯ୍ୟ ସମୟ ସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।