ସମ୍ବଲପୁର,୧୨/୩: ଯୁଯୁମୁରାରେ ମାତିଛନ୍ତି ଜମି ମାଫିଆ । ପୂର୍ବରୁ ଦେବଝରଣ ଡ୍ୟାମ୍ ବିକି ଦେଇଥିଲେ । ଏବେ ମୁଖ୍ୟ କେନାଲକୁ ବି ବିକ୍ରି କରିଦେଇଛନ୍ତି । ବିକ୍ରି ହେବା ପରେ ଜମି ମାଲିକାନା ଦାବି କରୁଥିବା ବ୍ୟକ୍ତି ଏକ କିଲୋମିଟର ଦୂର କେନାଲକୁ ସମ୍ପୂର୍ଣ୍ଣ ଅବରୋଧ କରିଛନ୍ତି । ଯୁଯୁମୁରା-ସୋନପୁରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର କିଛି ଅଂଶରେ ପାଚେରୀ ଘେରି ଦେଇଛନ୍ତି । ଯାହାକୁ ନେଇ ପୁଣି ଥରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିଛି । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଯୁଯୁମୁରା ଲିପିଣ୍ଡାର ମୁଖ୍ୟ କେନାଲ୍ ବିକ୍ରି ହୋଇଯାଇଛି । କିଣିଥିବା ନେଇ ଦାବି କରୁଥିବା ବ୍ୟକ୍ତି ଏହି କେନାଲକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାରିପାଖେ ପାଚେରୀ ଘେରି ଦେଇଛନ୍ତି ।

ପ୍ରାୟ ଏକ କିଲୋମିଟର ଦୂର କେନାଲ ଏବେ ତାଙ୍କ ଅଧୀନରେ ରହିଛି । ଫଳରେ ଆଖାପଖର କୃଷକ ଏବେ ଜଳସେଚନରୁ ବଞ୍ଚିତ ହେବେ । କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି କେନାଲ୍କୁ କିଭଳି ବିକ୍ରି କରାଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ପୂର୍ବରୁ ଦେବଝରଣ ଡ୍ୟାମ୍ ଜମି ବିକ୍ରି ହେବା ଘଟଣାରେ ଯୁଯୁମୁରା ତହସିଲ ବିଭାଗ ହରଡ଼ଘଣାରେ ପଡ଼ିଥିଲା । ତେଣୁ ଏହା ବି ସେମିତି ଚଞ୍ଚକତା କରି ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ପାଚେରୀ ଭାଙ୍ଗିବା ସହ ଚାଷୀଙ୍କୁ ଜଳସେଚନ ବ୍ୟବସ୍ଥାରୁ ବଞ୍ଚିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । କେନାଲକୁ ପୁନରୁଦ୍ଧାର କରି ପୁଣି ଥରେ ଜଳସେଚନ ବ୍ୟବସ୍ଥା କରାଯାଉ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଦିଗ୍ଝରଣ ନଦୀବନ୍ଧ(ଛୋଟ)କୁ ବାନ୍ଧି ପାଣିକୁ ଅଟକାଇ ରଖାଯାଇଛି । ତଳକୁ ବୋହିଯାଉଥିବା ପାଣିକୁ ସଞ୍ଚିୟ କରି ଲୋକଙ୍କ ଚାଷ ଜମିରେ ବ୍ୟବହାର କରିବାକୁ ଉଦ୍ୟମ ଆରମ୍ଭ କରାଯାଇଛି । ଏଥିପାଇଁ ବନ୍ଧ ନିର୍ମାଣ କାମ ସରିଯାଇଛି । କିଛି ସ୍ଥାନରେ କେନାଲ୍ କାମ ବି ଶେଷ ହୋଇଛି । ଆଉ କିଛି ସ୍ଥାନରେ କେନାଲ ନିର୍ମାଣ କରୁଛି କ୍ଷୁଦ୍ର ଜଳସେଚନ ବିଭାଗ । କିନ୍ତୁ ଏହି କେନାଲ୍କୁ ଜମି ମାଫିଆ ହାତେଇ ନେଇଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ହାତ ବାନ୍ଧି ବସିଛି । ପୂର୍ବରୁ ଦେବଝରଣ ଜମି ବିକ୍ରି ମାମଲାରେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇବା ପରେ କ୍ଷୁଦ୍ର ଜଳସେଚନ ବିଭାଗ ଚେତିଥିଲା । ଏହାର ବିକ୍ରିକୁ ବେଇଆନ ଦର୍ଶାଇ ନିଜ ଖାତାକୁ ଆଣିବାକୁ ଉପଜିଲ୍ଲାପାଳଙ୍କ କୋର୍ଟରେ ଆବେଦନ କରିଥିଲା । ହେଲେ ପୁଣି ଥରେ ସମାନ ଘଟଣା ହେବା ପରେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି ।

ଆହୁରି ପଢନ୍ତୁ- ଯୁଦ୍ଧ ଆଳରେ ଡିପୋରେ ଦରବୃଦ୍ଧି, ଖୁଚୁରା ବଜାରରେ ତେଲ ମହଙ୍ଗା, ଖାଉଟି ଦହଗଞ୍ଜ

ସେହିଭଳି ଯୁଯୁମୁରା-ସୋନପୁରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର କିଛି ଅଂଶରେ ପାଚେରୀ ଘେରି ଥିଲେ ମଧ୍ୟ ରାଜସ୍ୱ ବିଭାଗ କିମ୍ବା ପୂର୍ତ୍ତ ବିଭାଗ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏନେଇ ଯୁଯୁମୁରା ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଘଟଣା ସମ୍ପର୍କରେ ଜାଣିନଥିବା କହିଛନ୍ତି । ସେହିଭଳି ପୂର୍ତ୍ତ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗ ମଧ୍ୟ ଘଟଣା ସମ୍ପର୍କରେ ଜାଣିନଥିବା କହିଛନ୍ତି । ଘଟଣାସ୍ଥଳ ପରିଦର୍ଶନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।