ଭୁବନେଶ୍ବର,୮/୫ : ବାଲିଅନ୍ତା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ନ ନିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି ବାଲିପାଟଣାରୁ । ବାଲିପାଟଣାରେ ପୁଣି ମାଡ଼ମାରି ହତ୍ୟା ଅଭିଯୋଗ । ମୃତକ ଅଠାନ୍ତର ଗାଁର ରାକେଶ ଦାସ ବୋଲି ଜଣାପଡ଼ିଛି । ଅଠାନ୍ତର ଛକରେ ରାକେଶଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ଼ ମରାଯିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ହତ୍ୟା ଟଙ୍କା କାରବାରକୁ ନେଇ ହୋଇଥିବା ସୂଚନା ମିଳୁଛି ।
ସୂଚନା ଅନୁସାରେ, ବାଲିଅନ୍ତାରୁ ଗତକାଲି ଏକ ଛାତି ଥରା ଦୃଶ୍ୟ ନଜରକୁ ଆସିଥିଲା । ଦିନ ଦ୍ବିପ୍ରହରରେ ଯୁବକଙ୍କୁ ପିଟିପିଟି ମାରିଦେଇଥିଲେ । ତାହା ପୁଣି ପୁଲିସ ଉପସ୍ଥିତିରେ । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜିପିଆରରେ କାମ କରୁଥିଲେ । ତାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ପୁଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଆଜି ପୁଣି ଏଭଳି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି ।